ନୂଆଦିଲ୍ଲୀ: ଦୁଇ ଜଣ ସ୍କୁଲ ପିଲାଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଝଗଡ଼ା ତୀବ୍ର ରୂପ ଧାରଣ କରିଛି। ସ୍କୁଲ ଝଗଡ଼ା ବେଳେ ଗୁଳି ଚାଲିବାରୁ ଜଣେ ୧୯ ବର୍ଷୀୟ ଯୁବକ ପ୍ରାଣ ହରାଇଛନ୍ତି। ପୁଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପିସ୍ତଲକୁ ଜବତ କରିଛି। ଗୁଳି ମାଡ଼ରେ ପ୍ରାଣ ହରାଇଥିବା ଯୁବକ ଜଣଙ୍କ ଗଣ୍ଡଗୋଳ କରିବାକୁ ଭଡ଼ାରେ ଆସିଥିଲେ। ତାଙ୍କୁ ଝଗଡ଼ା କରୁଥିବା ଗୋଟିଏ ପକ୍ଷରୁ ପିଲାମାନେ ଡାକିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ଦିଲ୍ଲୀର ଦ୍ୱାରକା ଅନ୍ତର୍ଗତ ସେକ୍ଟର ୧୬ ଏ’ରେ ଥିବା ଗୋଟିଏ ସ୍କୁଲ ବାହାରେ ଏପରି ଘଟଣା ଘଟିଛି। ସ୍କୁଲରେ ପାଠପଢ଼ୁଥିବା ଦୁଇ ଜଣ ପିଲାଙ୍କ ମଧ୍ୟରେ ମାରପିଟ ଚାଲିଥିବା ବେଳେ ଅଭିଯୁକ୍ତ ଜଣଙ୍କ ୧୯ ବର୍ଷୀୟ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି।
ମାରପିଟ କରୁଥିବା ଦୁଇ ଜଣ ପିଲାଙ୍କ ମଧ୍ୟରୁ ଜଣେ ୧୯ ବର୍ଷୀୟ ଖୁର୍ସିଦଙ୍କୁ ସ୍କୁଲ ନିକଟକୁ ଡାକିଥିଲେ। ତେବେ ସ୍କୁଲ ଆଗରେ ପହଞ୍ଚି ସେ କିଛି କରିବା ପୂର୍ବରୁ ତାଙ୍କୁ ବିରୋଧୀ ଗୋଷ୍ଠୀ ପକ୍ଷରୁ ଗୁଳିମାଡ଼ କରାଯାଇଥିଲା। ପୁଲିସ୍ କହିଛି ଯେ ଗୁଳିମାଡ଼ରେ ପ୍ରାଣ ହରାଇଥିବା ଖୁର୍ସିଦ ମଧ୍ୟ ଜଣେ ଛାତ୍ର। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଶାହିଲ ଓରଫ ମୋନୁ। ଗୁଳିମାଡ଼ ପରେ ଖୁର୍ସିଦଙ୍କୁ ତାରକ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ପୁଲିସ୍ ଅଭିଯୁକ୍ତ ମୋନୁଙ୍କ ବିରୋଧରେ ଆର୍ମସ ଆକ୍ଟ ଲଗାଇଛି। ହେଲେ ସେ ଗୁଳିମାଡ଼ କରିଥିବାର କୌଣସି ସାକ୍ଷୀ ନଥିବାରୁ ପୁଲିସ୍ ଘଟଣାର ଅଧିକ ଛାନଭିନ ଆରମ୍ଭ କରିଛି।