32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ ରାଜଧାନୀ: ଟପ୍ ୧୦୦ରେ ଭାରତର ୬୩ ସହର

ଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ ରାଜଧାନୀ: ଟପ୍ ୧୦୦ରେ ଭାରତର ୬୩ ସହର

ନୂଆଦିଲ୍ଲୀ: ଦିଲ୍ଲୀ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଶ୍ୱର ସବୁଠୁ ପ୍ରଦୂଷିତ ରାଜଧାନୀ ହୋଇଛି । ଗତବର୍ଷ (୨୦୨୧) ତୁଳନାରେ ଦିଲ୍ଲୀରେ ପ୍ରଦୂଷଣ ୧୫ ଗୁଣ ବୃଦ୍ଧି ପାଇଛି । ସେହିପରି ବାୟୁ ଗୁଣବତ୍ତା ଅନୁସାରେ ବିଶ୍ୱର ୧୦୦ ପ୍ରଦୂଷିତ ସହର ମଧ୍ୟରେ ଭାରତର ୬୩ ସହର ସ୍ଥାନ ପାଇଥିବା ସ୍ୱିସ୍ ଫାର୍ମ ଆଇକ୍ଲ୍ୟୁଏୟାର୍ ଦ୍ୱାରା ମଙ୍ଗଳବାର ଜାରି ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟ ଅନୁସାରେ ଗତ ତିନିବର୍ଷ ଧରି ଭାରତର ବାୟୁ ଗୁଣବତ୍ତାରେ ହୋଇ ଆସୁଥିବା ସୁଧାର ୨୦୨୧ରେ ବନ୍ଦ ହୋଇଯିବା ସହ ଏହା ବିପଜ୍ଜନକ ସ୍ଥିତିରେ ପହଞ୍ଚିଥିଲା । ଗତବର୍ଷ ଭାରତର ହାରାହାରି ବାୟୁ ପ୍ରଦୂଷଣ ୫୮.୧ ମାଇକ୍ରୋଗ୍ରାମ୍ ପ୍ରତି ଘନ ମିଟର ଥିଲା, ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଦ୍ୱାରା ନିର୍ଦ୍ଧାରିତ ବାୟୁ ଗୁଣବତ୍ତା ମାନକ (ପାଞ୍ଚ ମାଇକ୍ରୋଗ୍ରାମ ପ୍ରତି ଘନମିଟର ପିଏମ୍ ୨.୫ ସାନ୍ଦ୍ରତା)ର ୧୦ ଗୁଣା । ଏପରିକି ଭାରତ କୌଣସି ଗୋଟିଏ ସହରର ବି ହୁ’ର ମାନକ ପୂରଣ କରିବା ସଫଳ ହୋଇନଥିଲା । ବାୟୁ ପ୍ରଦୂଷଣ କ୍ଷେତ୍ରରେ ଦିଲ୍ଲୀ ବିଶ୍ୱର ଚତୁର୍ଥ ସବୁଠୁ ପ୍ରଦୂଷିତ ସହର ହୋଇଥିବା ବେଳେ ରାଜସ୍ଥାନର ଭିୱାଡି ଏହି ତାଲିକା ଶୀର୍ଷରେ ରହିଛି । ଏହାପରେ ଉତ୍ତର ପ୍ରଦେଶର ଗାଜିଆବାଦ ରହିଛି । ଶୀର୍ଷ ୧୫ଟି ସବୁଠୁ ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୦ଟି ସହର ଥିବାବେଳେ ଏହା ମଧ୍ୟରୁ ଅଧିକାଂଶ ଦିଲ୍ଲୀ ନିକଟବର୍ତ୍ତୀ । ଉତ୍ତର ପ୍ରଦେଶର ଜୌନପୁର ପଞ୍ଚମ ସ୍ଥାନରେ ଥିବାବେଳେ ସପ୍ତମରେ ନୋଏଡା, ଦଶମରେ ୟୁପିର ବାଗପତ ରହିଥିଲା । ହରିୟାଣାର ହିସାର, ଫରିଦାବାଦ ଓ ରୋହତକ ଯଥାକ୍ରମେ ଏକାଦଶ, ଦ୍ୱାଦଶ ଓ ଚତୁର୍ଦ୍ଦଶ ସ୍ଥାନରେ ଥିବାବେଳେ ଗ୍ରେଟର ନୋଏଡ଼ା ତ୍ରୟୋଦଶ ସ୍ଥାନରେ ରହିଥିଲା । ଭାରତରେ ପିଏମ୍ ୨.୫ର ବାର୍ଷିକ ହାରାହାରି ସ୍ତର ୨୦୧୯ ଲକ୍‌ଡାଉନ୍ ପୂର୍ବ ସ୍ତରରେ ପହଞ୍ଚିଯାଇଛି, ଯାହା ସବୁଠୁ ଚିନ୍ତାର ବିଷୟ । ରିପୋର୍ଟ ଅନୁସାରେ ଭାରତର ୪୮ ପ୍ରତିଶତ ସହରରେ ପିଏମ୍ ୨.୫ ସ୍ତର ପ୍ରତି ଘନ ମିଟର ୫୦ ମାଇକ୍ରୋଗ୍ରାମରୁ ଅଧିକ ଥିଲା, ଯାହା ହୁ’ ମାନକର ୧୦ ଗୁଣ । ଆଇକ୍ୟୁଏୟାର୍‌ର ଏହି ରିପୋର୍ଟ ବିଶ୍ୱର ୧୧୭ ଦେଶର ୬୪୭୫ଟି ସହରର ପିଏମ୍ ୨.୫ ବାୟୁ ଗୁଣବତ୍ତା ତଥ୍ୟ ଉପରେ ଆଧାରିତ । ରିପୋର୍ଟ ଅନୁସାରେ ବିଶ୍ୱର ସବୁଠୁ ପ୍ରଦୂଷିତ ରାଜଧାନୀ ତାଲିକାରେ ଢାକା ଥିବାବେଳେ ଚାଦ୍‌ର ଏନ୍‌’ଜାମେନା ତୃତୀୟ, ତାଜିକ୍‌ସ୍ତାନର ଦୁଶାନ୍‌ବେ ଚତୁର୍ଥ ଏବଂ ଓମାନ୍‌ର ମସ୍କାଟ୍ ଚତୁର୍ଥ ସ୍ଥାନରେ ରହିଛି । ବାହନରୁ ହେଉଥିବା ଉତ୍ସର୍ଜନ, କୋଇଲାରେ ଚାଲୁଥିବା ପାୱାର୍ ପ୍ଲାଣ୍ଟ, କଳକାରଖାନା ବର୍ଜ୍ୟୁବସ୍ତୁ, ରନ୍ଧନ ପାଇଁ ବ୍ୟବହୃତ ବାୟୋମାସ୍ ଦହନ ଏବଂ ନିର୍ମାଣ କ୍ଷେତ୍ର ବାୟୁ ପ୍ରଦୂଷଣର ପ୍ରମୁଖ ଉତ୍ସ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking