ଡର୍ବି : ଭାରତୀୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ଓ ପାକିସ୍ତାନୀ ୱିକେଟ୍କିପର୍ ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜ୍ୱାନ୍ ଗୁରୁବାର କାଉଣ୍ଟି ଚାମ୍ପିଅନ୍ଶିପ୍ର ଦ୍ୱିତୀୟ ଡିଜିଜନ୍ରେ ଡର୍ବିଶାୟାର ବିପକ୍ଷରେ ସସେକ୍ସ ପକ୍ଷରୁ ଡେବ୍ୟୁ କରିଛନ୍ତି । ପୂଜାରା ପୂର୍ବରୁ ଇଂଲଣ୍ଡରେ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିସାରିଥିବା ବେଳେ ରିଜ୍ୱାନ୍ ପ୍ରଥମ ଥର ପାଇଁ ଖେଳୁଛନ୍ତି । ଟମ୍ ଡାନେସ୍ଙ୍କ ନେତୃତ୍ୱାଧୀନ ସସେକ୍ସର ଚୂଡ଼ାନ୍ତ ଏକାଦଶରେ ଉଭୟ ସ୍ଥାନ ପାଇଛନ୍ତି । ଟସ୍ ଜିଣି ଡର୍ବିଶାୟାର୍ ବ୍ୟାଟିଂ ନିଷ୍ପତ୍ତି ନେଇଥିବାରୁ ପୂଜାରା ଓ ରିଜ୍ୱାନ୍ ଦ୍ୱିତୀୟ ଦିନ ବ୍ୟାଟିଂ କରିବା ସମ୍ଭାବନା ରହିଛି । ସାଉଥ୍ ଆଫ୍ରିକା ବିପକ୍ଷ ସିରିଜ୍ରୁ ବାଦ୍ ପଡ଼ିବା ପରେ ପୂଜାରା ଏହି ମ୍ୟାଚ୍ରେ ଉନ୍ନତ ପ୍ରଦର୍ଶନ ସହ ଭାରତୀୟ ଟେଷ୍ଟ୍ ଟିମ୍କୁ ଫେରିବା ଆଶାରେ ରହିଛନ୍ତି ।
ଅନ୍ୟପକ୍ଷରେ ଦୁଇବର୍ଷ ଧରି ପାକିସ୍ତାନ ପକ୍ଷରୁ ସମସ୍ତ ଫର୍ମାଟ୍ରେ ଉନ୍ନତ ପ୍ରଦର୍ଶନ କରିଆସିଥିବା ରିଜ୍ୱାନ୍ ଏହି ଧାରାକୁ ଜାରି ରଖିବାକୁ ଆଶା କରିବେ । ସସେକ୍ସ ପ୍ରଥମ ମ୍ୟାଚ୍ରେ ନଟିଂହାମ୍ଶାୟାର୍ଠାରୁ ୧୦ ୱିକେଟ୍ରେ ପରାସ୍ତ ହେବା ପରେ ମୁଖ୍ୟ କୋଚ୍ ଇଆନ୍ ସାଲିସ୍ବରୀ ଡର୍ବିଶାୟାର ବିପକ୍ଷ ମ୍ୟାଚ୍ରେ ଏହି ଦୁଇ ବିଦେଶୀ ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଛନ୍ତି । ଏକ ବିବୃତିରେ ସାଲିସ୍ବରୀ କହିଛନ୍ତି, ‘ପୂଜାରା ଓ ରିଜ୍ୱାନ୍ଙ୍କ ପରି କ୍ୱାଲିଟି ଖେଳାଳିଙ୍କୁ ଟିମ୍ରେ ସାମିଲ କରାଇବାରେ ସକ୍ଷମ ହୋଇଥିବାରୁ ମୁଁ ବିଶେଷ ଉତ୍ସାହିତ । ଏହି ବିଶ୍ୱସ୍ତରୀୟ କ୍ରିକେଟର୍ଙ୍କ ଉପସ୍ଥିତି କେବଳ କ୍ରିଜ୍ରେ ଆମର ପ୍ରଦର୍ଶନକୁ ବୃଦ୍ଧି କରିବ ନାହିଁ ବରଂ ଡ୍ରେସିଂ ରୁମ୍ରେ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବ ।’