ସାଲେପୁର : ଅଧିକ ଯୌତୁକ ଦାବି କରି ବଧୂହତ୍ୟା। କଟକ ଜିଲ୍ଲା ସାଲେପୁର ଥାନା ନଈଗୁଆଁ ଗ୍ରାମରେ ଏଭଳି ଘଟଣା ଘଟିଛି। ଅଧିକ ଯୌତୁକ ଦାବି କରି ଶାଶୁଘର ଲୋକ ମିଶି ଝିଅକୁ ହତ୍ୟା କରିଥିବା ବାପଘର ଲୋକ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ସାଲେପୁର ତହସିଲଦାର ଓ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନାନୁଯାୟୀ, ସାଲେପୁର ଥାନା ନଈଗୁଆଁ ଗ୍ରାମର ପାଣୁ ମହାରଣାଙ୍କ ପୁଅ ବିଜୟ ମହାରଣାଙ୍କ ସହ ରୀନା ଓଝାଙ୍କର ୬ ବର୍ଷ ତଳେ ବୈଦିକ ରୀତିରେ ବିବାହ ହୋଇଥିଲା। ରୀନାଙ୍କ ଘର ସାଲେପୁର ଥାନା ଲୁଣାହାର ଗ୍ରାମରେ। ବିବାହ ସମୟରେ ବର ପକ୍ଷର ଦାବି ମୁତାବକ ରୀନାଙ୍କ ବାପଘର ଲୋକ ଯୌତୁକ ଦେଇଥିଲେ। ହେଲେ ବିବାହ ପରେ ଶାଶୁ ଘର ଲୋକ ଆହୁରି ୫୦ ହଜାର ଟଙ୍କା ଦାବି କରିଆସୁଥିଲେ। ଏହା ସହ ରୀନାଙ୍କି ନିର୍ଯାତନା ଦେଉଥିଲେ। ତେବେ ଗତକାଲି ରୀନାଙ୍କୁ ତାଙ୍କ ଶାଶୁ ଘର ଲୋକ କୌଣସି କାରଣକୁ ନେଇ ମାଡ଼ ମାରି ହତ୍ୟା କରିବା ପରେ ସାଲେପୁର ମେଡିକାଲକୁ ଆଣିଥିଲେ। ଏହାପରେ ବାପ ଘର ଲୋକଙ୍କୁ ଖବର ଦେଇଥିଲେ।
ଏହି ଘଟଣା ପରେ ରୀନାଙ୍କ ବାପ ଘର ଲୋକେ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ସାଲେପୁର ତହସିଲଦାର ଓ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହ ଅଭିଯୁକ୍ତ ଶ୍ଵଶୁରଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ।