କଲମ୍ବୋ : ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ଚରମସୀମାରେ ପହଞ୍ଚିିଛି । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ସୋମବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫାପତ୍ରକୁ ସେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି ବୋଲି ମହିନ୍ଦା ଟ୍ୱିଟ୍ କରି ଜଣାଇଛନ୍ତି । ପୂର୍ବରୁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ କ୍ୟାବିନେଟର ସବୁ ୨୬ ମନ୍ତ୍ରୀ ଇସ୍ତଫା ଦେଇସାରିଥିଲେ । ବର୍ତ୍ତମାନ ମହିନ୍ଦାଙ୍କ ଇସ୍ତଫା ଯୋଗୁଁ ଶ୍ରୀଲଙ୍କା ସରକାରର ପତନ ଘଟିଛି । କାମଚଳା ସରକାର ଗଠନ କରିବାକୁ ରାଷ୍ଟ୍ରପତି ଦେଇଥିବା ପ୍ରସ୍ତାବକୁ ବିରୋଧୀ ଦଳଗୁଡିକ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଅପରପକ୍ଷରେ ରବିବାର ରାଜଧାନୀ କଲମ୍ବୋରେ ପ୍ରଧାନମନ୍ତ୍ରୀଙ୍କ ସମର୍ଥକ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷର ସୂତ୍ରପାତ ଘଟିଛି । ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ସେନାର ସହାୟତା ନିଆଯାଇଥିବାବେଳେ ସଂଘର୍ଷରେ ଜଣେ ସାଂସଦଙ୍କ ସମେତ ୩ ଜଣ ପ୍ରାଣ ହରାଇଥିବାବେଳେ ୧୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡିଛି ।
ଏହି ସଂଘର୍ଷରେ ଶାସକ ଦଳର ସାଂସଦ ଅମରକିର୍ତ୍ତୀ ଆଥୁକୋରାଲାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେଙ୍କ ଇସ୍ତଫା ଦାବିକରି ଶତାଧିକ ନାଗରିକ ଏପ୍ରିଲ ୯ରୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି । ତେବେ ରବିବାର ପ୍ରଧାନମନ୍ତ୍ରୀଙ୍କ ସମର୍ଥକମାନେ ବିଭିନ୍ନ ମାରଣାସ୍ତ୍ରରେ ବିକ୍ଷୋଭକାରୀଙ୍କୁ ଆକ୍ରମଣ କରିଥିଲେ । ସେମାନେ ବିକ୍ଷୋଭକାରୀଙ୍କ ଅସ୍ଥାୟୀ ତମ୍ବୁ ଭାଙ୍ଗିଦେଇଥିଲେ । ସେମାନଙ୍କୁ ଅଟକାଇବାକୁ ପୁଲିସ ପ୍ରଥମେ ମାନବ ଶୃଙ୍ଖଳ ସୃଷ୍ଟି କରିଥିଲା। ତେବେ ଏହା ବିଫଳ ହେବାପରେ ଦଙ୍ଗା ନିୟନ୍ତ୍ରଣକାରୀ ପୁଲିସ ଓ ସେନା ଯବାନଙ୍କୁ ସେଠାରେ ମୁତୟନ କରାଯାଇଥିଲା ।
ଅପରପକ୍ଷରେ ଆଇନ ଶୃଙ୍ଖଳା ଭଙ୍ଗ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କ ସମର୍ଥକଙ୍କୁ ଘଉଡାଇବାକୁ ପୁଲିସ ପକ୍ଷରୁ ଲାଠିଚାଳନା ସହ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରାଯାଇଥିଲା । ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରିଥିବାରୁ ସାଂସଦ ଅମରକିର୍ତ୍ତୀଙ୍କ କାର୍ ଅଟକି ଯାଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ସେ ନିଜ ପିସ୍ତଲରୁ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିଚାଳନା କରିବାରୁ ୨ ଜଣ ଗୁରୁତର ଆହତ ହୋଇଥିଲେ । ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଲୋକେ ତାଙ୍କୁ ଆକ୍ରମଣ କରିବାକୁ ଗୋଡାଇଥିଲେ । ପ୍ରାଣ ବଞ୍ଚାଇବାକୁ ସେ ନିକଟସ୍ଥ କୋଠାଘରେ ଆଶ୍ରୟ ନେବାକୁ ଉଦ୍ୟମ କରୁଥିବାବେଳେ ଲୋକଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ବିକ୍ଷୋଭକାରୀମାନେ କେତେକ ମନ୍ତ୍ରୀ ଓ ସାଂସଦଙ୍କ ବାସଭବନରେ ନିଆଁ ଲଗାଇଦେଇଥିବା ଜଣାପଡିଛି ।
