ଲାହୋର: ସିରିଜ୍ର ପ୍ରଥମ ଦୁଇଟି ଟେଷ୍ଟ୍ ଡ୍ର’ ରହିଥିଲେ ମଧ୍ୟ ତୃତୀୟ ଟେଷ୍ଟ୍କୁ ଭ୍ରମଣକାରୀ ଅଷ୍ଟ୍ରେଲିଆ ୧୧୫ ରନ୍ରେ ଜିତି ସିରିଜ୍କୁ ୧-୦ରେ ଜିତିନେଇଛି । ଏଥିସହ ଅଷ୍ଟ୍ରେଲିଆ ୨୪ ବର୍ଷ ପରେ ଏସିଆ ମହାଦେଶରେ ଟେଷ୍ଟ୍ ସିରିଜ୍ ବିଜୟର ସ୍ୱାଦ ଚାଖିପାରିଛି । ବିଜୟ ପାଇଁ ପାକିସ୍ତାନ ୩୫୧ ରନ୍ ଆବଶ୍ୟକ କରୁଥିବା ବେଳେ ଶେଷ ଦିନରେ ୨୩୫ ରନ୍ରେ ଅଲ୍ଆଉଟ୍ ହେବା ଫଳରେ ଅଷ୍ଟ୍ରେଲିଆକୁ ଏହି ବିଜୟ ମିଳିଛି । ବିନା କ୍ଷତିରେ ୭୩ ରନ୍ କରିଥିବା ପାକିସ୍ତାନ ପକ୍ଷରୁ ଶେଷ ଦିନରେ ଓପନର ଇମାମ୍ ଉଲ୍-ହକ୍ ସର୍ବାଧିକ ୭୦ ରନ୍ କରିଥିବା ବେଳେ ଅଧିନାୟକ ବାବର୍ ଆଜମ୍ ୫୫ ରନ୍ କରିଥିଲେ ।
ଏହାଛଡ଼ା ଅନ୍ୟତମ ଓପନର ଅବଦୁଲ୍ଲା ଶଫିକ୍ ୨୭ ଓ ସାଜିଦ୍ ଖାନ୍ ୨୧ ରନ୍ର ସହଯୋଗ ଦେଇଥିଲେ । ଅଷ୍ଟ୍ରେଲିଆ ପାଇଁ ସ୍ପିନର୍ ନାଥନ୍ ଲିଅନ୍ ସଫଳତମ ବୋଲର୍ ଭାବେ ୫ଟି ୱିକେଟ୍ ନେଇଥିବା ବେଳେ ଅଧିନାୟକ ପ୍ୟାଟ୍ କମିନ୍ସ ୩ଟି ୱିକେଟ୍ ନେଇଥିଲେ । ମ୍ୟାଚ୍ରେ ୮ଟି ୱିକେଟ୍ ନେଇଥିବା କମିନ୍ସ ମ୍ୟୃାନ୍ ଅଫ୍ ଦି ମ୍ୟାଚ୍ ଏବଂ ପ୍ରଥମ ଇନିଂସରେ ୯୧ ଓ ଦ୍ୱିତୀୟ ଇନିଂସରେ ଅପରାଜିତ ୧୦୪ ରନ୍ କରିଥିବା ଓପନର ଉସମାନ୍ ଖୱାଜା ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଛନ୍ତି । ଦୁଇ ଦଳ ମଧ୍ୟରେ ଆସନ୍ତା ମଙ୍ଗଳବାରଠାରୁ ଲାହୋର୍ରେ ଦିନିକିଆ ସିରିଜ୍ ଆରମ୍ଭ ହେବ । ଏଥିରେ ୩ଟି ମ୍ୟାଚ୍ ଖେଳାଯିବା ପରେ ଏକମାତ୍ର ଟି-୨୦ ମଧ୍ୟ ଖେଳାଯିବାର କାର୍ଯ୍ୟକ୍ରମ ରହିଛି ।