ଭୁବନେଶ୍ୱର: ଆସନ୍ତା ୧ ତାରିଖରୁ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ତେବେ ୩୧ ତାରିଖରେ ଗ୍ରୀଷ୍ଣ ପ୍ରବାହ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁାଳ, କଳାହାଣ୍ଡି ଓ ସମ୍ବଲପୁରରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଅଧିକ ରହିବ । ଆଗାମୀ ଦୁଇ ଦିନରେ ଉତ୍ତର-ପଶ୍ଚିମ ତଥା ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଉତ୍ତପ୍ତ-ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ସୂଚନା ଦିଆଯାଇଛି । ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅଧିକ ରହିବ । ଅଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ଉପକୂଳ, ଆଭ୍ୟନ୍ତର ଜିଲ୍ଲାଗୁଡ଼ିକର ତାପମାତ୍ରା ଅପେକ୍ଷାକୃତ କମ୍ ରହିଥିବା ବେଳେ ଲଗାତାର କିଛି ଦିନ ହେବ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହୁଛି । ଆଜି ରାଜ୍ୟର ୭ ସହର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବାବେଳେ ସେଥିମଧ୍ୟରୁ ୬ଟି ସହର ପଶ୍ଚିମ ଓଡ଼ିଶାର ରହିଛି । ରାଜ୍ୟର ସର୍ବାଧିକ ତାପମାତ୍ରା ବଲାଙ୍ଗିରରେ ୪୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବାରିପଦା ୪୦.୮ ଡିଗ୍ରୀ, ଟିଟିଲାଗଡ ୪୦.୫ ଡିଗ୍ରୀ, ତାଳଚେର ୪୦.୨ ଡିଗ୍ରୀ ଏବଂ ଅନୁଗୁଳ ଏବଂ ସୁବର୍ଣ୍ଣପୁରର ତାପମାତ୍ରା ୪୦.୧ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ୩୮ ଡିଗ୍ରୀରୁ ଅଧିକ ତାପମାତ୍ରା ରହିଥିବା ସହରଗୁଡିକ ମଧ୍ୟରେ ଝାରସୁଗୁଡା ୩୯.୬ଡିଗ୍ରୀ ରହିଥିବା ବେଳେ ସମ୍ବଲପୁର ୩୯.୨ ଡିଗ୍ରୀ, ସୁନ୍ଦରଗଡ ୩୯.୫ ଡିଗ୍ରୀ, ହିରାକୁଦ ୩୮.୧ ଡିଗ୍ରୀ, ଭବାନୀପାଟଣା ୩୯.୬ ଡିଗ୍ରୀ, ମାଲକାନଗିରି ୩୯ ଡିଗ୍ରୀ, ନୟାଗଡ ୩୮ ଡିଗ୍ରୀ, ଛତ୍ରପୁର ୩୮ ଡିଗ୍ରୀ, ଭଦ୍ରଖର ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ କରାଯାଇଛି । ଉଭୟ ଭୁବନେଶ୍ୱର ଏବଂ କଟକର ତାପମାତ୍ରା ୩୭.୨ ଡିଗ୍ରୀ ରହିଥିଲା ।