ଆହ୍ଲାବାଦ: କୌଣସି ଭାରତୀୟ ପତ୍ନୀ ସଉତୁଣୀଙ୍କ ଉପସ୍ଥିତିକୁ ଆଦୌ ବରଦାସ୍ତ କରନ୍ତି ନାହିଁ । ଯଦି କୌଣସି କାରଣବଶତଃ ଏଭଳି ପରିସ୍ଥିତି ଉପୁଜେ ତେବେ ସଂପୃକ୍ତ ପତ୍ନୀ ନିଜର ମାନସିକ ଭାରସାମ୍ୟ ହରାଇବା ଅସ୍ୱାଭାବିକ ନୁହେଁ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ଦ୍ୱିତୀୟ ପତ୍ନୀଙ୍କ ଆତ୍ମହତ୍ୟା ଘଟଣାରେ ବାରାଣସୀର ଜଣେ ବ୍ୟକ୍ତି ଅଭିଯୁକ୍ତ ହୋଇଥିବାରୁ ମାମଲା ପ୍ରତ୍ୟାହାର ପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଜଷ୍ଟିସ ରାହୁଲ ଚତୁର୍ବେଦୀଙ୍କ ଅଧ୍ୟକ୍ଷତାରେ ଗଠିତ ହାଇକୋର୍ଟ ଖଣ୍ଡପୀଠ ବୁଧବାର ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି । ଜଷ୍ଟିସ ଚତୁର୍ବେଦୀ ଆହୁରି କହିଛନ୍ତି ଯେ ପ୍ରତ୍ୟେକ ଭାରତୀୟ ପତ୍ନୀ ନିଜର ସ୍ୱାମୀଙ୍କ ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରିଥାନ୍ତି ।
ଅନ୍ୟ କୌଣସିି ମହିଳାଙ୍କ ସହ ସ୍ୱାମୀଙ୍କ ସମ୍ପର୍କକୁ ପତ୍ନୀ ଆଦୌ ବରଦାସ୍ତ କରନ୍ତି ନାହିଁ । ଯଦି ଅନ୍ୟ କୌଣସି ମହିଳା ପତ୍ନୀଙ୍କଠାରୁ ଏହି ଅଧିକାର ଛଡାଇବାକୁ କିମ୍ବା ସଂପୃକ୍ତ ବ୍ୟକ୍ତିଙ୍କୁ ଦ୍ୱିତୀୟ ବିବାହ କରିବାକୁ ଚାହୁଁଥାନ୍ତି, ତେବେ ପ୍ରଥମ ପତ୍ନୀ ହିଂସ୍ର ହୋଇପଡିବା ନିଶ୍ଚିତଭାବେ ସ୍ୱାଭାବିକ । ସୁଶୀଲ କୁମାର ନାମକ ଏହି ଅଭିଯୁକ୍ତ ବିବାହିତ ହୋଇଥିବାବେଳେ ଦୁଇଟି ସନ୍ତାନର ମଧ୍ୟ ଜନକ । ତେବେ ୨୦୧୦ ମସିହାରେ ସେ ଅନ୍ୟ ଜଣେ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ସୁଶୀଲ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇନଥିବାବେଳେ ନିଜେ ବିବାହିତ ବୋଲି ଦ୍ୱିତୀୟ ପତ୍ନୀଙ୍କୁ ମଧ୍ୟ ଜଣାଇନଥିଲେ ।
ସବୁକିଛି ଠିକ୍ଠାକ୍ ଚାଲୁଥିବାବେଳେ ସୁଶୀଲ ତୃତୀୟ ବିବାହ ପାଇଁ ମନ ବଳାଇଥିଲେ । ଏହା ଜାଣିବାପରେ ଦ୍ୱିତୀୟ ପତ୍ନୀ କ୍ଷୁବ୍ଧ ହୋଇ ୨୦୧୮ ସେପ୍ଟେମ୍ବର ୨୨ରେ ଥାନାରେ ଏତଲା ଦାଏର କରିଥିଲେ ଏବଂ ଏହା ପରଦିନ ଆତ୍ମହତ୍ୟା କରିଥିଲେ । ଏତଲାରେ ସେ ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କୁ ଦାୟୀ କରିଥିଲେ । ମାମଲାର ଶୁଣାଣି କରି ଜଷ୍ଟିସ ଚତୁର୍ବେଦୀ କହିଛନ୍ତି ଯେ ସ୍ୱାମୀଙ୍କ ତୃତୀୟ ବିବାହ ସମ୍ପର୍କିତ ଖବର ଶୁଣି ଦ୍ୱିତୀୟ ପତ୍ନୀ ଆତ୍ମହତ୍ୟା କରିବା ଘଟଣା ଯୁକ୍ତିସଙ୍ଗତ । ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗରେ ସୁଶୀଲଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୩୦୬ ଅନୁଯାୟୀ ମାମଲା ରୁଜୁ କରାଯିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି । ତେଣୁ ସୁଶୀଲଙ୍କ ପିଟିସନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି ।