ନୂଆଦିଲ୍ଲୀ : ଅଲିମ୍ପିକ୍ସ ବ୍ରୋଞ୍ଜ୍ ପଦକ ବିଜୟିନୀ ଲଭ୍ଲିନା ବୋର୍ଗୋହେନ୍ ଅନ୍ତର୍ଜାତୀୟ ବକ୍ସିଂ ମହାସଂଘ (ଆଇବିଏ) ଆଥ୍ଲେଟିକ୍ସ କମିଟି ଅଧ୍ୟକ୍ଷା ସହ ଭୋଟ୍ ଅଧିକାର ସହିତ ନିର୍ଦ୍ଦେଶକ ମଣ୍ଡଳୀକୁ ନିର୍ବାଚିତ ହୋଇଥିବା ଗୁରୁବାର ମହାସଂଘ ପକ୍ଷରୁ କୁହାଯାଇଛି । ନିକଟରେ ଆୟୋଜିତ ୨୦୨୨ ମହିଳା ବିଶ୍ୱ ଚାମ୍ପିଅନ୍ଶିପ୍ ଅବସରରେ ଅନୁଷ୍ଠିତ ନିର୍ବାଚନରେ ଲଭ୍ଲିନା ସର୍ବାଧିକ ଭୋଟ୍ ପାଇଥିଲେ । ଆଇବିଏ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଲଭ୍ଲିନା ଆଥ୍ଲେଟ୍ସ କମିଟିକୁ ନିର୍ବାଚିତ ହେବା ତାଙ୍କ ପାଇଁ ବଡ଼ ସମ୍ମାନ ବୋଲି କହିଛନ୍ତି । ସେ କହିଛନ୍ତି, ଜଣେ ସଦସ୍ୟା ଭାବେ ନିର୍ବାଚିତ ହେବାକୁ ଆଶା କରିଥିଲି, ମାତ୍ର ଅଧ୍ୟକ୍ଷା ହେବି ବୋଲି କଦାପି ବି ଭାବି ନଥିଲି । ଏହା ଭାରତୀୟ ବକ୍ସିଂ ବିଶେଷକରି ବିଶ୍ୱର ଅନ୍ୟ ବକ୍ସର୍ଙ୍କ ମଧ୍ୟରେ ମହିଳା ବକ୍ସିଂର ପ୍ରସାର ପାଇଁ ମୋତେ ସହାୟତା କରିବ ।’ ପୂର୍ବରୁ ଭାରତୀୟ ବକ୍ସର୍ ଶିବ ଥାପ୍ପା ୨୦୨୧ ପୁରୁଷ ବିଶ୍ୱ ଚାମ୍ପିଅନ୍ଶିପ୍ ଅବସରରେ ଅନୁଷ୍ଠିତ ନିର୍ବାଚନରେ ଆଇବିଏ ଆଥ୍ଲେଟ୍ସ କମିଟି ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଲଭ୍ଲିନା ଓ ଥାପ୍ପା ଅକ୍ଟୋବର ୨୦୨୧ ଏବଂ ମେ’ ୨୦୨୨ରେ ଅନୁଷ୍ଠିତ ପୁରୁଷ ଏବଂ ମହିଳା ବିଶ୍ୱ ଚାମ୍ପିଅନ୍ଶିପ୍ରେ ଭାଗନେଇଥିବା ବକ୍ସର୍ଙ୍କ ଦ୍ୱାରା ନିର୍ବାଚିତ ହୋଇଥିଲେ ।
ଓହରିଲେ କରୋନା ପଜିଟିଭ୍ କ୍ରେଜିକୋଭା
ବିଶ୍ୱର ଦୁଇ ନମ୍ବର ମହିଳା ଟେନିସ୍ ଖେଳାଳି ଚେକ୍ ଗଣରାଜ୍ୟର ବାର୍ବୋରା କ୍ରେଜିକୋଭାଙ୍କ ଫ୍ରେଞ୍ଚ୍ ଓପନ୍ ଅଭିଯାନ ସମୟ ପୂର୍ବରୁ ଶେଷ ହୋଇଛି । ଫ୍ରେଞ୍ଚ୍ ଓପନ୍ ସିଙ୍ଗଲ୍ସ ଓ ଡବଲ୍ସ ଡିଫେଣ୍ଡିଂ ଚାମ୍ପ୍ରିନ୍ ବୁଧବାର କରୋନା ସଂକ୍ରମିତ ହୋଇଛନ୍ତି । ଫଳରେ ସେ ଚଳିତ ଟୁର୍ଣ୍ଣାମେଣ୍ଟ୍ରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି । ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ସେ ଏହି ସୂଚନା ଦେଇଛନ୍ତି । ଚେକ୍ ଗଣରାଜ୍ୟର ଏହି ଡିଫେଣ୍ଡିଂ ଚାମ୍ପିଅନ୍ ମହିଳା ସିଙ୍ଗଲ୍ସରେ ପ୍ରଥମ ରାଉଣ୍ଡ୍ରୁ ବିଦାୟ ନେଇଥିଲେ ହେଁ ଡବଲ୍ସରେ ନିଜ ଦେଶର କେଟେରିନା ସିନିଆକୋଭାଙ୍କ ସହ ତାଙ୍କର ଅଭିଯାନ ଆରମ୍ଭ କରିବାର ଥିଲା । କ୍ରେଜିକୋଭାଙ୍କ ବ୍ୟତୀତ ତାଙ୍କ ଦେଶରେ ମେରୀ ବୁଜ୍କୋଭା ମଧ୍ୟ କରୋନା ସଂକ୍ରମିତ ହୋଇ ଟୁର୍ଣ୍ଣାମେଣ୍ଟ୍ରୁ ଓହରିଯାଇଛନ୍ତି ।