20.1 C
Bhubaneswar
Saturday, November 16, 2024
Homeଦେଶ ବିଦେଶବିଶ୍ୱରେ ବଢୁଛି ଖାଦ୍ୟ ସମସ୍ୟା

ବିଶ୍ୱରେ ବଢୁଛି ଖାଦ୍ୟ ସମସ୍ୟା

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ପରେ ବିଶ୍ୱ ଅର୍ଥନୀତିରେ ଅନେକ ସମସ୍ୟା ଦେଖିବାକୁ ମିଳୁଛି । ସେଥିରୁ ସବୁଠାରୁ ବଡ଼ ହେଉଛି ଖାଦ୍ୟ ସମସ୍ୟା । ରୁଷ-ୟୁକ୍ରେନ ଅନେକଗୁଡ଼ିଏ ଖାଦ୍ୟ ସାମଗ୍ରୀର ପ୍ରମୁଖ ଯୋଗାଣକାରୀ । ଉଭୟ ଯୁଦ୍ଧରେ ମାତିଥିବାବେଳେ ବିଶ୍ୱ ଯୋଗାଣ ଶୃଙ୍ଖଳ ବିପର୍ୟ୍ୟସ୍ତ ହୋଇଯାଇଛି । ଯୋଗାଣ ଅଭାବରୁ ଅନେକ ଖାଦ୍ୟ ସାମଗ୍ରୀ ଦର ଆକାଶ ଛୁଇଁଛି । ଖାଇବା ତେଲଠାରୁ ଆରମ୍ଭ କରି ଗହମ, ଅଟା ତଥା ଅନ୍ୟାନ୍ୟ ଶସ୍ୟ ଦର ବୃଦ୍ଧି ପାଇଛି । ଫଳରେ ମୁଦ୍ରାସ୍ଫୀତି ବଡ଼ ସମସ୍ୟା ଭାବେ ଉଭା ହୋଇଛି । ସମଗ୍ର ବିଶ୍ୱରେ ଦରବୃଦ୍ଧି ସମସ୍ୟା । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ରାଷ୍ଟ୍ର ସ୍ଥାନୀୟ ଯୋଗାଣ ବଢ଼ାଇବା ଲାଗି ଖାଦ୍ୟ ସାମଗ୍ରୀ ରପ୍ତାନିରେ କଟକଣା ଲଗାଉଛନ୍ତି । ତେବେ ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ଏହି ସୁରକ୍ଷାବାଦୀ ନୀତି ବିଶ୍ୱ ଅର୍ଥନୀତି ପାଇଁ ଭୟଙ୍କର ସମସ୍ୟା ଆଣିବାକୁ ଯାଉଥିବା ଅର୍ଥନୀତିଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ସଂପୃକ୍ତ ଦେଶଗୁଡ଼ିକ ସ୍ଥାନୀୟ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ରପ୍ତାନି କଟକଣା ଲଗାଉଛନ୍ତି ।

ମାଲେସିଆ ଜୁନ୍‌ ୧ରୁ ଚିକେନ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛି । ଏହା ଦ୍ୱାରା ସିଙ୍ଗାପୁର ଅତି ମାତ୍ରାରେ ପ୍ରଭାବିତ ହେବ । କାରଣ ଏହା ମାଲେସିଆରୁ ଏହାର ଏକ ତୃତୀୟାଂଶ ସାମଗ୍ରୀ ପାଇଥାଏ । ଭାରତ ଗହମ ରପ୍ତାନି ଉପରେ କଟକଣା ଲଗାଇଥିବାବେଳେ ଜୁନ୍‌ ୧ରୁ ଚିନି ରପ୍ତାନି ଉପରେ କଟକଣା ଲଗାଇବାକୁ ଯୋଜନା କରିଛି । ଇଣ୍ଡୋନେସିଆ ପାମ୍‌ ଅଏଲ୍‌ ବିକ୍ରିକୁ ନିର୍ଦ୍ଧିଷ୍ଟ ପରିମାଣରେ ସୀମିତ ରଖିଛି । ସର୍ବିଆ ଏବଂ କଜାକିସ୍ତାନ ଶସ୍ୟ ରପ୍ତାନି ଉପରେ କୋଟା ବ୍ୟବସ୍ଥା କରିଛନ୍ତି । ଏଭଳି ସ୍ଥିତିରେ ଖାଦ୍ୟ ସଂକଟ ଅଧିକ ଉତ୍କଟ ହେବାକୁ ଯାଉଥିବା ଆଶଙ୍କା କରାଯାଇଛି । ବର୍ଦ୍ଧିତ ଖାଦ୍ୟ ଦର ଏବଂ ଅଭାବରୁ ଦରିଦ୍ର ରାଷ୍ଟ୍ରଗୁଡ଼ିକ ଭୟଙ୍କର ଭାବେ ପ୍ରଭାବିତ ହେବେ । ଧନୀ ରାଷ୍ଟ୍ରଗୁଡ଼ିକ ବି ବର୍ତ୍ତିବେ ନାହିଁ । ଦରବୃଦ୍ଧି ସଂକଟ ଯୋଗୁ ଏପ୍ରିଲରେ ବ୍ରିଟେନରେ ପ୍ରାୟ ୧ କୋଟି ଲୋକ ଖାଦ୍ୟ ପରିମାଣ କମାଇ ଦେଇଛନ୍ତି । ଆମେରିକାରେ ରେଷ୍ଟୁରାଣ୍ଟଗୁଡ଼ିକ ସେମାନଙ୍କ ଆକାର କମାଉଛନ୍ତି । ସେହିଭଳି ଫ୍ରାନ୍ସରେ କିଛି ପରିବାରଙ୍କୁ ଫୁଡ୍‌ ଭାଉଚର ଜାରି କରାଯାଉଛି । ବ୍ରିଟେନ ଏବଂ ଆମେରିକାରେ ନିମ୍ନ ଆୟ ପରିବାରଗୁଡ଼ିକ ଖାଦ୍ୟ ପାଇଁ ସଂଘର୍ଷ କରୁଥିବା ନ୍ୟାସ୍‌ନାଲ ୟୁନିଭର୍ସିଟି ଅଫ୍‌ ସିଙ୍ଗାପୁରର ‘ଲି କ୍ୱାନ୍‌ ୟ୍ୟୁ ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ପଲିସି’ରେ କୃଷି ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ସୋନିଆ ଅଖ୍‌ତର ପ୍ରକାଶ କରିଛନ୍ତି । ନିଜ ଆୟର ଅଧିକ ଭାଗ ଖାଦ୍ୟରେ ବ୍ୟୟ କରୁଥିବା ଲୋକମାନଙ୍କୁ ଦରବୃଦ୍ଧି ଅଧିକ ପ୍ରଭାବିତ କରୁଥିବା ସେ କହିଛନ୍ତି । ଏସିଆରେ ଖାଦ୍ୟକୁ ନେଇ ସୁରକ୍ଷାବାଦୀ ନୀତି ଅଧିକ ରହିଛି । ଏହା ପରିସ୍ଥିତିକୁ ଅଧିକ ବିକୃତ କରିବାକୁ ଯାଉଥିବା ନୋମୁରା ହୋଲ୍‌ଡିଙ୍ଗସ ମୁଖ୍ୟ ଅର୍ଥନୀତିଜ୍ଞ(ଭାରତ ଏବଂ ଏସିଆ) ସୋନାଲ ବର୍ମା ପ୍ରକାଶ କରିଛନ୍ତି । ଇତିମଧ୍ୟରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା, ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ, ସେପ୍ଟେମ୍ବରରେ ଶେଷ ହେଉଥିବା ବିପଣନ ବର୍ଷ ପାଇଁ ଭାରତ ଏହାର ଚିନି ରପ୍ତାନିକୁ ୧୦ ନିୟୁତ ଟନ୍‌ରେ ସୀମିତ ରଖିବାକୁ ଚାହୁଁଛି । ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ପ୍ରାୟ ୩୦ଟି ରାଷ୍ଟ୍ର ଖାଦ୍ୟ ରପ୍ତାନି ଉପରେ କଟକଣା ଲଗାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking