ଭୁବନେଶ୍ୱର: ଶୁକ୍ରବାର ଠାରୁ ବିଧାନସଭାରେ ଶୀତକାଳିନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ପୁଲିସ ଡ଼ିଜି ସୁନୀଲ ବଂଶଲ ବୁଧବାର ବିଧାନସଭା ପରିସର ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । କମିଶନରେଟ୍ ପୁଲିସ ଓ ସିକ୍ୟୁରିଟି ୱିଙ୍ଗ୍ଙ୍କ ସୁରକ୍ଷା ପ୍ରସ୍ତୁତି ଦେଖି ପୁଲିସ ଡ଼ିଜି ଖୁସି ହୋଇଛନ୍ତି । କୋଭିଡ଼ କଟକଣା କୋହଳ ହୋଇଥିବାରୁ ଅଧିକ ଗହଳି ହେବାର ସମ୍ଭାବନା ରହିଛି । ଏହାକୁ ଧ୍ୟାନରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ସବୁଥର ଭଳି ଏଥର ମଧ୍ୟ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ଏଥିପାଇଁ ୫ଟି କଣ୍ଟ୍ରୋଲ୍ ରୁମ୍ କରାଯାଇଛି । ଉତ୍ତର ଗେଟ୍, ଧାରଣାସ୍ଥଳ ଓ ମିଳିତ କଣ୍ଟ୍ରୋଲରୁମ୍ ହୋଇଛି । ଏହାସହ ୩୨ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।
ଭୁବନେଶ୍ୱର ଡ଼ିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା ରହିଛି । ଏହି ଦାୟିତ୍ୱରେ ୬ଜଣ ଅତିରିକ୍ତ ଏସ୍ପି, ୧୧ଜଣ ଏସିପି, ୧୩ଜଣ ଇନ୍ସିପେକ୍ଟର, ୬୦ଜଣ ଅଧିକାରୀ ଓ ଟ୍ରାଫିକର ୨୦ଜଣ ମୁତୟନ ହେବା ନେଇ ସୂଚନା ମିଳିଛି । ସମ୍ଭାବ୍ୟ ବଡ଼ଧରଣର ଆକ୍ରମଣକୁ ମୁକାବିଲା କରିବା ପାଇଁ ଦୁଇଟି ସ୍ୱତନ୍ତ୍ର ଟାକ୍ଟିକାଲ୍ ୟୁନିଟ୍ ସହ ଷ୍ଟ୍ରାଇକିଂ ଫୋର୍ସ, କୁଇକ୍ ଆକ୍ସନ ଟିମ୍ ବିଧାନସଭା ପରିସରରେ ଅଛନ୍ତି । ଏହାସହ ସାଦାପୋଷାକରେ ଗୁଇନ୍ଦା ବିଭାଗ କର୍ମଚାରୀ, ବାହାରେ ଦୁଇଥାକିଆ ସଶସ୍ତ୍ରକାରୀ ପୁଲିସ ବାହିନୀ ମୁତୟନ ହୋଇଛନ୍ତି । ଏହାସହ ଗୁଇନ୍ଦା ଓ ସ୍ପେଶାଲ ବ୍ରାଞ୍ଚ ମିଳିତ ଭାବେ ସୂଚନା ଦେବାକୁ କୁହାଯାଇଛି ।
ବିଶେଷକରି ଧାରଣାସ୍ଥଳରେ ଗୁଇନ୍ଦା କର୍ମଚାରୀଙ୍କୁ ସକ୍ରିୟ କରାଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ନେଇ ଖବର ମିଳିଲେ, ସେମାନେ ତୁରନ୍ତ ଖବର ଦେବେ । ଏହାସହ ଆତ୍ମାହୂତିକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଜିଲ୍ଲାର ଏସ୍ପିଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି । ସେହିପରି ଆବଶ୍ୟକ ଅନୁସାରେ ସିସିଟିଭି ଲଗାଯାଇଛି । ଏହାସହ ଆତଙ୍କବାଦୀଙ୍କୁ ସାମ୍ନା କରିବା ପାଇଁ ସ୍ୱତନ୍ତ୍ର ଫୋର୍ସର ବ୍ୟବସ୍ଥା କରାଯାଇଛି । ବିଧାନସଭା ସୁରକ୍ଷା ବ୍ୟବସ୍ଥା ସମୀକ୍ଷାରେ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ସମେତ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡ଼ିସିପି ଡ଼. ଉମାଶଙ୍କର ଦାଶ, ଟ୍ରାଫିକ ଡିସିପି ଏସ୍ ସୁଶ୍ରୀଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।