ମୁମ୍ବାଇ: ଚଳିତ ଆଇପିଏଲ୍ର ପଞ୍ଚଦଶ ସଂସ୍କରଣରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ୧୬ ରନ୍ରେ ପରାସ୍ତ କର ଚତୁର୍ଥ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ ପାଇଁ ଆହ୍ୱାନ ପାଇଥିବା ଆର୍ସିବି ୫ ୱିକେଟ୍ରେ ୧୮୯ ରନ୍ କରିଥିଲା । ଏହାର ଜବାବ ଦେବାକୁ ଯାଇ ଦିଲ୍ଲୀ ୭ ୱିକେଟ୍ ହରାଇ ୧୭୩ ରନ୍ କରିପାରିଥିଲା ।
ଆର୍ସିବିର ପ୍ରଥମ ୫ ଜଣରୁ ୪ ଜଣ ବ୍ୟାଟ୍ସମ୍ୟାନ୍ ଫେଲ୍ ମାରିବା ପରେ ଗ୍ଲେନ୍ ମ୍ୟାକ୍ସୱେଲ୍ ୩୪ଟି ବଲ୍ ଖେଳି ୭ଟି ଚୌକା ଓ ୨ଟି ଛକା ମାଧ୍ୟମରେ ୫୫ ରନ୍ର ଇନିଂସ ଖେଳିଥିଲେ । ସେ ଆଉଟ୍ ହେବା ପରେ ଶାହବାଜ୍ ଅହମ୍ମଦ ଓ ଦିନେଶ କାର୍ତ୍ତିକଙ୍କ ମଧ୍ୟରେ ପଞ୍ଚମ ୱିକେଟ୍ରେ ଅବିଭାଜିତ ୯୭ ରନ୍ ଯୋଡ଼ିବା ଫଳରେ ଆର୍ସିବି ବଡ଼ ସ୍କୋର୍ କରିଥିଲା । କାର୍ତ୍ତିକ ମାତ୍ର ୩୪ଟି ବଲ୍ରେ ୫ଟି ଲେଖାଏଁ ଚୌକା ଓ ଛକା ଜରିଆରେ ୬୬ ରନ୍ ଏବଂ ଶାହବାଜ୍ ୩ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୩୨ ରନ୍ କରିଥିଲେ । ଦିଲ୍ଲୀ ପକ୍ଷରୁ ଶାର୍ଦ୍ଦୁଲ୍ ଠାକୁର, ଖଲିଲ୍ ଅହମ୍ମଦ, ଅକ୍ଷର ପଟେଲ୍ ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ବ୍ୟାଟିଂରେ ଦଳ ପକ୍ଷରୁ ଓପନର ଡେଭିଡ୍ ୱାର୍ଣ୍ଣର୍ ୩୮ଟି ବଲ୍ରେ ୪ଟି ଚୌକା ଓ ୫ଟି ଛକା ମାଧ୍ୟମରେ ୬୬ ରନ୍ କରିଥିଲେ । ସେ ଓପନିଂ ଯୋଡ଼ିରେ ପୃଥ୍ୱୀ ଶ’ଙ୍କ ସହ ୫୦ ଓ ଦ୍ୱିତୀୟ ୱିକେଟ୍ରେ ମିଚେଲ୍ ମାର୍ଶ (୧୪)ଙ୍କ ସହ ୪୪ ରନ୍ ଯୋଡ଼ିଥିଲେ । ଅଧିନାୟକ ଋଷଭ ପନ୍ତ୍ ୧୭ଟି ବଲ୍ରେ ୩ଟି ଚୌକା ଓ ୨ଟି ଛକା ମାଧ୍ୟମରେ ୩୪ ରନ୍ କରିଥିଲେ । ଏହାଛଡ଼ା ଶାର୍ଦ୍ଦୁଲ୍ ଠାକୁର ୨ଟି ଛକା ସହ ୧୭ ରନ୍ କରିଥିଲେ । ଆର୍ସିବି ପକ୍ଷରୁ ଜୋଶ୍ ହେଜଲଉଡ୍ ୩ଟି ଓ ମହମ୍ମଦ ସିରାଜ୍ ୨ଟି ୱିକେଟ୍ ନେଇଥିଲେ ।
ସଂକ୍ଷିପ୍ତ ସ୍କୋର୍: ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍-୧୮୯/୫, ୨୦ ଓଭର୍ (ଦିନେଶ କାର୍ତ୍ତିକ-୬୬, ଗ୍ଲେନ୍ ମ୍ୟାକ୍ସୱେଲ୍-୫୫, ଶାର୍ଦ୍ଦୁଲ୍ ଠାକୁର-୨୭/୧, ଅକ୍ଷର ପଟେଲ୍-୨୯/୧); ଦିଲ୍ଲୀ କ୍ୟାପିଟାଲ୍ସ-୧୭୩/୭, ୨୦ ଓଭର୍ (ଡେଭିଡ୍ ୱାର୍ଣ୍ଣର୍-୬୬, ଋଷଭ ପନ୍ତ୍-୩୪, ଜୋଶ୍ ହେଜଲଉଡ୍-୨୮/୩, ମହମ୍ମଦ ସିରାଜ୍-୩୧/୨) ।