22.1 C
Bhubaneswar
Sunday, November 17, 2024
Homeଓଡିଶାଏନଚ୍‌-୫୫ ଅନ୍ତର୍ଗତ ମଙ୍ଗୁଳି-ସମ୍ବଲପୁର ରାସ୍ତାର ନିର୍ମାଣ କାର୍ଯ୍ୟରେ ଅହେତୁକ ମନ୍ଥରତା : ମାସକରେ ୪୫% କାମ...

ଏନଚ୍‌-୫୫ ଅନ୍ତର୍ଗତ ମଙ୍ଗୁଳି-ସମ୍ବଲପୁର ରାସ୍ତାର ନିର୍ମାଣ କାର୍ଯ୍ୟରେ ଅହେତୁକ ମନ୍ଥରତା : ମାସକରେ ୪୫% କାମ ସରିବ କିପରି?

ଭୁବନେଶ୍ୱର : ଆଉ ମାସେ ପରେ ଧାର୍ଯ୍ୟ ତାରିଖ ଶେଷ ହେବ । ଅର୍ଥାତ ଜୁନ୍ ୨୦୨୨ ସୁଦ୍ଧା କଟକରୁ ସମ୍ବଲପୁର ଯାଏ ଲମ୍ବିଥିବା ରାଜପଥ-୫୫ର କାର୍ଯ୍ୟ ସମାପ୍ତ ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଘୋଷଣା କରିଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ତିନୋଟି ପର୍ଯ୍ୟାୟ ମଧ୍ୟରୁ ଦୁଇଟି ପର୍ଯ୍ୟାୟର କାମ ପ୍ରାୟ ୪୫ ପ୍ରତିଶତ ବାକି ରହିଛି । ସ୍ୱଳ୍ପ ସମୟ ଭିତରେ ଏଇ ବକେୟା କାର୍ଯ୍ୟ ସରିବାର ପ୍ରଶ୍ନ ଉଠୁନାହିଁ। ପୂର୍ବରୁ ମଧ୍ୟ ଧାର୍ଯ୍ୟ ତାରିଖ ଘୋଷଣା କରି ଫେଲ୍ ମାରିଛନ୍ତି ସରକାର । ବାରମ୍ବାର ଅସଫଳତା ସତ୍ତ୍ୱେ କାରଣ ବି ଖୋଜାଯାଉନି । ସଂପୃକ୍ତ ଠିକାଦାର ସଂସ୍ଥାର ଦୌରାତ୍ମ୍ୟ ଆଗରେ ସତେ ଯେମିତି ବନ୍ଧା ପଡ଼ିଛନ୍ତି ସମସ୍ତେ । ଫଳରେ ଅଧପନ୍ତରିଆ ରାସ୍ତାରେ ଗାଡ଼ିଚାଳକଙ୍କ ପକ୍ଷେ ଗାଡ଼ି ଚଳାଇବା କଷ୍ଟସାଧ୍ୟ ହେଉଛି ।

