21.1 C
Bhubaneswar
Sunday, November 24, 2024
Homeଓଡିଶାଜଳ ସଙ୍କଟ ଉତ୍କଟ: ପାଣି ପାଇଁ ୬ ୱାର୍ଡ ବାସିନ୍ଦା ନାକେଦମ

ଜଳ ସଙ୍କଟ ଉତ୍କଟ: ପାଣି ପାଇଁ ୬ ୱାର୍ଡ ବାସିନ୍ଦା ନାକେଦମ

ଯାଜପୁର: କୋରେଇ ବ୍ଲକ୍‌ର ସଦର ମହକୁମାରେ ଜଳ ସଙ୍କଟ । ପଞ୍ଚାୟତରେ ଦୀର୍ଘ ୨୦ ବର୍ଷ ମଧ୍ୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଦୁଇଟି ମେଗା ଜଳ ପ୍ରକଳ୍ପ ହୋଇଥିବା ବେଳେ ପିଇବା ପାଇଁ ପାଇଁ ହନ୍ତସନ୍ତ ହେଉଛନ୍ତି ପଞ୍ଚାୟତର ୬ଟି ୱାର୍ଡର ଶତାଧିକ ଲୋକେ । ଏଭଳି ସାଙ୍ଗାତିକ ଅବସ୍ଥା ଦେଖାଦେଇଛି ବ୍ଲକ୍‌ର ସଦର ମହକୁମା ବୋଲାଉଥିବା ସାଦକପୁର ପଞ୍ଚାୟତରେ । ସାଦକପୁର ପଞ୍ଚାୟତ ଫାଜଲପୁର ଗ୍ରାମର ୱାର୍ଡ ନମ୍ବର ୫, ୬, ୭, ୮ ଓ ୯ରେ ପାଖାପାଖି ୨ ହଜାରରୁ ଊର୍ଦ୍ଧ୍ୱ ଲୋକ ବାସ କରନ୍ତି । ଗ୍ରାମୀଣ ଜଳ ଯୋଗାଣ ଯୋଜନାରେ ଫାଜଲପୁର ଠାରୁ ମାତ୍ର କିଛି ମିଟର ଦୂରରେ ହୋଇଛି ବସୁଧା ଯୋଜନାରେ ଜଳ ପ୍ରକଳ୍ପ । ୫ ଲକ୍ଷ କ୍ଷମତା ବିଶିଷ୍ଟ ଓଭରହେଡ୍ ଟାଙ୍କି ଜରିଆରେ ପଞ୍ଚାୟତର ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ଏହି ଟାଙ୍କିରୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ କହୁଥିବା ବେଳେ ଦୀପ ତଳ ଅନ୍ଧାର ଭଳି ଟାଙ୍କିର ନିକଟରେ ଥିବା ଲୋକଙ୍କୁ ଏଯାଏଁ ମିଳିପାରିନି ପିଇବା ପାଣି । ଫଳରେ ଫାଜଲପୁର ଗ୍ରାମର ଶତାଧିକ ଲୋକ ପ୍ରତ୍ୟେକ ଦିନ ପାଣିପାଇଁ ନିକଟସ୍ଥ ନଳକୂପ ଓ ଟିୟୁବୱେଲ ଉପରେ ଭରସା କରି ଚଳୁଛନ୍ତି ।
ଭୌଗୋଳିକ ଦୃଷ୍ଟି କୋଣରୁ ସାଦକପୁର ପଞ୍ଚାୟତ ଏକ ପଥୁତିଆ ସ୍ଥାନ ହୋଇଥିବା ବେଳେ ଭୂଳତ ଜଳର ପରିମାଣ ମଧ୍ୟ ଅହି ଅଞ୍ଚଳରେ ଅପେକ୍ଷାକୃତ କମ୍ । ଫଳରେ ନଳକୂପ ବା ଟିୟୁବ୍‌ୱେଲରୁ ମଧ୍ୟ ସହଜେ ଏବଂ ଆବଶ୍ୟକ ମୁତାବକ ପାଣି ବାହାରିବା ମୁସ୍କିଲ୍ । ଏପରିସ୍ଥଳେ ଏବେ ଖରାଦିନ ଆସିଯାଇଥିବାରୁ ପିଇବା ପାଇଁ ହନ୍ତସନ୍ତ ହୋଇ ଗ୍ରାମବାସୀ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର ବେହେରାଙ୍କ ନିକଟରେ ଗୁହାରି କରିଛନ୍ତି । ସରପଞ୍ଚ ଶ୍ରୀ ବେହେରା ଏନେଇ କୋରେଇ ବିଡିଓଙ୍କ ସମେତ ବ୍ୟାସନଗର ତହସିଲଦାର, ଗ୍ରାମ୍ୟ ଜଳଯୋଗାଣ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି । ବହୁଦିନ ଧରି ଏହି ୬ଟି ୱାର୍ଡର ଶତାଧିକ ଲୋକ ପାଇବା ପାଣି ପାଇଁ ଦାବି କରୁଥିବା ବେଳେ ବ୍ଲକ୍ ପ୍ରଶାସନ ଏବଂ ଜନ ପ୍ରତିନିଧି ଏହାକୁ ଅଣଦେଖା କରି କେବଳ ପ୍ରତିଶ୍ରୁତି ଦେଇଥିବ ଶ୍ରୀ ବେହେରା କହିଛନ୍ତି । ତେବେ ଜଳ ପ୍ରକଳ୍ପ ଯୋଜନା କେବଳ କାଗଜକଲମରେ ସୀମିତ ରହିଥିବା ବେଳେ ଲୋକଙ୍କ କାମରେ ତାହା ଲାଗି ପାରୁନାହିଁ ବୋଲି ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking