ମହାରାଷ୍ଟ୍ର: ମହାରାଷ୍ଟ୍ରରେ ସମ୍ପର୍କୁ କଳଙ୍କିତ କଲାଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଗତକାଲି (ଗୁରୁବାର) ସକାଳେ ରାବୋଡି ନିବାସୀ ୭୬ ବର୍ଷିୟ କାଶୀନାଥ ପାଟିଲ ତାଙ୍କ ୪୨ ବର୍ଷିୟ ବୋହୂକୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଆଉ ଏହି ଗୁଳିମାଡର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ।
ଏନେଇ ପୋଲିସ କହିଛି ଯେ, ଠିକ୍ ସମୟରେ ଜଳଖିଆ ନପାଇବାରୁ ଅଭିଯୁକ୍ତ ଜଣକ କ୍ରୋଧିତ ହୋଇ ଏପରି କାଣ୍ଡ ଘଟାଇଛି । ଏହି ଘଟଣାରେ ମହିଳାଙ୍କ ପେଟରେ ଗୁଳି ବାଜିଛି । ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୁକ୍ତ ଶ୍ବଶୂରକୁ ଧରିବାକୁ ପୋଲିସ ଖୋଜାଖୋଜି ଆରମ୍ଭ କରିଛି ।
ରାବୋଡି ପୋଲିସର ସୂଚନାନୁସାରେ, ଗୁରୁବାର ଦିନ ପ୍ରାୟ ସାଢେ ୧୧ ସମୟରେ ଏହି ଘଟଣା ଘଟିଛି । ମୃତ ମହିଳାଙ୍କ ନାମ ସୀମା ରାଜେନ୍ଦ୍ର ପାଟିଲ । ତାଙ୍କର ଏକ ୧୭ ବର୍ଷର ପୁଅ ଅଛି । ସେ ସମସ୍ତଙ୍କ ପାଇଁ ଜଳଖିଆ ରାନ୍ଧୁଥିଲେ । ଶ୍ବଶୂର କାଶୀନାଥ ପାଟିଲଙ୍କର ଏକ ବାଲି ବ୍ୟବସାୟ ଅଛି । ଠିକ୍ ସମୟରେ ଜଳଖିଆ ନ ପାଇ ସେ ରାଗି ଯାଇଥିଲେ ଏବଂ ବୋହୂ ସାମ୍ନାକୁ ଆସିବା ପରେ ସେ ତାଙ୍କ ରିଭଲଭର ବାହାର କରି ପେଟରେ ଗୁଳି ଚଳାଇଦେଲେ । ତେବେ ଏହା ହେଉଛି ତାଙ୍କର ଲାଇସେନ୍ସପ୍ରାପ୍ତ ବନ୍ଧୁକ ।
ରାବୋଡି ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି, “ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ ପରିବାରର ସମସ୍ତ ସଦସ୍ୟ ଘରେ ଥିବାବେଳେ ସେମାନେ ସଙ୍ଗେ ସଙ୍ଗେ ମହିଳାଙ୍କୁ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ଚିକିତ୍ସା ସମୟରେ ତାଙ୍କୁ ଶୁକ୍ରବାର ସକାଳେ ମୃତ ଘୋଷଣା କରାଯାଇଥିଲା ।