ଢାକା : ସାଉଥ୍ ଆଫ୍ରିକାରେ ଐତିହାସିକ ଦିନିକିଆ ସିରିଜ୍ ବିଜୟ ପରେ ଜାତୀୟ ଟିମ୍ ପାଇଁ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଗୁରୁବାର ୩.୫ ଲକ୍ଷ ଡଲାର୍ର ଆର୍ଥିକ ପୁରସ୍କାର ଘୋଷଣା କରିଛି । ଏହି ଐତିହାସିକ ବିଜୟ ପାଇଁ ଟିମ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ବୁଧବାର ସେଞ୍ଚୁରିଅନ୍ରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ବାଂଲାଦେଶ ଆୟୋଜକ ସାଉଥ୍ ଆଫ୍ରିକାକୁ ୯ ୱିକେଟ୍ରେ ପରାସ୍ତ କରିବା ସହ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ୨-୧ରେ ଜିତିଥିଲା । ନିର୍ଣ୍ଣାୟକ ମ୍ୟାଚ୍ରେ ସାଉଥ୍ ଆଫ୍ରିକାକୁ ୧୫୪ ରନ୍ରେ ଅଲ୍ଆଉଟ୍ କରିବା ପରେ ବାଂଲାଦେଶ ୨୬.୩ ଓଭର୍ରେ ମାତ୍ର ଗୋଟିଏ ୱିକେଟ୍ ହରାଇ ୧୫୬ ରନ୍ କରି ବିଜୟୀ ହୋଇଥିଲା । ସେଞ୍ଚୁରିଅନ୍ରେ ଖେଳାଯାଇଥିବା ସିରିଜ୍ର ପ୍ରଥମ ମ୍ୟାଚ୍ ବାଂଲାଦେଶ ୩୮ ରନ୍ରେ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ୭ ୱିକେଟ୍ରେ ପରାସ୍ତ ହୋଇଥିଲା । ଏହି ସିରିଜ୍ ବିଜୟ ସହ ଆଇସିସି ଦିନିକିଆ ସୁପର୍ ଲିଗ୍ ଟେବଲ୍ ଶୀର୍ଷରେ ଥିବା ବାଂଲାଦେଶର ସ୍ଥିତି ଆହୁରି ମଜଭୁତ ହୋଇଛି ଏବଂ ଏହା ୨୦୨୩ ବିଶ୍ୱକପ୍ ଯୋଗ୍ୟତା ଅର୍ଜନ ପାଇଁ ଦଳକୁ ଶକ୍ତିଶାଳୀ କରିଛି ।