ପୁରୀ : ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଯାଇଛି ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା । ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନଯାତ୍ରା ଦେଖିବାକୁ ଶ୍ରଦ୍ଧାଳୁ ମାନଙ୍କ ଭିଡ ବୃଦ୍ଧି ପାଇବାରେ ଲାଗିଛି । ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ୨୧ଦିନ ଧରି ନରେନ୍ଦ୍ରରେ ଜଳକ୍ରୀଡା କରିବେ । ଚନ୍ଦନ ଚକଡା଼ରେ ଠାକୁରଙ୍କୁ ଚନ୍ଦନ କୁଣ୍ଡରେ ସ୍ନାନ କରାଯିବା ସହ ଆକର୍ଷଣୀୟ ବେଶ କରାଯାଉଛି । ଏହା ଛଡା ପ୍ରଭୁଙ୍କୁ ବିଭିନ୍ନ ପ୍ରକାର ସ୍ଵାଦିଷ୍ଟ ପିଠା ଓ ମିଠା ଭୋଗ କରାଯାଉଛି । ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନମୋହନ, ଏବଂ ଭୂଦେବୀ ଓ ଶ୍ରୀଦେବୀଙ୍କ ସମେତ ପଞ୍ଚମହାଦେବ ସେଠାରେ ଜଳକ୍ରୀଡା କରୁଛନ୍ତି । ଚଳିତବର୍ଷ ଭକ୍ତଙ୍କ ମେଳରେ ମହାପ୍ରଭୁ ଚନ୍ଦନଯାତ୍ରା କରୁଛନ୍ତି ।
ଅନ୍ୟପଟେ ଲୋକକଥା ଅନୁଯାଇ ଏହି ଚନ୍ଦନ ଯାତ୍ରାକୁ ଯେଉଁମାନେ ଆଦର, ଆଗ୍ରହ ଓ ଭକ୍ତି ଭାବରେ ଦେଖି ପ୍ରାଥନା କରନ୍ତି ସେମାନେ ଇହଲୋକରେ ସର୍ବବିଧ ସୁଖ ପାଇବା ସଂଗେ ସଂଗେ ଅନ୍ତକାଳରେ ଭଗବାନ ବିଷ୍ଣୁଙ୍କ ଚରଣ କମଳରେ ଲୀନ ହୋଇଥାନ୍ତି । ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖ୍ ବଡ଼ଦାଣ୍ଡ ସମେତ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ଵରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଗାମୀ ୨୨ତାରିଖ ଭଉଁରି ତିଥିରେ ମହାପ୍ରଭୁଙ୍କ ବାହାର ଚନ୍ଦନ ଶେଷ ହେବ । କରୋନା ସଂକ୍ରମଣ ଯୋଗୁଁ ଦୁଇବର୍ଷ ଧରି ଭକ୍ତମାନେ ଠାକୁରଙ୍କ ଚନ୍ଦନଯାତ୍ରା ଦେଖିବାରୁ ବଞ୍ଚିତ ହୋଇଥିଲେ । ତେବେ ଚଳିତ ବର୍ଷ ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କର ଚାପ ଦର୍ଶନ କରିବା ପାଇଁ ଚନ୍ଦନ ପୁଷ୍କରଣୀ ଚତୁର୍ପାର୍ଶ୍ୱରେ ବସି ରହିବ ସହ ବାହାରେ ମଧ୍ୟ ଅନେକ ଶ୍ରଦ୍ଧାଳୁ ଛିଡ଼ାହୋଇ ଚାପ ଦର୍ଶନ କରୁଛନ୍ତି ।