ଭୁବନେଶ୍ୱର: ସୋମବାରଠୁ ଆରମ୍ଭ ହୋଇଛି +୨ ବିଜ୍ଞାନ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା । ଏପ୍ରିଲ ୨୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିବାବେଳେ, ପ୍ରଥମ ଦିନରୁ କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା ହୋଇଥିଲା । ତେବେ ସୋମବାର ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷାର୍ଥୀ ପ୍ରଥମ ପରୀକ୍ଷା ଦେଇଛନ୍ତି । ପ୍ରଥମ ଦିନ ଇଂରାଜୀ ପରୀକ୍ଷା ଶେଷ ହୋଇଛି । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ହୋଇଥିଲା । ସେହିପରି ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ୧୧. ୩୦ରେ ଶେଷ ହୋଇଥିଲା । ଚଳିତ ବର୍ଷ ରାଜ୍ୟରେ ବିଜ୍ଞାନରେ ୭୮,୦୭୭ ଓ ୫,୮୬୩ ଜଣ ଧନ୍ଦାମୂଳକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ବାତ୍ୟାକୁ ନେଇ ପରୀକ୍ଷାର୍ଥୀଙ୍କ ସମେତ ଅଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି ।
ବାତ୍ୟା ପ୍ରଭାବରେ ବର୍ଷା ଓ ପବନର ବେଗ ଅଧିକ ହେବାର ସମ୍ଭାବନା ରହିଛି । ତେଣୁ ଆସନ୍ତା ୧୧ ତାରିଖରେ ଥିବା ପରୀକ୍ଷା କିଭଳି ହେବ ସେନେଇ ଚିନ୍ତାରେ ଛାତ୍ରଛାତ୍ରୀ । ତେବେ ସ୍ଥିତିକୁ ନଜର ଦେଇ ସଠିକ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଯୁକ୍ତ ଦୁଇ ଶିକ୍ଷା ପରିଷଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ରାଜ୍ୟରେ ଆସନ୍ତା ୧୦ ତାରିଖରୁ ବର୍ଷା ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ପ୍ରାୟ ୯ଟି ଜିଲ୍ଲାକୁ ସତର୍କ କରାଯାଇଛି ।
ତେବେ ଆସନ୍ତା ୧୦ ତାରିଖରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଥିବାବେଳେ ୧୧ ତାରିଖରେ ବିଜ୍ଞାନ ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ରହିଛି । ଏହି ଦୁଇ ଦିନ ପ୍ରବଳ ବର୍ଷା ହେବାକୁ ଥିବାରୁ ଛାତ୍ରଛାତ୍ରୀ କିଭଳି ପରୀକ୍ଷା ଦେବାକୁ ଆସିବେ ତା’କୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ଯେହେତୁ ୧୦ ତାରିଖ ସନ୍ଧ୍ୟା ସୁଦ୍ଧା ବର୍ଷା ଓ ପବନ ହେବ; ଏଣୁ ଆସନ୍ତା ୧୧ ତାରିଖରେ ଥିବା ପରୀକ୍ଷା ବାବଦରେ ଖୁବ୍ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ନିଷ୍ପତ୍ତି ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ ପାଣିପାଗ ବିଭାଗ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ବାତ୍ୟା ସମ୍ବନ୍ଧୀୟ ରିପୋର୍ଟ ଆସିବ ତାହାକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି । ରାଜ୍ୟରେ ୩୦ଟି ଜିଲ୍ଲାରେ ମୋଟ ୧୧୩୩ ଟି ପରୀକ୍ଷା କେନ୍ଦ୍ର ରହିଛି । ଚଳିତବର୍ଷ ୩ ଲକ୍ଷ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।