ଭୁବନେଶ୍ୱର: ସ୍ୱାମୀକୁ ମାରିବାକୁ ସ୍ତ୍ରୀ’ ଦେଇଥିବା ସୁପାରି ଘଟଣା ଦିନକୁ ଦିନ ନୂଆ ମୋଡ ନେଉଛି । ଯନ୍ତ୍ରୀ ବିନାୟକ ବେହେରାଙ୍କ ପତ୍ନୀ ସିଲ୍ସିଲା ବେହେରାଙ୍କ ଗୁମର ଖୋଲିବାରେ ଲାଗିଛି । ସିଲ୍ସିଲା ନିଜକୁ ଏନ୍ଏଚ୍ଆର୍ସି ଅଧ୍ୟକ୍ଷ କହି ଅନୁଗୁଳରେ ରହୁଥିବା ଜଣେ ପରିବାରକୁ ୩ଲକ୍ଷ ଟଙ୍କା ମାଗିଥିବା ଭଳି ଘଟଣା ଏବେ ସାମ୍ନାକୁ ଆସିଛି । ଯାହା ସିଲ୍ସିଲାଙ୍କୁ ଚର୍ଚ୍ଚା ପରିସରକୁ ଟାଣିଆଣିଛି ।
ସୂଚନା ଅନୁଯାୟୀ, ଅନୁଗୋଳ ରହୁଥିବା ଏକ ପରିବାରରେ ପାରିବାରିକ କଳହ ଲାଗିଥିଲା । ଏହାର ସମାଧାନ କରିବାକୁ ସିଲ୍ସିଲା ମଧ୍ୟସ୍ତି ସାଜିଥିଲେ । ନକଲି ଏନ୍ଏଚ୍ଆର୍ସି ଅଧ୍ୟକ୍ଷ ସାଜି ସଂପୃକ୍ତ ପରିବାରଠୁ ୩ ଲକ୍ଷ ଟଙ୍କା ଦାବି କରିଥିଲେ ।
ଟଙ୍କା ନଦେଲେ ମିଛ ମାମଲାରେ ଫସାଇ ଦେବାକୁ ଧମକ ଦେଇଥିଲେ । ସେତେବେଳେ ସିଲ୍ସିଲା ବ୍ୟବହାର କରିଥିବା ଗାଡ଼ିର ଫଟୋକୁ ଅଭିଯୋଗକାରିଣୀ ସାଇତି ରଖିଛନ୍ତି । ସେ ତାଙ୍କ ଗାଡ଼ିରେ କେନ୍ଦ୍ର ମାନବ ସମ୍ବଳ ଅଧିକାର କମିଶନଙ୍କ ଲୋଗୋ ଗାଡ଼ିରେ ବ୍ୟବହାର କରି ବିଭିନ୍ନ ସ୍ଥାନରୁ ଟଙ୍କା ହଡ଼ପ କରୁଥିଲେ । ଏ ନେଇ ଗତ ୨୦୨୦ମସିହାରେ ତାଳଚେର ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଉକ୍ତ ପରିବାର ୨୦୨୧ ମସିହାରେ ଅନୁଗୋଳ ଏସ୍ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ସବୁଆଡୁ ନିରାଶ ହେବା ପରେ ଉକ୍ତ ପରିବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାମଲା ତଦନ୍ତ କରି ପୁଲିସ ସିଲସିଲାଙ୍କ ସମେତ ୫ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରି ସିଲ୍ସିଲା କହିଛନ୍ତି, ମୋ ସ୍ୱାମୀଙ୍କ ସହ ୧୯ବର୍ଷ ହେବ ସମ୍ପର୍କ ଭଲ ରହୁନି । ସୋନାଲୀ ଦାସ ନାମକ ଜଣେ ମହିଳାଙ୍କ ସହ ତାଙ୍କର ସମ୍ପର୍କ ରହିଛି । ଉଭୟଙ୍କୁ ଆମେ ଥରେ କାବୁ କରିଥିଲୁ । ପରେ ଥାନାରେ ଅଭିଯୋଗ କରିଥିଲୁ । ହେଲେ କୌଣସି ସୁଫଳ ମିଳୁନାହିଁ ।
ତେଣୁ ଥାନା ଉପରେ ଆଉ ବିଶ୍ୱାସ ନାହିଁ । ଗିରଫ ଡ୍ରାଇଭର ଅଶୋକ ତାଙ୍କ ଭାଇ ବୋଲି ସିଲ୍ସିଲା ଦାବି କରିଆସୁଛନ୍ତି । ଏଥିସହ ସେ କାହାକୁ ୩ଲକ୍ଷ ଟଙ୍କା ମାଗିନଥିବା କହିଛନ୍ତି । ସେପଟେ ସ୍ୱାମୀଙ୍କୁ ହତ୍ୟା ପାଇଁ ସୁପାରୀ ଦେବା ଘଟଣାରେ ସିଲ୍ସିଲାଙ୍କ ସମ୍ପୃକ୍ତି ଥିଲେ ବି ପୁଲିସ ତାଙ୍କୁ ଗିରଫ କରିନାହିଁ । ସିଲ୍ସିଲାଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ମିଳିଲେ ତାଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି । ସେହିପରି ସୁନ୍ଦରପଦା ଆପାର୍ଟମେଣ୍ଟରେ ସିଲ୍ସିଲା ନିଜ ନାଁ ବଦଳାଇ ଛଦ୍ମ ନାମରେ ରହୁଥିବା କଥା ଜଣାପଡ଼ିଛି । ହେଲେ ଏହି କଥାକୁ ସିଲ୍ସିଲା ଖଣ୍ଡନ କରିଛନ୍ତି ।