ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗର୍ ଏବେ ବିବାଦରେ । ଶ୍ରୀଜଗନ୍ନାଥଙ୍କ ଭଜନ ଗାଇବାକୁ ମନା କରୁଥିବାବେଳେ ତାଙ୍କ ସହଯୋଗୀ ସଙ୍ଗୀତ ନିର୍ଦ୍ଦେଶକ ଜାପାନୀଙ୍କୁ ହତ୍ୟା ଧମକ ଦେଇଛନ୍ତି । ଏନେଇ ଜାପାନୀ ହ୍ୟୁମାନଙ୍କ ସହଯୋଗୀ ବବୁଲୁ ମହମ୍ମଦ ଆବିଦ୍ଙ୍କ ବିରୋଧରେ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଅଭିଯୋଗ ଅନୁସାରେ, ହ୍ୟୁମାନ ସାଗର ଓ ଜାପାନୀଙ୍କ ଯୋଡ଼ିକୁ ଲୋକେ ପସନ୍ଦ କରୁଛନ୍ତି ।
ଜାପାନୀଙ୍କ ନିର୍ଦ୍ଦେଶନାରେ ହ୍ୟୁମାନ ସାଗର ଅନେକ ଗୀତ ଗାଇଛନ୍ତି । ସେହି ସବୁ ଗୀତ ହିଟ୍ ମଧ୍ୟ ହୋଇଛି । ହେଲେ ଗତ ୫ବର୍ଷ ହେବ ଜଗନ୍ନାଥଙ୍କ ଭଜନ ଗାଇବାକୁ ହ୍ୟୁମାନ ସାଗରଙ୍କୁ ଜାପାନୀ ନିବେଦନ କରିଆସୁଛନ୍ତି । କିନ୍ତୁ ହ୍ୟୁମାନ ସାଗର ଭଜନ ଗାଇବାକୁ ମନା କରିଆସୁଛନ୍ତି । ଏହାକୁ ନେଇ ଜାପାନୀ ଓ ହ୍ୟୁମାନ ସାଗରଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଥିବା ବେଳେ ସେପଟେ ହ୍ୟୁମାନଙ୍କ ସହଯୋଗୀ ଜାପାନୀଙ୍କୁ ହତ୍ୟା ଧମକ ଦେଇଛନ୍ତି । ହ୍ୟୁମାନଙ୍କ ସହଯୋଗୀ ତଥା ‘ସାଗର ସଙ୍ଗମ ଗ୍ରୁପର’ ସଦସ୍ୟ ବବୁଲୁ ମହମ୍ମଦ ଆବିଦ୍ ଜାପାନୀଙ୍କ ବନ୍ଧୁ ତଥା ଗୀତିକାର ତପୁଙ୍କୁ ଫୋନ କରି ଧମକ ଦେଇଛନ୍ତି । କଟକ ଆସିଲେ ଜାପାନୀଙ୍କୁ ଜୀବନରେ ମାରି ଦେବୁ ବୋଲି ସେ ଫୋନ୍ରେ କହିଛନ୍ତି ।