ବାସେଲ୍ : ଚଳିତ ସ୍ୱିସ୍ ଓପନ୍ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ରୁ ବାଦ୍ ପଡ଼ିଛନ୍ତି ଭାରତର ପ୍ରମୁଖ ମହିଳା ଶଟଲର୍ ସାଇନା ନେହ୍ୱାଲ୍ । ସେ ଟୁର୍ଣ୍ଣାମେଣ୍ଟ୍ର ଦ୍ୱିତୀୟ ରାଉଣ୍ଡ୍ରେ ମାଲେସିଆର କିସୋନା ସେଲଭାଡୁରେଙ୍କଠାରୁ ୨୧-୧୭, ୧୩-୨୧, ୧୩-୨୧ ଗେମ୍ରେ ପରାସ୍ତ ହୋଇଛନ୍ତି । ଅନ୍ତର୍ଜାତୀୟ ର୍ୟାଙ୍କିଙ୍ଗ୍ରେ ସାଇନାଙ୍କ ସ୍ଥାନ ୨୩ରେ ଥିଲେ ହେଁ ଗୁରୁବାର ରାତିରେ ଖେଳାଯାଇଥିବା ମୁକାବିଲାରେ ସେ ହାରିଯାଇଛନ୍ତି । ଅନ୍ୟପକ୍ଷରେ ତାଙ୍କ ସାଥୀ ଖେଳାଳି ପିଭି ସିନ୍ଧୁ ତାଙ୍କ ବିଜୟ ଅଭିଯାନ ଜାରି ରଖି କ୍ୱାର୍ଟର୍ ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି । ମହିଳା ସିଙ୍ଗଲ୍ସରେ ସିନ୍ଧୁ ଗୁରୁବାର ରାତିରେ ଖେଳାଯାଇଥିବା ଦ୍ୱିତୀୟ ରାଉଣ୍ଡ୍ ମୁକାବିଲାରେ ତୁର୍କୀର ନେସଲିହାନ୍ ୟିଗିଟଙ୍କୁ ୨୧-୧୯, ୨୧-୧୪ରେ ପରାସ୍ତ କରି ଶେଷ ୮ ଖେଳାଳିଙ୍କ ମଧ୍ୟରେ ସାମିଲ୍ ହୋଇଛନ୍ତି ।
ଏହାଛଡ଼ା ପୁରୁଷ ସିଙ୍ଗଲ୍ସରେ ୱାର୍ଲ୍ଡ ଚାମ୍ପିଅନଶିପ୍ ରୌପ୍ୟ ପଦକ ବିଜେତା କିଦାମ୍ବୀ ଶ୍ରୀକାନ୍ତ ଫ୍ରାନ୍ସର କ୍ରିଷ୍ଟୋ ପୋପୋଭ୍ଙ୍କୁ ୧୩-୨୧, ୨୫-୨୩, ୨୧-୧୧ରେ ହରାଇ କ୍ୱାର୍ଟର୍କୁ ଉନ୍ନୀତ ହୋଇଛନ୍ତି । କ୍ୱାର୍ଟର୍ରେ ଦ୍ୱିତୀୟ ସିଡ୍ ସିନ୍ଧୁଙ୍କ ମୁକାବିଲାରେ ପଞ୍ଚମ ସିଡ୍ କାନାଡାର ମିଚେଲ୍ ଲି କିମ୍ବା ଡେନ୍ମାର୍କର ଲିେ କ୍ରିଷ୍ଟୋଫରସନ୍ଙ୍କ ସହ ହେବ । ଅନ୍ୟପକ୍ଷରେ ଶ୍ରୀକାନ୍ତ ଦ୍ୱିତୀୟ ସିଡ୍ ଡେନ୍ମାର୍କ ଖେଳାଳି ଆଣ୍ଡର୍ସ ଆଣ୍ଟୋନ୍ସନ୍ଙ୍କୁ ଭେଟିବେ । ଏହାଛଡ଼ା ଅନ୍ୟତମ ଭାରତୀୟ ଖେଳାଳି ଭାବେ ଏଚ୍ଏସ୍ ପ୍ରଣୟ ମଧ୍ୟ କ୍ୱାର୍ଟର୍ରେ ପହଞ୍ଚିଛନ୍ତି । ଏହି ପୂର୍ବତନ ଶୀର୍ଷ ୧୦ ଖେଳାଳି ଜଣକ ଫିନ୍ଲାଣ୍ଡ୍ର କାଲେ କୋଲିନେନ୍ଙ୍କ ବିପକ୍ଷରେ ୧୯-୨୧, ୨୧-୧୩, ୨୧-୯ରେ ବିଜୟୀ ହୋଇ ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି ।
ଆହୁରି ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣପଦକ ବିଜେତା ପାରୁପାଲ୍ଲୀ କାଶ୍ୟପ ମଧ୍ୟ କ୍ୱାର୍ଟର୍ରେ ପହଞ୍ଚିଛନ୍ତି । ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭିକ୍ଟର ଆକ୍ସେଲସନ୍ ଦ୍ୱିତୀୟ ରାଉଣ୍ଡ୍ ମୁକାବିଲାରୁ ଓହରିଯିବାରୁ କାଶ୍ୟପ ପରବର୍ତ୍ତୀ ରାଉଣ୍ଡ୍ରେ ପହଞ୍ଚିଛନ୍ତି । କିନ୍ତୁ ପୁରୁଷ ଡବଲ୍ସରେ ତୃତୀୟ ସିଡ୍ ଯୋଡ଼ି ସାତ୍ତ୍ୱିକସାଇରାଜ୍ ରାଙ୍କିରେଡ୍ଡୀ-ଚିରାଗ୍ ଶେଟ୍ଟୀ ୧୯-୨୧, ୨୦-୨୨ରେ ପ୍ରଦ୍ୟୁମ୍ନ କୁସୁମାୱର୍ଦ୍ଦନେ ଓ ୟେରେମିଆ ଏରିକ୍ ୟୋଚେ ୟାବ୍ ରାମ୍ବିଟଶନ୍ ଯୋଡ଼ିଠାରୁ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛି । ସେହିପରି ମହିଳା ସିଙ୍ଗଲ୍ସରେ ଭାରତର ଅସ୍ମିତା ଚଲିହା ସଂଘର୍ଷପୂର୍ଣ୍ଣ ମୁକାବିଲା କରିଥିଲେ ହେଁ ଶେଷରେ ଦ୍ୱିତୀୟ ରାଉଣ୍ଡ୍ ମୁକାବଲାରେ ଅଷ୍ଟମ ସିଡ୍ ସ୍କଟଲାଣ୍ଡ୍ର କ୍ରିର୍ଷ୍ଟି ଗିଲମୋର୍ଙ୍କଠାରୁ ୧୮-୨୧, ୨୦-୨୨ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି ।