27.1 C
Bhubaneswar
Saturday, October 19, 2024
Homeଓଡିଶା୬ ବର୍ଷରେ ରାଜ୍ୟରେ ୨୮ ହଜାର କରିଛନ୍ତି ଆତ୍ମହତ୍ୟା

୬ ବର୍ଷରେ ରାଜ୍ୟରେ ୨୮ ହଜାର କରିଛନ୍ତି ଆତ୍ମହତ୍ୟା

ଭୁବନେଶ୍ୱର: ନିକଟରେ ଭଦ୍ରକ ଜିଲ୍ଲାରେ ଦୁଇ ଦମ୍ପତିଙ୍କ ଆତ୍ମହତ୍ୟା ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଥିଲା । ନିର୍ବାଚନରେ ପରାଜୟ ପରେ ବିଜୟୀ ପ୍ରାର୍ଥୀଙ୍କ ଟାହିଟାପରା ସହିନପାରି ସ୍ୱାମୀ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ବେଳେ ସ୍ତ୍ରୀ ବିଷ ପିଇ ଦେଇଥିଲେ । ଘଟଣା ସ୍ଥଳରେ ସ୍ୱାମୀ ଜୀବନ ହାରିଥିଲେ ଏବଂ ସ୍ୱାମୀଙ୍କ ଦଶାହ ଦିନ ହସ୍ପିଟାଲରେ ସ୍ତ୍ରୀ ଶେଷ ନିଶ୍ୱାସ ଛାଡ଼ିଥିଲେ । ଏହି ଦୁଃଖଦ ଘଟଣା ଏବେ ବି ରାଜ୍ୟବାସୀଙ୍କ ମନରୁ ଲିଭିନଥିବା ବେଳେ ଓଡ଼ିଶାରେ ଆତ୍ମହତ୍ୟା ଘଟଣାକୁ ନେଇ ସାଙ୍ଘାତିକ ଚିତ୍ର ସାମ୍ନାକୁ ଆସିଛି । ସଦ୍ୟ ପ୍ରକାଶିତ ସରକାରୀ ତଥ୍ୟ ମୁତାବକ ରାଜ୍ୟରେ ପ୍ରତିବର୍ଷ ଆତ୍ମହତ୍ୟା ମାମଲା ବଢ଼ିଚାଲିଛି । କେବଳ ୨୦୧୬ରୁ ୨୦୨୧, ଏହି ୬ ବର୍ଷ ମଧ୍ୟରେ ଓଡ଼ିଶାରେ ୨୮,୨୪୯ଟି ଆତ୍ମହତ୍ୟା ମାମଲା ପଞ୍ଜିକୃତ ହୋଇଛି ।

୨୦୧୬ରେ ରାଜ୍ୟର ବିଭିନ୍ନ ପୁଲିସ ଷ୍ଟେସନରେ ୩,୮୮୪ଟି ଆତ୍ମହତ୍ୟା ମାମଲା ପଞ୍ଜିକୃତ ହୋଇଛି । ୨୦୧୭ରେ ୪,୧୫୨ଟି, ୨୦୧୮ରେ ୪,୪୪୭ଟି, ୨୦୧୯ରେ ୪,୬୩୬ଟି, ୨୦୨୦ରେ ୫,୪୮୨ଟି ଏବଂ ୨୦୨୧ରେ ୫,୬୪୯ଟି ମାମଲା ପଞ୍ଜିକୃତ ହୋଇଛି । ଅର୍ଥାତ୍ ପ୍ରତିବର୍ଷ ଆତ୍ମହତ୍ୟା ମାମଲା ବଢ଼ି ଚାଲିଥିବା ନଜର ଆସିଛି । ୨୦୧୬ରୁ ୨୦୧୯ରେ ଏହି ମାମଲା ସଂଖ୍ୟା ୪ ହାଜର ଭିତରେ ରହିଥିବା ବେଳେ କରୋନା ମହାମାରୀ ପ୍ରବେଶ କରିବା ପରେ ବର୍ଷ ୨୦୨୦ ଏବଂ ୨୦୨୧ରେ ଆତ୍ମହତ୍ୟା ମାମଲା ସଂଖ୍ୟା ୫ ହଜାର ଉପରକୁ ଟପିଛି ।

ଗତ ୬ ବର୍ଷ ମଧ୍ୟରେ କଟକ ସହରରେ ସର୍ବାଧିକ ୩,୩୨୫ଟି ଆତ୍ମହତ୍ୟା ମାମଲା ପଞ୍ଜିକୃତ ହୋଇଛି । ୨୦୧୬ରେ କଟକର ସହରାଞ୍ଚଳ ପୁଲିସ ଥାନାଗୁଡ଼ିକରେ ୩୪୯ଟି ଏଭଳି ମାମଲା ପହଞ୍ଚିଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ବଢ଼ିକରି ୮୭୫ ହୋଇଛି । ତେବେ କଟକ ଜିଲ୍ଲାର ଗ୍ରାମାଞ୍ଚଳରୁ ଏହି ସମୟ ମଧ୍ୟରେ ମାତ୍ର ୨୮୩ଟି ମାମଲା ସାମ୍ନାକୁ ଆସିଛି । ଅନ୍ୟପଟେ ସମ୍ବଲପୁର ଜିଲ୍ଲାରେ ଏହି ୬ ବର୍ଷରେ ୨,୮୦୨ଟି ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଥିବା ବେଳେ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ୧୬୯୭ ଜଣ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏହି ସମାନ ସମୟରେ ଆତ୍ମହତ୍ୟା ମାମଲାରେ ମୟୂରଭଞ୍ଜ ଜିଲ୍ଲା ଚତୁର୍ଥରେ ରହିଛି । ଯେଉଁଠି ୧୬୪୦ଟି ମାମଲା ପଞ୍ଜିକୃତ ହୋଇଛି । ଅନପଟେ ବୌଦ୍ଧ ଜିଲ୍ଲାରୁ ସବୁଠୁ କମ୍ ୯୬ଟି ଆତ୍ମହତ୍ୟା ମାମଲା ଏହି ୬ ବର୍ଷ ମଧ୍ୟରେ ସାମ୍ନାକୁ ଆସିଛି ।

ରାଜଧାନୀ ଭୁବନେଶ୍ୱର କଥା କହିଲେ, ଏହି ୬ ବର୍ଷ ମଧ୍ୟରେ ୧୫୫୭ଟି ଆତ୍ମହତ୍ୟା ଘଟଣା ଏଠାରେ ଘଟିଛି । କେବଳ ୨୦୨୧ରେ ଭୁବନେଶ୍ୱରରେ ୨୮୨ଟି ଏଭଳି ମାମଲା ପଞ୍ଜିକୃତ ହୋଇଛି । ୨୦୨୦ରେ ୩୧୦ଟି ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୧୬ରେ ୧୬୫ଟି ଆତ୍ମହତ୍ୟା ଘଟଣା ରିପୋର୍ଟ ହୋଇଛି । ତେବେ ଓଡ଼ିଶାରେ ଏଭଳି ଆତ୍ମହତ୍ୟା ଘଟଣା ଦିନକୁ ଦିନ ବୃଦ୍ଧି ପାଇବାକୁ ନେଇ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି । ପାରିବାରିକ କଳହ, ଅର୍ଥନୈତିକ ସମସ୍ୟା, ସାମାଜିକ ଚଳଣିରେ ଅସୁବିଧା, ବିବାହ ଓ ପ୍ରେମ ଜନିତ ସମସ୍ୟା ଅନେକାଂଶରେ ଏହାର କାରଣ ହୋଇଥିବା ବେଳେ ଅବସାଦ ବା ଡିପ୍ରେସନ୍ ବର୍ତ୍ତମାନର ଯୁଗରେ ଆତ୍ମହତ୍ୟାର ଏକ ପ୍ରମୁଖ କାରଣ ସାଜିଥିବା ବିଶେଷଜ୍ଞ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking