ଭୁବନେଶ୍ୱର/ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ୍ ମାସ ୨୦ ପରେ ଦେଶର ବିଭିନ୍ନ ସ୍କୁଲ୍ରେ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ବିଭିନ୍ନ ବୋର୍ଡ ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଛି । ଦୁଇରୁ ଅଢ଼େଇ ବର୍ଷ ହେଲା ଛାତ୍ରଛାତ୍ରୀମାନେ ପାଠପଢ଼ାରୁ ଦିଗ ହରାଇ ସାରିଥିବା ବେଳେ ଏବେ ଶୈକ୍ଷିକ ବାତାବରଣକୁ କିଭଳି ସୁଦୃଢ଼ କରିହେବ ସେଥିପାଇଁ ବିଭିନ୍ନ ରାଜ୍ୟର ଶିକ୍ଷକ ଏବଂ ଅଭିଭାବକ ସଂଘ ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଥର ଭଳି ଚଳିତ ଥର ମଧ୍ୟ ପିଲାମାନଙ୍କୁ ଚାପ ମୁକ୍ତ କରିବା ପାଇଁ ନାନା ଉପଦେଶ ଦେବା ପାଇଁ ପରୀକ୍ଷା ପେ’ ଚର୍ଚ୍ଚା ଆୟୋଜନ କରିଥିବା ଗତ ୨୪ ତାରିଖରେ ଘୋଷଣା କରିଛନ୍ତି ।
ଆସନ୍ତା ଏପ୍ରିଲ୍ ୧ରେ ନୂଆଦିଲ୍ଲୀର ତାଲ୍କାତୋରା ଷ୍ଟାଡିୟମ୍ରେ ପ୍ରଧାନମନ୍ତ୍ରୀ ମୋଦି ପିଲାମାନଙ୍କୁ ପରୀକ୍ଷା ବିଷୟରେ ଉଦ୍ବୋଧନ ଦେବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଦୂରଦର୍ଶନ ସମେତ ରେଡିଓରେ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯିବାକୁ ଥିବା ବେଳେ ଇଣ୍ଟର୍ନେଟ୍ର ବିଭିନ୍ନ ୱେବ୍ସାଇଟ୍ ସମେତ ସବୁଠୁ ବଡ଼ ସୋସିଆଲ୍ ମିଡିଆ ଭିଡିଓ ପ୍ଲାଟ୍ଫର୍ମ ୟୁଟ୍ୟୁବ୍ରେ ମଧ୍ୟ ପ୍ରସାରଣ କରାଯିବ । କାର୍ଯ୍ୟକ୍ରମରେ ପରୀକ୍ଷା ସମ୍ବନ୍ଧୀୟ ନାନା ବିଷୟ, ପିଲାଙ୍କ ସମସ୍ୟା ଉପରେ ଆଲୋଚନା କରାଯିବାକୁ ଯୋଜନା ରହିଥିବା ବେଳେ ଏଥିରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ଅଭିଭାବକଗଣ ଯୋଗ ଦେବାକୁ ନିବେଦନ କରାଯାଇଛି । ଦେଶର ୨୮ଟି ସ୍କୁଲ୍ ତଥା ବୋର୍ଡ ମୁଖ୍ୟାଳୟକୁ ଏ ସମ୍ପର୍କିତ ସୂଚନା ପ୍ରଦାନ କରାଯାଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀମାନେ ବିନମ୍ର ସହକାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ କୁହାଯାଇଛି ।