ଭୁବନେଶ୍ୱର: ହ୍ୟାଣ୍ଡ୍ ଫିଟ୍ ମାଉଥ୍ ଡିଜିଜ୍(ଏଚ୍ଏଫ୍ଏମ୍ଡି) ରୋଗୀଙ୍କ ସଂଖ୍ୟା ଥମୁନାହିଁ । ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ମାଡ଼ିଚାଲିଛି । ଫଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗୁରୁବାର ପୁଣି ୬ ଶିଶୁ ଏଚ୍ଏଫ୍ଏମ୍ଡି ରୋଗରେ ସଂକ୍ରମିତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାୟଗଡ଼ାରୁ ୨ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୩୦କୁ ଛୁଇଁଲାଣି । ହେଲେ କାହିଁକି ଓ କେଉଁ ପରିସ୍ଥିତିରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି ଏନେଇ ବିଶେଷଜ୍ଞଙ୍କ ପାଖରେ କୌଣସି ସୂଚନା ନାହିଁ ।
ଏମ୍ସ ଶିଶୁ ରୋଗ ବିଶେଷଜ୍ଞ ରଶ୍ମି ଦାସ କହିଛନ୍ତି, ଏମ୍ସରେ ପୂର୍ବରୁ ଯେଉଁମାତ୍ରାରେ ରୋଗୀ ଅସୁଥିଲେ, ସେହି ମାତ୍ରାରେ ରୋଗୀ ଆସୁଛନ୍ତି । ମାସକୁ ପ୍ରାୟ ୧୦୦ ଭିତରେ ରହୁଛି । ୧୬-୧୭ ମସିହା ବେଳକୁ ଏହି ରୋଗରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିଲା । ହେଲେ ବର୍ତ୍ତମାନ କାହିଁକି ବଢ଼ିଛି, ତାହାର ପ୍ରକୃତ କାରଣ ଜଣାପଡ଼ିନାହିଁ । ଏହା ଉପରେ ଗବେଷଣା ହେବା ଜରୁରୀ। ଯେଉଁ ଶିଶୁ ଥରେ ସଂକ୍ରମିତ ହୋଇ ସୁସ୍ଥ ହୁଅନ୍ତି, ସେମାନଙ୍କୁ ଆଉ ପୁନର୍ବାର ସଂକ୍ରମିତ ହେବେ ନାହିଁ । କିନ୍ତୁ ଏହି ଭୂତାଣୁ କ୍ଷତିକାରକ ନୁହେଁ ।
ଏହି ରୋଗ ସାଧାରଣତଃ ଜୁଲାଇ ଓ ସେପ୍ଟେମ୍ବର ବେଳକୁ ଆସିଥାଏ । ହେଲେ ଏବର୍ଷ କିନ୍ତୁ ଶୀଘ୍ର ଆସିଯାଇଛି । ଏହାର ପ୍ରକୃତ କାରଣ ଜଣାପଡ଼ିନାହିଁ । ଯେହେତୁ ଏହା ମାରାତ୍ମକ ନୁହେଁ ତେଣୁ ବର୍ତ୍ତମାନ ଟିକାର ଆବଶ୍ୟକତା ନାହିଁ । ଆଗକୁ ରୋଗକୁ ନେଇ ଟିକା ଆବଶ୍ୟକତା ରହିଛି କି ନାହିଁ ତାହା ଗବେଷଣାରୁ ସ୍ପଷ୍ଟ ହେବ ।
ରାଜ୍ୟ ସରକାର ଆରଏମ୍ଆରସିକୁ ୪୬ ନମୁନା ପଠାଇଥିଲା । ପ୍ରାଥମିକ ଅବସ୍ଥାରେ ନମୁନାର ପାନ୍ ଏଣ୍ଟ୍ରୋରେଭାଇରସ୍ ପରୀକ୍ଷା କରାଯାଇଥିଲା । ସେଥିରୁ ୩୦ ସଂକ୍ରମିତ ବାହାରିଥିଲେ । ତହିଁରୁ ୧୦ ନମୁନା ମୁମ୍ବାଇ ପଠାଯାଇଛି । ୪୬ଜଣଙ୍କ ଭିତରୁ ଭୁବନେଶ୍ୱରରେ ୧୯, ଖୋର୍ଦ୍ଧାରେ ୧୦, ପୁରୀରେ ୩, ରାୟଗଡ଼ା ୨ ଓ କଟକରୁ ୨ ଅଛନ୍ତି । ସଂକ୍ରମିତଙ୍କ ବୟସ ୯ ବର୍ଷରୁ କମ ।