18.1 C
Bhubaneswar
Tuesday, November 26, 2024
Homeଆଇପିଏଲ୍ -2022ହାଇଦ୍ରାବାଦକୁ ୬୧ ରନରେ ହରାଇଲା ରାଜସ୍ଥାନ

ହାଇଦ୍ରାବାଦକୁ ୬୧ ରନରେ ହରାଇଲା ରାଜସ୍ଥାନ

ପୁଣେ: ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ପଞ୍ଚମ ମ୍ୟାଚ୍‌ଟି ଏଠାକାର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ବେଳେ ଏଥିରେ ରାଜସ୍ଥାନ ରୟାଲ୍ସ ୬୧ ରନ୍‌ରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ ପାଇ ରାଜସ୍ଥାନ ୬ ୱିକେଟ୍ ହରାଇ ୨୧୦ ରନ୍ କରିଥିବା ବେଳେ ଏହାର ଜବାବରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୭ ୱିକେଟ୍‌ରେ ୧୪୯ ରନ୍ କରିପାରିଥିଲା । ରାଜସ୍ଥାନ ପକ୍ଷରୁ ଦୁଇ ଓପନର ଜୋସ୍ ବଟଲର୍ ଓ ଯଶସ୍ୱୀ ଜୈସ୍ୱାଲ୍ ୫୮ ରନ୍ ଯୋଡ଼ିବା ପରେ ଜୈସ୍ୱାଲ୍ ୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୨୦ ରନ୍ କରିଥିବା ସମୟରେ ଆଉଟ୍ ହୋଇଥିଲେ । ପରେ ଏକାଧିକ ଜୀବନଦାନ ପାଇଥିବା ବଟଲର୍ ୩ଟି ଲେଖାଏଁ ଚୌକା ଓ ଛକା ଜରିଆରେ ୩୫ ରନ୍ କରି ବିଦାୟ ନେଇଥିଲେ । ତୃତୀୟ ୱିକେଟ୍‌ରେ ଅଧିନାୟକ ସଞ୍ଜୁ ସାମ୍‌ସନ୍ ଓ ଦେବଦତ୍ତ ପାଡିକଲ୍‌ଙ୍କ ମଧ୍ୟରେ ୭୩ ରନ୍‌ର ଭାଗୀଦାରୀ ହେବା ଫଳରେ ଦଳ ବଡ଼ ସ୍କୋର୍ ଆଡ଼କୁ ଅଗ୍ରସର ହୋଇଥିଲା । ପାଡିକଲ୍ ୨୯ଟି ବଲ୍‌ରେ ୨ଟି ଚୌକା ଓ ୩ଟି ଛକା ସହ ୪୧ ରନ୍ କରି ଆଉଟ୍ ହୋଇଥିବା ବେଳେ ସାମ୍‌ସନ୍ ମାତ୍ର ୨୭ ବଲ୍‌ରେ ୩ଟି ଚୌକା ଓ ୫ଟି ଛକା ଜରିଆରେ ୫୫ ରନ୍‌ର ଦ୍ରୁତ ଇନିଂସ ଖେଳିଥିଲେ ।

ଏହାଛଡ଼ା ଶେଷ ଭାଗରେ ଶିମରୋନ୍ ହେଟମାୟେର୍ ମାତ୍ର ୧୩ଟି ବଲ୍‌ର ସମ୍ମୁଖୀନ ହୋଇ ୨ଟି ଚୌକା ଓ ୩ଟି ଛକା ମାଧ୍ୟମରେ ୩୨ ରନ୍ କରି ଦଳୀୟ ସ୍କୋର୍‌କୁ ୨୦୦ ଟପାଇଥିଲେ । ଏହାଛଡ଼ା ରିୟାନ୍ ପରାଗ୍ ୨ଟି ଚୌକା ସହ ୧୨ ରନ୍‌ର ଅବଦାନ ଦେଇଥିଲେ । ହାଇଦ୍ରାବାଦ ପକ୍ଷରୁ ଉମରାନ୍ ମଲିକ ଓ ଟି. ନଟରାଜନ୍ ୨ଟି ଲେଖାଏଁ ଏବଂ ଭୁବନେଶ୍ୱର କୁମାର ଓ ରୋମାରିଓ ଶେଫର୍ଡ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଜବାବରେ ହାଇଦ୍ରାବାଦ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇ ମାତ୍ର ୩୭ ରନ୍ ମଧ୍ୟରେ ୫ ଜଣ ଶୀର୍ଷ ଭାଗ ବ୍ୟାଟ୍ସମ୍ୟାନ୍‌ଙ୍କୁ ହରାଇଥିଲା । ଅଧିନାୟକ ତଥା ଓପନର କେନ୍ ୱିଲିୟମ୍‌ସନ୍ ୨, ତାଙ୍କ ଯୋଡ଼ିଦାର ଅଭିଷେକ ଶର୍ମା ୯ ଓ ଅବଦୁଲ୍ ସମଦ୍ ୪ ରନ୍ କରି ଆଉଟ୍ ହୋଇଥିବା ବେଳେ ରାହୁଲ୍ ତ୍ରିପାଠୀ ଓ ନିକୋଲାସ୍ ପୂରନ୍ ଖାତା ବି ଖୋଲିପାରି ନ ଥିଲେ । ଷଷ୍ଠ ୱିକେଟ୍‌ରେ ଆଇଡେନ୍ ମାର୍କରାମ୍ ଓ ଶେଫର୍ଡ ୪୧ ରନ୍ ଯୋଡ଼ି ସ୍ଥିତିକୁ ସୁଧାରିବାକୁ ଉଦ୍ୟମ କରିଥିଲେ । ଶେଫର୍ଡ ୨ଟି ଛକା ସହ ୨୪ ରନ୍ କରି ଆଉଟ୍ ହେବା ପରେ ଏହି ଭାଗୀଦାରୀ ଭାଙ୍ଗିଥିଲା । ଏହାପରେ ୱାଶିଂଟନ୍ ସୁନ୍ଦର ମାତ୍ର ୧୪ ବଲ୍‌ରେ ୫ଟି ଚୌକା ଓ ୨ଟି ଛକା ସହ ୪୦ ରନ୍ ଏବଂ ମାର୍କରାମ ୫ଟି ଚୌକା ଓ ୨ଟି ଛକା ସହ ଅପରାଜିତ ୫୭ ରନ୍ କରିଥିଲେ । ରାଜସ୍ଥାନ ପକ୍ଷରୁ ୟୁଜବେନ୍ଦ୍ର ଚହଲ୍ ସର୍ବାଧିକ ୩ଟି ଏବଂ ଟ୍ରେଣ୍ଟ୍ ବୋଲ୍ଟ ଓ ପ୍ରସିଦ୍ଧ କ୍ରିଷ୍ଣା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ସଂକ୍ଷିପ୍ତ ସ୍କୋର୍‌: ରାଜସ୍ଥାନ ରୟାଲ୍ସ-୨୧୦/୬, ୨୦ ଓଭର୍ (ସଞ୍ଜୁ ସାମ୍‌ସନ୍‌-୫୫, ଦେବଦତ୍ତ ପାଡିକଲ୍‌-୪୧, ଉମରାନ୍ ମଲିକ-୩୯/୨, ଟି. ନଟରାଜନ୍‌-୪୩/୨), ସନ୍‌ରାଇଜର୍ସ ହାଇଦ୍ରାବାଦ-୧୪୯/୭, ୨୦ ଓଭର୍ (ଆଇଡେନ୍ ମାର୍କରାମ୍‌-୫୭³, ୱାଶିଂଟନ୍ ସୁନ୍ଦର-୪୦, ୟୁଜବେନ୍ଦ୍ର ଚହଲ୍‌-୨୨/୩)

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking