19.1 C
Bhubaneswar
Friday, November 22, 2024
Homeଖେଳଆଇସିସି ମହିଳା ଦିନିକିଆ ର‌୍ୟାଙ୍କିଙ୍ଗ୍ : ଖସିଲେ ମିତାଲି, ଉଠିଲେ ମନ୍ଧାନା

ଆଇସିସି ମହିଳା ଦିନିକିଆ ର‌୍ୟାଙ୍କିଙ୍ଗ୍ : ଖସିଲେ ମିତାଲି, ଉଠିଲେ ମନ୍ଧାନା

ଦୁବାଇ: ଆଇସିସି ପକ୍ଷରୁ ମଙ୍ଗଳବାର ପ୍ରକାଶିତ ମହିଳା ଦିନିକିଆ ର‌୍ୟାଙ୍କିଙ୍ଗ୍‌ରେ ଭାରତୀୟ କ୍ୟାପ୍‌ଟେନ୍ ମିତାଲି ରାଜ୍ ବ୍ୟାଟିଂ ତାଲିକାରେ ଗୋଟିଏ ସ୍ଥାନ ହରାଇଥିବା ବେଳେ ଷ୍ଟାର୍ ଓପ୍‌ନର୍ ସ୍ମୃତି ମନ୍ଧାନା ଗୋଟିଏ ସ୍ଥାନ ଉପରକୁ ଉଠି ନବମରେ ପହଞ୍ଚିଛନ୍ତି । ନିକଟରେ ଶେଷ ହୋଇଥିବା ମହିଳା ବିଶ୍ୱକପ୍‌ରେ ଖରାପ ପ୍ରଦର୍ଶନ କରିଥିବା ମିତାଲି ୬୮୬ ରେଟିଂ ପଏଣ୍ଟ୍ ସହ ବ୍ୟାଟିଂ ର‌୍ୟାଙ୍କିଙ୍ଗ୍‌ର ସପ୍ତମ ସ୍ଥାନକୁ ଖସି ଆସିଛନ୍ତି । ଭାରତୀୟ କ୍ୟାପ୍‌ଟେନ୍ ଟୁର୍ଣ୍ଣାମେଣ୍ଟ୍‌ରେ ମୋଟ ସାତଟି ମ୍ୟାଚ୍‌ରୁ ୨୬ ହାରାହାରିରେ ମୋଟ ୧୮୨ ରନ୍ କରିଥିଲେ । ଅନ୍ୟପକ୍ଷରେ ମନ୍ଧାନା (୬୬୯ ପଏଣ୍ଟ) ସାତଟି ମ୍ୟାଚ୍‌ରୁ ୪୬.୭୧ ହାରରେ ମୋଟ ୩୨୭ ରନ୍ କରିଥିଲେ । ଏହା ମଧ୍ୟରେ ଗୋଟିଏ ଶତକ (୧୨୩ ରନ୍‌) ସାମିଲ ଥିଲା । ଏହି ଦୁହିଁଙ୍କ ବ୍ୟତୀ ଭାଇସ୍ କ୍ୟାପ୍‌ଟେନ୍ ହରମନ୍‌ପ୍ରୀତ୍ କୌର୍ ଗୋଟିଏ ସ୍ଥାନ ଉପରକୁ ଉଠି ଚତୁର୍ଦ୍ଦଶରେ ପହଞ୍ଚିଛନ୍ତି । ବିଶ୍ୱକପ୍‌ରେ ସେ ୩୧୮ ରନ୍ ସହ ଭାରତ ପକ୍ଷରୁ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର୍ ଥିଲେ । ୧୦୯ ରନ୍ ତାଙ୍କର ସର୍ବଶ୍ରେଷ୍ଠ ଥିଲା ।
ଇଂଲଣ୍ଡ ବିପକ୍ଷ ଫାଇନାଲ୍‌ରେ ୧୭୦ ରନ୍ ସ୍କୋର୍ କରିବା ପରେ ଅଷ୍ଟ୍ରେଲୀୟ ୱିକେଟ୍‌କିପର୍‌-ବ୍ୟାଟର୍ ଆଲିସା ହିଲି ବ୍ୟାଟିଂ ର‌୍ୟାଙ୍କିଙ୍ଗ୍ ଶୀର୍ଷକୁ ଉଠିଛନ୍ତି । ସେ ସ୍ୱଳ୍ପ ସମୟ ପାଇଁ ଶୀର୍ଷ ସ୍ଥାନରେ ଥିବା ସାଉଥ୍ ଆଫ୍ରିକାର ଲୌରା ୱଲ୍‌ଭାର୍ଟଙ୍କୁ ହଟାଇ ଦେଇଛନ୍ତି । ବିଶ୍ୱକପ୍‌ରେ ୩୨ ବର୍ଷୀୟ ହିଲି ୧୦୩.୬୬ ଷ୍ଟ୍ରାଇକ୍ ରେଟ୍‌ରେ ଦୁଇଟି ଲେଖାଏଁ ଶତକ ଓ ଅର୍ଦ୍ଧଶତକ ସହିତ ମୋଟ ୫୦୯ ରନ୍ କରିଥିଲେ । ୍ ହିଲିଙ୍କ ସମେତ ସଦ୍ୟତମ ଦିନିକିଆ ର‌୍ୟାଙ୍କିଙ୍ଗ୍‌ର ଶୀର୍ଷ ଛଅଟି ସ୍ଥାନରେ ଅଷ୍ଟ୍ରେଲିଆର ଚାରିଜଣ ବ୍ୟାଟର ବେଥ୍ ମୁନି, ମେଗ୍ ଲାନିଙ୍ଗ୍ ଓ ରାଚେଲ୍ ହେନ୍ସ ରହିଛନ୍ତି । ଫାଇନାଲ୍‌ରେ ଅପରାଜିତ ୧୪୮ ରନ୍ ସ୍କୋର୍ କରିଥିବା ଇଂଲଣ୍ଡ ଅଲ୍‌ରାଉଣ୍ଡର୍ ନାଟ୍ ସିଭର୍ ବ୍ୟାଟିଂ ର‌୍ୟାଙ୍କିଙ୍ଗ୍‌ର ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି । ସେହିପରି ନିଜର ଆକର୍ଷଣୀୟ ପ୍ରଦାନ ଫଳରେ ସେ ଏଲିସ୍ ପେରୀଙ୍କୁ ହଟାଇ ଅଲ୍‌ରାଉଣ୍ଡର୍ ଶୀର୍ଷସ୍ଥାନ ମଧ୍ୟ କବ୍‌ଜା କରିଛନ୍ତି । ଇଂଲଣ୍ଡ ସ୍ପିନର୍ ସୋଫି ଏକ୍ଲେଷ୍ଟୋନ୍ ବୋଲିଂ ର‌୍ୟାଙ୍କିଙ୍ଗ୍ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ସାଉଥ୍ ଆଫ୍ରିକା ପେସର୍ ଶବନିମ୍ ଇସ୍‌ମାଇଲ୍ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି । ଅନ୍ୟପକ୍ଷରେ ଭେଟେରାନ୍ ଇଂଲିଶ୍ ସ୍ୱିଙ୍ଗ୍ ବୋଲର୍ ଆନ୍ୟ ଶ୍ରୁବ୍‌ସୋଲ୍ ପାଞ୍ଚଟି ସ୍ଥାନ ଉପରକୁ ଉଠି ବୋଲିଂ ତାଲିକାର ଶୀର୍ଷ ୧୦ରେ ପ୍ରବେଶ କରିଛନ୍ତି । ଭେଟେରାନ୍ ଭାରତୀୟ ପେସର୍ ଝୁଲନ୍ ଗୋସ୍ୱାମୀ ବୋଲିଂ ତାଲିକାର ପଞ୍ଚମ ସ୍ଥାନରେ କାଏମ ଥିବାବେଳେ ଅଲ୍‌ରାଉଣ୍ଡର୍ ର‌୍ୟାଙ୍କିଙ୍ଗ୍‌ର ଦଶମ ସ୍ଥାନରେ ଅଛନ୍ତି । ଅନ୍ୟତମ ଭାରତୀୟ ଅଲ୍‌ରାଉଣ୍ଡର୍ ଦୀପ୍ତି ଶର୍ମା ସପ୍ତମ ସ୍ଥାନରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking