ଭୁବନେଶ୍ୱର: ୭୫ତମ କାନ୍ ଫିଲ୍ମ ଫେଷ୍ଟିଭାଲ୍ରେ ସମସ୍ତଙ୍କ ମୁହଁରେ ଦେଖିବାକୁ ମିଳିଲା ସମ୍ବଲପୁରୀ ମାସ୍କ । ଓଡ଼ିଶାର ଏହି ପାରମ୍ପରିକ ବୟନ କଳା ପୁଣି ଥରେ ବିଶ୍ୱସ୍ତରରେ ଚର୍ଚ୍ଚାରେ ରହିଲା। ଦେଶ ବିଦେଶରୁ ଆସିଥିବା ୪୦୦ରୁ ଅଧିକ ସିନେ ନିର୍ମାତା, ଟେକ୍ନିସିଆନ୍, କଳାକାର ପ୍ରାୟ ସମସ୍ତଙ୍କ ମୁହଁରେ ସମ୍ବଲପୁରୀ ମାସ୍କ ଦେଖିବାକୁ ମିଳିଥିଲା । ପୂରା କାନ୍ରେ ସମ୍ବଲପୁରୀ ମାସ୍କ ଛାଇ ଯାଇଥିଲା କହିଲେ ଚଳେ । ଏହାକୁ ବ୍ୟବହାର କରି ସମସ୍ତେ ପସନ୍ଦ କରିବା ସହ ସୋସିଆଲ୍ ମିଡିଆରେ ଫଟୋ ଶେୟାର କରିଛନ୍ତି । ବଡ଼ କଥା ହେଲା, ଏହା ପଛରେ ଥିଲେ ପରିଚିତ ପ୍ରଯୋଜକ ତଥା ପୃଷ୍ଠପୋଷକ ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ର ।
କାନ୍ରେ ‘ମାର୍ଚ୍ଚେ ଡୁ ଫିଲ୍ମ’ ବଜାରରେ ୧୦ଟି ଓଡ଼ିଆ ଚଳଚ୍ଚିତ୍ରକୁ ପ୍ରୋତ୍ସାହିତ କରିବା ଲାଗି ଯୋଗଦେଇଥିବା ଶ୍ରୀ ମିଶ୍ର ସମସ୍ତଙ୍କୁ ଏହି ସମ୍ବଲପୁରୀ ମାସ୍କ ବାଣ୍ଟିଥିଲେ । ଏନେଇ ସେ କହିଛନ୍ତି, ୨ମାସ ପୂର୍ବେ ଟିଟିଲାଗଡ଼ ଆସିବା ସମୟରେ ମାସ୍କ ପ୍ରସ୍ତୁତ କରୁଥିବା ସ୍ଥାନୀୟ କାରିଗରଙ୍କୁ ଅର୍ଡର୍ ଦେଇଥିଲି । ଗୋଟିଏ ମାସ୍କ ପିଛା ୩୦ରୁ ୫୦ ଟଙ୍କା ଖର୍ଚ୍ଚ ହୋଇଥିଲାବେଳେ ପ୍ରାୟ ୫୦୦ ମାସ୍କ ପ୍ରସ୍ତୁତ ହୋଇଥିଲା। କାରିଗରମାନେ ଏହାକୁ ଦିଲ୍ଲୀ ପଠାଇଥିଲେ । ମୁଁ ସାଙ୍ଗରେ ନେଇ କାନ୍ରେ ପହଞ୍ଚିଥିଲି । କାନ୍ରେ ପ୍ରାୟ ୪୦୦ ମାସ୍କ ବଣ୍ଟାଯାଇଛି । ବାକି ୧୦୦ ମାସ୍କ ଆଗକୁ ଅଷ୍ଟ୍ରିଆ-ଚେକ୍ ରିପବ୍ଲିକ୍ରେ ହେବାକୁ ଥିବା ଫିଲ୍ମ ଫେଷ୍ଟିଭାଲ୍ରେ ବଣ୍ଟାଯିବ । ଏକମାତ୍ର ଉଦ୍ଦେଶ୍ୟ ଓଡ଼ିଶାର ପାରମ୍ପରିକ ବୟନ କଳାକୁ ବିଶ୍ୱ ଦରବାରରେ ପହଞ୍ଚାଇବା । ଆମ ପାଇଁ ଏହା ଏକ ଭଲ ସୁଯୋଗ ଥିଲା । ଶ୍ରୀ ମିଶ୍ର ଓ ପତ୍ନୀ ଡୋନା ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଫେଷ୍ଟିଭାଲ୍ରେ ରେଡ୍ କାର୍ପେଟ୍ରେ ଚାଲିଥିଲେ । ଶ୍ରୀ ମିଶ୍ର ନିଜେ ଏହି ବିଶେଷ ଉତ୍ସବ ପାଇଁ ସମ୍ବଲପୁରୀ ରେଶମ ପୋଷାକର ପରିକଳ୍ପନା କରିଥିଲେ।