ଏଭଳି ସ୍ଥିତି ପାଇଁ ରାଷ୍ଟ୍ରପତି ସବୁ ବିରୋଧୀ ଦଳଗୁଡିକୁ ଦାୟୀ କରିଛନ୍ତି । ଶାନ୍ତି ବଜାୟ ରଖିବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ପ୍ରମୁଖ ବିରୋଧୀ ଦଳ ନେତା ସଜିଥ୍ ପ୍ରେମଦାସା ଘଟଣାସ୍ଥଳ ପରିଦର୍ଶନ କରିବା ସହ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିଥିବା ଜଣାପଡିଛି । ସୂଚନାଯୋଗ୍ୟ ବିଗତ କିଛି ମାସ ଧରି ଶ୍ରୀଲଙ୍କାରେ ଘୋର ଅର୍ଥନୈତିକ ସଙ୍କଟ ଦେଖାଦେଇଛି । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହୋଇପଡିଥିବାବେଳେ ପେଟ୍ରୋଲ, ଡିଜେଲ ଓ ଜୀବନରକ୍ଷାକରୀ ଔଷଧପତ୍ରର ଘୋର ଅଭାବ ପରିଲକ୍ଷିତ ହୋଇଛି । ଫଳରେ ସରକାରଙ୍କ ନୀତିକୁ ବିରୋଧ କରି ସାଧାରଣ ନାଗରିକମାନେ ରାଜରାସ୍ତାକୁ ଓହ୍ଲାଇ ଆସି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେ ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରିଥିବାବେଳେ ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ସବୁପ୍ରକାର ଉଦ୍ୟମ ଚଳାଇଛନ୍ତି ।
ଦେଶରେ ବିଦେଶୀ ମୁଦ୍ରାର ଅଭାବ ଦେଖାଦେଇଥିବାରୁ ସରକାର ବିଦେଶରୁ ଏଭଳି ସାମଗ୍ରୀ ଆମଦାନୀ କରିପାରୁନାହାନ୍ତି । ବିପର୍ଯ୍ୟସ୍ତ ଅର୍ଥନୀତିକୁ ସଜାଡିବାକୁ ବିଶ୍ୱ ବ୍ୟାଙ୍କ ଓ ଆଇଏମଏଫ୍ (ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି)ର ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା ଶ୍ରୀଲଙ୍କା ସରକାରଙ୍କୁ କୌଣସି ସୁଫଳ ମିଳିପାରିନାହିଁ । ତେବେ ଭାରତ ଭଳି କେତେକ ଉତ୍ତମ ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କାକୁ ପେଟ୍ରୋଲ, ଡିଜେଲ, ଔଷଧପତ୍ର ଯୋଗାଉଥିବାରୁ ସ୍ଥିତି କିଛିମାତ୍ରାରେ ସୁଧୁରିଥିବା ଜଣାପଡିଛି । ଚଳିତବର୍ଷ ମାର୍ଚ୍ଚରୁ ଦେଶବ୍ୟାପୀ ବିକ୍ଷୋଭ ଆରମ୍ଭ ହୋଇସାରିଥିବାବେଳେ ସାଧାରଣ ଜନତା ଏଥିପାଇଁ ରାଷ୍ଟ୍ରପତି ଓ ତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ଦାୟୀ କରୁଛନ୍ତି । ସୂଚନାଯୋଗ୍ୟ ଲୋକଙ୍କ ଦାବିକୁ ସମ୍ମାନ ଜଣାଇ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ୨୬ ଜଣ କ୍ୟାବିନେଟ ମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି । ତେବେ ରାଷ୍ଟ୍ରପତି ନିଜ ପଦରୁ ଇସ୍ତଫା ଦେଉନଥିବାରୁ ସାଧାରଣ ନାଗରିକଙ୍କର ଚକ୍ଷୁଶୀଳ ପାଲଟିଛନ୍ତି ।