ଗଜପତି: ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏଠିକାର ଲୋକେ ପାହାଡିଆ ଜଙ୍ଗଲ ଭରା ଜାଗାରେ ରୁହନ୍ତି । ନା ଅଛି କୌଣସି ସୁବିଧା । ଖାଲି କାଗଜପତ୍ରରେ ଉଲ୍ଲେଖ ରହିଛି ଉନ୍ନତି । ଆଗେ ଯେପରି ଜଙ୍ଗଲରୁ ଫଳ ମୂଳ ଆଦାୟ କରି ପରିବାର ପୋଷଣ ସହ ପାହାଡିଆ ପାଣି ପିଇବାକୁ ପଡୁଥିଲା ଏବେ ମଧ୍ୟ ସେହି ଅବସ୍ଥାରେ ଗତ କରିଛି ବିକାଶ । ନାମକୁ ମାତ୍ର ଏଠି ବସୁଧା ଯୋଜନା । ବାଟବଣା ହେଉଛି ବସୁଧା ଯୋଜନା ନାମରେ ଟଙ୍କା ।
ମୋହନା ବ୍ଲକ୍ର କର୍ଚ୍ଚବାଡି ପଞ୍ଚାୟତ ୩ନମ୍ବର ୱାର୍ଡ ଯାହା କି ପଞ୍ଚାୟତ ଠାରୁ ମାତ୍ର ୫କି.ମି ଦୂର ପରମଙ୍ଗା । ଏଠି ବାସ କରନ୍ତି ୧୨୮ପରିବାରର ଜନସଂଖ୍ୟା ପ୍ରାୟ ୬୦୦ରୁ ଊର୍ଦ୍ଧ୍ୱ । ଏଠି ପକ୍କା ଘର କମ୍ ରହିଥିବା ବେଳେ ଚାଳ ଛପର ରହିଛି ଅଧିକ । ଘର ମୁଖ୍ୟ ସମସ୍ୟା କହିଲେ ଗ୍ରାମରେ ୭ଟି ନଳକୂପ ଖନନ ହୋଇଥିବା ବେଳେ କାମରେ ଲାଗୁନି ଗୋଟିଏ ମଧ୍ୟ । ଅଚଳ ହୋଇ ପଡିଛି ସବୁ ନଳକୂପ । ସୋଲାର ଯୋଗେ ପାଣି ଯୋଗାଇବା ପାଇଁ କାମ ହୋଇଥିଲେ ମଧ୍ୟ ତାହା କିଛିଦିନ ଚାଲିବା ପରେ ଅଚଳ ହୋଇପଡିଛି । ଏ ବିଷୟରେ ଗ୍ରାମବାସୀ ଲିଖିତ ଏକ ଅଭିଯୋଗ ପୂର୍ବତନ ବିଡିଓ ବଂଶୀଧର ଖୁସଲାଙ୍କୁ ଦେଇଥିଲେ । କିନ୍ତୁ କୌଣସି କାମ ହୋଇନାହିଁ । ସେଭଳି ପାନୀୟ ଜଳ ଯୋଗାଣ ବିଭାଗକୁ ମଧ୍ୟ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ଯନ୍ତ୍ରୀ କର୍ଣ୍ଣପାତ କରୁନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ଅନ୍ୟପଟେ ଗ୍ରାମବାସୀ ଗତ ଶୁକ୍ରବାର ପୁଣି ମୋହନା ବିଡିଓଙ୍କୁ ଭେଟି ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ପାନୀୟ ଜଳ ଯୋଗାଣ ତୁରନ୍ତ ନହେଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ।