27.1 C
Bhubaneswar
Wednesday, November 6, 2024
Homeଓଡିଶାଧରାନପଡ଼ିବା ନେଇ ଅଧୀକ୍ଷଣ ଯନ୍ତ୍ରୀଙ୍କ ଚାଲ୍ : ମୃତ ଶାଶୂଙ୍କ ନାଁରେ ୬୪ଲକ୍ଷ ଜମା

ଧରାନପଡ଼ିବା ନେଇ ଅଧୀକ୍ଷଣ ଯନ୍ତ୍ରୀଙ୍କ ଚାଲ୍ : ମୃତ ଶାଶୂଙ୍କ ନାଁରେ ୬୪ଲକ୍ଷ ଜମା

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଆୟବର୍ହିଭୁତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ଚଢଉ ଜାରି ରହିଥିବା ବେଳେ ଯେତେ ଖୋଜିଲେ ସେତେ ଟଙ୍କା ବିଭିନ୍ନ ଆକାଉଣ୍ଟରୁ ମିଳୁଛି । ତାଙ୍କ ଟଙ୍କା ନେଣଦେଣର ଲିଙ୍କ୍ ଖୋଜିବାକୁ ଯାଇ ଭିଜିଲାନ୍ସ ଏକ ବଡ଼ ତଥ୍ୟ ହାତେଇଛି । ଶ୍ରୀ ଦାସ ବେଆଇନ ଭାବେ ଉପାର୍ଜିତ ଧନକୁ ଲୁଚାଇ ରଖିବା ପାଇଁ ତାଙ୍କ ମୃତ ଶାଶୂଙ୍କୁ ବି ଛାଡ଼ିନଥିବା ଜଣାପଡ଼ିଛି । ୧୨ବର୍ଷ ତଳେ ଆରପାରିକୁ ଚାଲିଯାଇଥିବା ଶାଶୂଙ୍କ ନାଁରେ ଶ୍ରୀ ଦାସ ଦୁଇଟି ଆକାଉଣ୍ଟ(ଆକ୍ସିସ୍ ବ୍ୟାଙ୍କ, ଏସ୍‌ବିଆଇ)ରେ ଖୋଲିଥିଲେ । ଏଥିରୁ ଆକ୍ସିସ୍ ବ୍ୟାଙ୍କ ଆକାଉଣ୍ଟରେ ୬୪ଲକ୍ଷ ଟଙ୍କା ଜମା କରିଛନ୍ତି । ଏହିସବୁ ଟଙ୍କାକୁ ସେ ମାତ୍ର ୧ବର୍ଷ ୮ମାସ ମଧ୍ୟରେ ଜମା କରିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଖାଲି ଏତିକି ନୁହେଁ, ଶ୍ରୀ ଦାସ ତାଙ୍କର ଚାକର, ସଂପର୍କୀୟଙ୍କ ନାମରେ ମଧ୍ୟ ଆକାଉଣ୍ଟ ଖୋଲି କଳା ଟଙ୍କା ଜମା ରଖିଥିବା ଦେଖିବାକୁ ମିଳିଛି । ତେବେ ୨୦୧୦ ଅକ୍ଟୋବର ୩୧ ତାରିଖରେ ଶ୍ରୀ ଦାସଙ୍କ ଶାଶୂର ମୃତ୍ୟୁ ହୋଇଥିବାବେଳେ ତାଙ୍କ ନାଁରେ ଆକାଉଣ୍ଟ ଖୋଲି ଲକ୍ଷାଧିକ ଟଙ୍କା ଜମା ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଭିଜିଲାନ୍ସ ସୂଚନା ଅନୁଯାୟୀ, ଶ୍ରୀ ଦାସ ତାଙ୍କ ଶାଶୂଙ୍କ ଆକ୍ସିସ୍ ବ୍ୟାଙ୍କ ଆକାଉଣ୍ଟରେ ୨୦୨୦ମସିହା ଜୁଲାଇ ୧୧ତାରିଖରୁ ୨୦୨୨ମସିହା ମାର୍ଚ୍ଚ ୨୫ ତାରିଖ ମଧ୍ୟରେ ୬୪ ଲକ୍ଷ ଟଙ୍କା ଜମା କରିଛନ୍ତି । ବହୁ ସମୟରେ ସେ ୨ଲକ୍ଷରୁ ତଳକୁ ଟଙ୍କା ଅର୍ଥାତ୍ (୧ଲକ୍ଷ ୯୮ହଜାର) ଜମା କରିଥିଲେ । ତେବେ ଶ୍ରୀ ଦାସଙ୍କର ଏବେ ସୁଦ୍ଧା ୯କୋଟି ଟଙ୍କାର ବେଆଇନ ସମ୍ପତ୍ତି ଠାବ ହୋଇସାରିଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଆହୁରି ଯାଞ୍ଚ ଚାଲିଛି । ଅଧୀକ୍ଷଣ ଯନ୍ତ୍ରୀ କିପରି ଏତେ ସମ୍ପତ୍ତି ହାତେଇଲେ, କେଉଁଠାରୁ ଏତେ ଟଙ୍କା ସେ ଆଣିଥିଲେ, ସେନେଇ ତଦନ୍ତ ଚାଲିଛି । ସେପଟେ ଭିଜିଲାନ୍ସ ବିଭାଗ ପକ୍ଷରୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବେନାମୀ ଆକାଉଣ୍ଟ ଗୁଡିକ ଏଥର ଯାଞ୍ଚ କରାଯିବ ବୋଲି କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ଦାସଙ୍କ ଘରେ ଗତ ୨୫ତାରିଖରେ ଚଢ଼ଉ କରାଯାଇଥିଲା । ଲଗାତାର ୫ଦିନ ଧରି ଭିଜିଲାନ୍ସ ଯାଞ୍ଚ କରି ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା । ଏହାପରେ ୩୦ ତାରିଖରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ପରେ ଭିଜିଲାନ୍ସ ପକ୍ଷରୁ ୭ଦିନିଆ ରିମାଣ୍ଡ ଆବେଦନ ହୋଇଥିବାବେଳେ କୋର୍ଟ ୪ଦିନ ଅନୁମତି ଦେଇଥିଲେ । ଏହି ସମୟରେ ଜେରା କରିବାରୁ ତାଙ୍କର ବେନାମୀ ଟଙ୍କା କେଉଁଠି ଜମା କରିଥିଲେ, ସେନେଇ ଶ୍ରୀ ଦାସ ମୁହଁ ଖୋଲିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking