କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପ୍ରବାହିତ ୧୬ କିମି ବ୍ୟାପୀ ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡୁଛି। ନଦୀ ପୋତି ହୋଇପଡିଥିବା ବେଳେ ଏହା ଉପରେ ନିର୍ଭର କରୁଥିବା ପଟ୍ଟାମୁଣ୍ଡାଇ ଅଞ୍ଚଳ ସମେତ ରାଜନଗର, ମହାକାଳପଡ଼ା, କେନ୍ଦ୍ରାପଡା ବ୍ଲକର ୩ ଲକ୍ଷରୁ ଊର୍ଦ୍ଧ୍ଵ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପୋତା ଗୋବରୀ ନଦୀର ପୁନରୁଦ୍ଧାର ପାଇଁ ୨୦୦୩ ମସିହା ଠାରୁ ପ୍ରବାହିତ ଚିରସ୍ରୋତା ବ୍ରାହ୍ମଣୀ ସହ ଗୋବରୀକୁ ସଂଯୋଗ କରିବାକୁ ବର୍ଷ ବର୍ଷ ଧରି ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ହୋଇଆସୁଛି ।ଚିରସ୍ରୋତା ବ୍ରାହ୍ମଣୀ ସହ ଗୋବରୀ ନଦୀ ସଂଯୋଗ ହେଲେ ପଟ୍ଟାମୁଣ୍ଡାଇଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ପ୍ରାୟ ୧୬ କିମି ନଦୀ ଉପରେ ନିର୍ଭର କରୁଥିବା ଉଭୟପାର୍ଶ୍ୱର ଶତାଧିକ ଗାଁର ଅଧିବାସୀ ଉପକୃତ ହେବେ ।ଏହାର ଗମ୍ଭୀରତାକୁ ବିଚାରକୁ ନେଇ ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପିଏଲ୍ଭି ପ୍ରଫୁଲ୍ଲ କୁମାର ଦାଶ, କ୍ଷୀରୋଦ ମଳିକ, ଅଶୋକ କୁମାର ବଳ ଓ ଦେବାଶିଷ ପଣ୍ଡା ପ୍ରମୁଖ ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା) ନିକଟରେ ଏକ ଜନସ୍ବାର୍ଥ ସମ୍ବଳିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ବିଚାର କରି କେନ୍ଦ୍ରାପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲ୍ଏସ୍ଏ) ବିଚାରପତି ମଳୟ କୁମାର ପ୍ରଧାନ କେସ୍ ନଂ. ୧୦/୨୦୨୧ରେ ଏକ ମାମଲା ଦାଏର କରି ପଦକ୍ଷେପ ନେବାକୁ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।କେନ୍ଦ୍ରାପଡା ଜଳନିକାସ ବିଭାଗ ପକ୍ଷରୁ ୭ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ଟେଣ୍ଡର ମାଧ୍ୟମରେ ଓଡ଼ିଶା ଷ୍ଟେଟ କନ୍ଷ୍ଟ୍ରକଶନ କମ୍ପାନୀ(ଓସିସି) ୨୦୨୧ ମାର୍ଚ୍ଚ ମାସରୁ ଗୋବରୀ ଖନନ କାର୍ଯ୍ୟ ଆରମ୍ଭ କରିଥିଲା । ଗଣ୍ଡାକିଆ ପାଖରୁ ୬ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟ ଶେଷକରି ଓସିସି ଏବେ କାର୍ଯ୍ୟ ବନ୍ଦ କରିଦେଇଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଊଛି । ଏସଂପର୍କରେ କେନ୍ଦ୍ରାପଡା ଜଳନିକାସ କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ରାଉତଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଆଉ ଏକ ଟେଣ୍ଡର କରାଯାଇ ପଟ୍ଟମୁଣ୍ଡାଇ ବାଳିକା ମହାବିଦ୍ୟାଳୟ ପର୍ଯ୍ୟନ୍ତ ଗୋବରୀ ଖନନ କାର୍ଯ୍ୟ କରାଯିବାକୁ ଧାର୍ଯ୍ୟ କରାଯାଇଛି ପ୍ରକାଶ ଥାଉକି ପୂର୍ବରୁ ପଟ୍ଟାମୁଣ୍ଡାଇଠାରେ ପ୍ରବାହିତ ବ୍ରାହ୍ମଣୀ ସହ ଗୋବରୀ ନଦୀର ସଂଯୋଗ ହୋଇଥିଲା । ଏହି ନଦୀ ଚିରସ୍ରୋତା ସହ ନୌବାଣିଜ୍ୟ ପରିବହନ ପାଇଁ ଉଦ୍ଦିଷ୍ଟ ଥିଲା । ମାତ୍ର ୬୦ ଦଶକ ପୂର୍ବରୁ କଟକ-ଚାନ୍ଦବାଲି ରାସ୍ତା ତିଆରି ହେବା ସମୟରେ ପଟ୍ଟାମୁଣ୍ଡାଇଠାରେ ବ୍ରାହ୍ମଣୀ-ଗୋବରୀ ନଦୀର ସଂଯୋଗ ପଥକୁ ପୋତି ଦିଆଯାଇଥିଲା। ଏହା ବ୍ରାହ୍ମଣୀ ବନ୍ୟା ନିରୋଧକ ଦଶ ହଜାରି ବନ୍ଧ ଭାବେ ନାମିତ ରହିଛି। ତେବେ ପଟ୍ଟାମୁଣ୍ଡାଇଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ଗୋବରୀ ନଦୀଜଳପ୍ରବାହ ବନ୍ଦ ହୋଇଯିବାରୁ ନଦୀଶଯ୍ୟା କ୍ରମଶଃ ପୋତି ଯାଊଛି । ପଟ୍ଟାମୁଣ୍ଡାଇ ଅଞ୍ଚଳର କେତେକ ପ୍ରଭାବଶାଳୀ ବ୍ୟକ୍ତି ବଜାର ସଂଲଗ୍ନ ବେଲତଳ, ଦକ୍ଷିଣଦିଆ, ପୋଖରିଆପଡା ପୋତା ଗୋବରୀ ନଦୀର ଦୁଇପାର୍ଶ୍ୱ ଜମିକୁ ହେରଫେର କରି ହାତେଇ ନେଇଛନ୍ତି । ଫଳରେ ଚିରସ୍ରୋତା ବ୍ରାହ୍ମଣୀ ସହ ଗୋବରୀର ସଂଯୋଗ ନେଇ ସମସ୍ୟା ଦେଖାଦେଇଛି । ଗୋବରୀ ନଦୀର ଉଭୟପାର୍ଶ୍ୱରେ ଥିବା ଶତାଧିକ ଏକର ଉର୍ବର ଚାଷଜମି ପାଣି ବିନା ପଡିଆ ପଡୁଛି । ଗୋବରୀ ନଦୀ ସମ୍ପୂର୍ଣ୍ଣ ଖନନ କରାଯାଇ ବ୍ରାହ୍ମଣୀ ସହ ସଂଯୋଗ କରାଗଲେ ପଟ୍ଟାମୁଣ୍ଡାଇ, ମହାକାଳପଡ଼ା, କେନ୍ଦ୍ରାପଡ଼ା ଓ ରାଜନଗର ବ୍ଲକ ଅଞ୍ଚଳର ୩ ଲକ୍ଷରୁ ଊର୍ଦ୍ଧ୍ଵ ଚାଷୀଙ୍କ ଅର୍ଥନୈତିକ ଓ ସାମାଜିକ ଉନ୍ନତି ହେବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।