ବୁଏନସ୍ ଏରିଜ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲର୍ ଡିଏଗୋ ମାରାଡୋନାଙ୍କ ଇଂଲଣ୍ଡ ବିପକ୍ଷ “ହ୍ୟାଣ୍ଡ୍ ଅଫ୍ ଗଡ୍’ ଗୋଲ୍ ସ୍କୋର୍ ସମୟର ଶାର୍ଟ ନିଲାମ ହେବା ସକାଶେ ପୂର୍ବରୁ ଘୋଷଣା ହୋଇଛି । ଇଂଲଣ୍ଡର ପୂର୍ବତନ ଖେଳାଳି ତଥା ଆଲୋଚ୍ୟ ମ୍ୟାଚ୍୍ରେ ଇଂଲିଶ୍ ଦଳର ସଦସ୍ୟ ଥିବା ଷ୍ଟିଭ୍ ହଜ୍ ଏହାକୁ ନିଲାମ କରିବେ । ଏହି ଶାର୍ଟର ନିଲାମ ବାବଦରେ ପାଖାପାଖି ୫.୨ ନିୟୁତ ଡଲାର୍ ଆୟ ହେବାର ସମ୍ଭାବନା ରହିଛି । ସେହିପରି ଏହି ଅକ୍ସନ୍ ପରିଚାଳନା ଦାୟିତ୍ୱ ସୋଦେବାଏଜ୍ ନେଇଛି । କିନ୍ତୁ ଏବେ ଏହି ମାମଲାରେ ଟ୍ୱିଷ୍ଟ୍ ଦେଖାଦେଇଛି । କାରଣ ବାସ୍ତବରେ ନିଲାମ ହେବାକୁ ଥିବା ଶାର୍ଟଟି ତାଙ୍କ ପିତା “ହ୍ୟାଣ୍ଡ୍ ଅଫ୍ ଗଡ୍’ ଗୋଲ୍ ସ୍କୋର୍ କରିବା ସମୟରେ ପିନ୍ଧି ନ ଥିଲେ ବୋଲି ସ୍ୱର୍ଗତଃ ମାରାଡୋନାଙ୍କ କନ୍ୟା ଡଲ୍ମା କହିଛନ୍ତି । ତାଙ୍କ କହିବାନୁସାରେ, ପିତା ମାରାଡୋନା ଉକ୍ତ ମ୍ୟାଚ୍ର ପ୍ରଥମାର୍ଦ୍ଧ ଖେଳରେ ଯେଉଁ ଶାର୍ଟଟି ପରିଧାନ କରିଥିଲେ, ତାହା ହିଁ ନିଲାମ ହେବାକୁ ଯାଉଛି । ମ୍ୟାଚ୍ର ପ୍ରଥମାର୍ଦ୍ଧରେ କୌଣସି ଗୋଲ୍ ହୋଇ ନ ଥିଲା । ତେଣୁ ନିଲାମ ହେବାକୁ ଥିବା ଶାର୍ଟଟି “ହ୍ୟାଣ୍ଡ୍ ଅଫ୍ ଗଡ୍’ ଗୋଲ୍ ସ୍କୋର୍ କରିବା ବେଳର ନୁହେଁ ବୋଲି ଡଲମା କହିଛନ୍ତି । ଏଥିସହ ଉକ୍ତ ଗୋଲ୍ ସମୟରେ ତାଙ୍କ ପିତା ଯେଉଁ ଶାର୍ଟଟି ପରିଧାନ କରିଥିଲେ ତାହା ଏବେ ଅନ୍ୟ ଜଣକଙ୍କ ପାଖରେ ରହିଛି ବୋଲି ଡଲମା କହିଥିଲେ ହେଁ ତାଙ୍କ ନାମ ନେବାକୁ ଉଚିତ ମଣି ନ ଥିଲେ । କିନ୍ତୁ ଅକ୍ସନର୍ ସୋଦେବାୟଜ୍ ଏହାକୁ ଖଣ୍ଡନ କରିଛନ୍ତି । ଉକ୍ତ ଶାର୍ଟଟି ହିଁ ମାରାଡୋନା “ହ୍ୟାଣ୍ଡ୍ ଅଫ୍ ଗୋଲ୍’ ସ୍କୋର୍ କରିବା ସମୟରେ ପିନ୍ଧିଥିଲେ ବୋଲି ଯଥେଷ୍ଟ ତଥ୍ୟ ପ୍ରମାଣ ରହିଛି ବୋଲି ଅକ୍ସନର୍ଙ୍କ ପକ୍ଷରୁ କୁହାଯାଇଛି । ମାରାଡୋନା ମ୍ୟାଚ୍ ଶେଷ ହେବା ପରେ ଉକ୍ତ ଶାର୍ଟଟି ହଜ୍ଙ୍କ ସହ ଶେୟାର୍ କରିଥିବା ସୂଚନା ଦେଇଥିଲେ ବୋଲି ମଧ୍ୟ କୁହାଯାଇଛି ।