ମୁମ୍ବାଇ : ଅପ୍କମିଙ୍ଗ କମେଡି-ଡ୍ରାମା ଫିଲ୍ମ ‘ମିଷ୍ଟର୍ ମମ୍ମି’ର ସୁଟିଂ ଶେଷ କରିଛନ୍ତି ଅଭିନେତ୍ରୀ ଜେନେଲିଆ ଡି’ସୌଜା । ଅଭିନେତା ତଥା ସ୍ୱାମୀ ରିତେଶ ଦେଶମୁଖ ଏଥିରେ ତାଙ୍କ ସହ ସ୍କ୍ରିନ୍ ଶେୟାର କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶାଦ୍ ଅଲି । ଗତ ମାସ ଇଂଲଣ୍ଡର ବିଭିନ୍ନ ସ୍ଥାନରେ ଫିଲ୍ମର ପ୍ରଡକ୍ସନ୍ କାମ ଆରମ୍ଭ ହୋଇଥିଲା ।
ଫିଲ୍ମର ସୁଟିଂ ଶେଷ ହେବା କଥା ଜେନେଲିଆ ଟ୍ୱିଟ୍ କରି ଫ୍ୟାନ୍ଙ୍କୁ ଜଣାଇଛନ୍ତି । ଜଣେ ଦମ୍ପତିଙ୍କ ଉପରେ ଫିଲ୍ମଟି ପର୍ଯ୍ୟବସିତ । ଏହି ଭୂମିକାରେ ଅଭିନୟ କରିଛନ୍ତି ଜେନେଲିଆ ଓ ରିତେଶ । ସନ୍ତାନ ଜନ୍ମ କଥା ସାମ୍ନାକୁ ଆସିବା ପରେ ଉଭୟଙ୍କ ଭିନ୍ନ ମତ ଦେଖିବାକୁ ମିଳିଛି । କିନ୍ତୁ ପିଲାଦିନର ଏହି ଯୋଡ଼ିଙ୍କ ଭାଗ୍ୟରେ ଆଉ କିଛି ଲେଖାଅଛି, ଯାହା ପରଦାରେ ଦେଖିବା ବେଶ ମଜାଦାର ହେବ ବୋଲି ମେକର୍ କହିଛନ୍ତି । ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଅଛି ଟି-ସିରିଜ୍ ଓ ହେକ୍ଟିକ୍ ସିନେମା ପ୍ରାଇଭେଟ୍ ଲିଃ. । ୪ର୍ଥ ଥର ପାଇଁ ଜେନେଲିଆ ଓ ରିତେଶ ଫିଲ୍ମରେ ସ୍କ୍ରିନ୍ ଶେୟାର କରୁଛନ୍ତି । ୨୦୦୩ରେ ମୁକ୍ତିପ୍ରାପ୍ତ ଫିଲ୍ମ ‘ତୁଝେ ମେରି କସମ୍’ ଜରିଆରେ ଉଭୟ ଏକସଙ୍ଗେ ପରଦାରେ ନଜର ଆସିଥିଲେ । ଏହା ପରେ ‘ମସ୍ତି’ ଓ ‘ତେରେ ନାଲ୍ ଲଭ୍ ହୋ ଗୟା’ରେ ଦୁହେଁ କାମ କରିଥିଲେ ।