ମିଳିଥିବା ତଥ୍ୟାନୁସାରେ ରାଜ୍ୟରେ ଥିବା ରାସ୍ତାଗୁଡ଼ିକୁ ଚାରି ଭାଗରେ ବିଭକ୍ତ କରାଯାଇଛି । ତାହା ହେଉଛି ଜାତୀୟ ରାଜପଥ, ରାଜ୍ୟ ରାଜପଥ, ପ୍ରମୁଖ ଜିଲ୍ଲାପଥ ଓ ଅନ୍ୟାନ୍ୟ ଜିଲ୍ଲାପଥ । ରାଜ୍ୟରେ ଏହିଭଳି ୩୦,୬୩୭.୯୦୩ କିଲୋମିଟର ରାସ୍ତା ରହିଛି । ସେଥିରୁ ୪୮୪୮.୦୫୮ କିଲୋମିଟର ରାସ୍ତା ଜାତୀୟ ରାଜପଥ, ୪୧୪୩.୦୫୩ କି.ମି. ରାଜ୍ୟ ରାଜପଥ,୨୮୧୧.୭୮୪ କି.ମି ପ୍ରମୁଖ ଜିଲ୍ଲାପଥ ଏବଂ ୧୮୮୩୫.୦୦୮ କି.ମି ଅନ୍ୟାନ୍ୟ ଜିଲ୍ଲାପଥ । ଏଥିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ଏକ ପମୁଖ ଓ ଚର୍ଚ୍ଚିତ ରାଜମାର୍ଗ । ଗତ ଡିସେମ୍ବର ୨୦୧୮ରେ ଏହି ରାଜପଥ ନେଇ ଭତ୍ତିପଥର ସ୍ଥାପନ ହୋଇଥିଲା । ଟେଣ୍ଡର ପ୍ରକ୍ର୍ରିୟା ଶେଷ ପରେ ସେପ୍ଟେମ୍ବର ୨୦୨୦ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ ନେଇ ଦିନ ଘୋଷଣା ହୋଇଥିଲା । ହେଲେ ତାହା ହେଲାନି ।

ଜାତୀୟ ରାଜପଥ-୫୫ ପାଇଁ ଭାରତ ସରକାର ମୋଟ୍ ୩,୫୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପରେ ତାହା ୪,୪୮୧କୁ ବଢ଼ିଥିଲା । ଏଥିରୁ ପ୍ରଥମ ପର୍ଯ୍ୟାୟରେ କଟକ-ଅନୁଗୁଳ ରାଜମାର୍ଗ ପାଇଁ ୯୯୯ କୋଟି, ଦ୍ୱିତୀୟ ପର୍ଯ୍ୟାୟରେ ସେହି କଟକ-ଅନୁଗୁଳ ରାଜମାର୍ଗ ପାଇଁ ୯୯୧ କୋଟି ବ୍ୟୟବରାଦ ହୋଇଥିଲା । ସେହିପରି ଅନୁଗୁଳ- ସମ୍ବଲପୁର ରାଜମାର୍ଗ ପାଇଁ ୨୪୯୧ କୋଟି ମଞ୍ଜୁର ହୋଇଛି । ଧାର୍ଯ୍ୟ ସମୟରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଅର୍ଥ ବରାଦ କରିଥିଲେ ହେଁ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ଅଭାବ ଯୋଗୁଁ ପ୍ରକଳ୍ପ ବିଳମ୍ବିତ ହୋଇଥିଲା । ମଙ୍ଗୁଳି ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଉକ୍ତ ଜାତୀୟ ରାଜପଥ ସଂପ୍ରସାରଣ ନେଇ ତିନୋଟି ପର୍ଯ୍ୟାୟ କାମ ଚିହ୍ନଟ ହୋଇଛି । ପ୍ୟାକେଜ୍‌-୧ରେ କଟକରୁ ଅନୁଗୁଳ ସେକ୍ସନ ୨୦ କିମିରୁ ୨୦୦ କିମି ମଧ୍ୟରେ ସିମିତ ଥିବାବେଳେ ପ୍ୟାକେଜ୍‌-୨ରେ କଟକରୁ ଅନୁଗୁଳ ସେକ୍ସନ ଅଧିନସ୍ଥ ୬୦.୨୦୦ କିମିରୁ ୧୧୨ କିମି ମଧ୍ୟରେ ଏବଂ ପ୍ୟାକେଜ୍‌-୩ରେ ଅନୁଗୁଳ ସମ୍ବଲପୁର ସେକ୍ସନ ଅଧିନସ୍ଥ ୧୧୨ କିମିରୁ ୨୬୫.୪୦ କିମି ମଧ୍ୟରେ କାର୍ଯ୍ୟ ସମ୍ପାଦନ କରାଯାଉଛି ।

ଏହିଭଳି ମୋଟ୍ ୩୦୭ କିମି ରାସ୍ତା ଛଅ ଲେନ୍ ବିଶିଷ୍ଟ ହେବାକଥା । କଟକରୁ ଅନୁଗୁଳ ସେକ୍ସନ ରାଜପଥର ନିର୍ମାଣ କାର୍ଯ୍ୟ ଗତ ୧୯ ଜାନୁଆରୀ ୨୦୧୮ରେ ଆରମ୍ଭ ହୋଇଥିଲା ବେଳେ ଚୁକ୍ତିନାମା ନିର୍ଦ୍ଧାରତ କାର୍ଯ୍ୟସୀମା ତାରିଖ ଥିଲା ୧୭ ଜୁଲାଇ ୨୦୨୦ । ମାତ୍ର ଶେଷ ନହେବାରୁ ପୁଣି ତାରିଖ ବଦଳିଲା । ସମ୍ଭାବ୍ୟ କାର୍ଯ୍ୟ ସମାପ୍ତି ତାରିଖ ୩୦ ଜୁନ ୨୦୨୨ ରହିଛି । କାର୍ଯ୍ୟର ବର୍ତ୍ତମାନ ସୁଦ୍ଧା ୫୨% ସମାପ୍ତ ହୋଇଥିବା ଜଣାପଡ଼ିଛି । ସେହିପରି କଟକରୁ ଅନୁଗୁଳ ସେକ୍ସନ ରାଜମାର୍ଗର ନିର୍ମାଣ କାର୍ଯ୍ୟ ଆରମ୍ଭ ତାରିଖ ୧୨ମାର୍ଚ୍ଚ ୨୦୧୮ ଥିଲାବେଳେ ଚୁକ୍ତିନାମା ଅନୁସାରେ କାର୍ଯ୍ୟ ସମାପ୍ତି ତାରିଖ ଥିଲା ୭ ସେପ୍ଟେମ୍ବର ୨୦୨୦ ।

ସମ୍ଭାବ୍ୟ କାର୍ଯ୍ୟ ସମାପ୍ତ ତାରିଖ ମଧ୍ୟ ୩୦ ଜୁନ ରହିଛି । ବର୍ତ୍ତମାନ କାର୍ଯ୍ୟ ସ୍ଥିତି ୫୯% ସମାପ୍ତି ହୋଇଛି । ଅନ୍ୟପକ୍ଷରେ ଅନୁଗୁଳ ସମ୍ବଲପୁର ସେକ୍ସନ ରାଜମାର୍ଗର ନିର୍ମାଣ କାର୍ଯ୍ୟ ଆରମ୍ଭ ତାରିଖ ୩ ମାର୍ଚ୍ଚ ୨୦୧୭ ଥିଲାବେଳେ ଚୁୁକ୍ତିନାମା ନିର୍ଦ୍ଧାରିତ କାର୍ଯ୍ୟ ସମାପ୍ତି ତାରିଖ ୨୯ ସେପ୍ଟେମ୍ବର ୨୦୧୯ ଥିଲା । ଏବେ ସମ୍ଭାବ୍ୟ କାର୍ଯ୍ୟ ସମାପ୍ତି ତାରିଖ ଜୁନ ୨୦୨୨ ରହିଛି । ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ ଅଗ୍ରଗତି ୫୪% ହୋଇଅଛି ।  ଏବେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବାକୁ ଆଉ ପ୍ରାୟ ମାସେ ସମୟ ରହିଛି । ଏହି ସମୟ ଅବଧି ଭିତରେ ବାକିଥିବା କାର୍ଯ୍ୟ କିଭଳି ଶେଷ ହେବ ତାକୁ ନେଇ ଉଠିଛି ପ୍ରଶ୍ନ । ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ତର ସହ ନେଇ କାର୍ଯ୍ୟ ସମାପନ କରିବାକୁ ସଚେତକ ମହଲରୁ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking