20.1 C
Bhubaneswar
Monday, November 18, 2024
Homeଖେଳଆଜିଠାରୁ ସ୍ୱିସ୍ ଓପନ୍‌, ଓହରିଲେ ଲକ୍ଷ୍ୟ

ଆଜିଠାରୁ ସ୍ୱିସ୍ ଓପନ୍‌, ଓହରିଲେ ଲକ୍ଷ୍ୟ

ନୂଆଦିଲ୍ଲୀ: ଅଲ୍ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ୍ ଚାମ୍ପିଅନ୍‌ଶିପ୍‌ରେ ରୌପ୍ୟ ପଦକ ଜିତିଥିବା ଭାରତର ଯୁବ ଶଟଲର୍ ଲକ୍ଷ୍ୟ ସେନ୍ ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ସ୍ୱିସ୍ ଓପନ୍‌ରୁ ଓହରିଯାଇଛନ୍ତି । ଗତ ଦୁଇ ସପ୍ତାହ ହେଲା ସେ ଜର୍ମାନ୍ ଓପନ୍ ଓ ଅଲ୍ ଇଂଲଣ୍ଡ ଚାମ୍ପିଅନ୍‌ଶିପ୍‌ରେ ବେଶ୍ ପରିଶ୍ରମ କରିଥିବାରୁ ଏବେ କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନନେଇ ବିଶ୍ରାମ ନେବାକୁ ଉଚିତ ମଣିଛନ୍ତି । ୨୦ ବର୍ଷୀୟ ଲକ୍ଷ୍ୟ ଜର୍ମାନ୍ ଓପନ୍ ଓ ଅଲ୍ ଇଂଲଣ୍ଡ ଚାମ୍ପିଅନଶିପ୍ ଫାଇନାଲ୍‌ରେ ପହଞ୍ଚିଥିଲେ । ତେବେ ଜର୍ମାନ୍ ଓପନ୍ ଓ ଅଲ୍ ଇଂଲଣ୍ଡରେ ଫେଲ୍ ମାରିଥିବା ଦେଶର ପ୍ରମୁଖ ମହିଳା ପ୍ରତିଯୋଗୀ ପିଭି ସିନ୍ଧୁ ଓ ସାଇନା ନେହ୍ୱାଲ୍ ସ୍ୱିସ୍ ଓପନ୍‌ରେ ଉନ୍ନତ ପ୍ରଦର୍ଶନ ପାଇଁ ଆଶା ରଖିଛନ୍ତି । ଏହାଛଡ଼ା ପୁରୁଷ ସିଙ୍ଗଲ୍ସ ବିଭାଗରେ ୱାର୍ଲ୍ଡ ଚାମ୍ପିଅନଶିପ୍ ରୌପ୍ୟ ପଦକ ବିଜେତା କିଦାମ୍ବୀ ଶ୍ରୀକାନ୍ତ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗନେବେ । ଏହି ତିନି ଖେଳାଳି ଗତ ବର୍ମିଂହାମ୍ ଇଭେଣ୍ଟ୍ କ୍ୱାର୍ଟର୍ ଫାଇନାଲ୍ ପୂର୍ବରୁ ବିଦାୟ ନେଇଥିଲେ । ଉଭୟ ଜର୍ମାନ୍ ଓପନ୍ ଓ ଅଲ୍ ଇଂଲଣ୍ଡରେ ଦ୍ୱିତୀୟ ରାଉଣ୍ଡ୍‌ରେ ସାଇନା ଓ ସିନ୍ଧୁ ପରାସ୍ତ ହୋଇଥିବା ବେଳେ ଜର୍ମାନୀ ଇଭେଣ୍ଟ୍‌ରେ ଶ୍ରୀକାନ୍ତ କ୍ୱାର୍ଟର୍ ଫାଇନାଲ୍ ପର୍ଯ୍ୟନ୍ତ ଯାଇପାରିଥିଲେ । ସ୍ୱିସ୍ ଓପନ୍‌ରେ ସିନ୍ଧୁ ଦ୍ୱିତୀୟ ସିଡ୍ ପାଇଥିବା ବେଳେ ପ୍ରଥମ ରାଉଣ୍ଡ୍‌ରେ ଡେନ୍‌ମାର୍କର ୩୨ ନଂ. ଖେଳାଳି ଲିନେ ହୋଜମାର୍କ କ୍ରାଏସ୍‌ଫେଟ୍‌ଙ୍କୁ ଭେଟିବେ । ସେହିପରି ସାଇନା ସପ୍ତମ ସିଡ୍ ଚୀନ୍‌ର ୱାଙ୍ଗ୍ ଝି ୟି’ଙ୍କ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ । ଅନ୍ୟପକ୍ଷରେ ଶ୍ରୀକାନ୍ତ ତାଙ୍କ ପ୍ରଥମ ରାଉଣ୍ଡ୍ ମୁକାବିଲାରେ ଜଣେ କ୍ୱାଲିଫାୟରଙ୍କୁ ଭେଟିବେ । ଟୋକିଓ ଅଲିମ୍ପିଆନ୍ ବି. ସାଇ ପ୍ରଣୀତ ପ୍ରଥମ ରାଉଣ୍ଡ୍‌ରେ ତାଙ୍କ ନିଜ ଦେଶର ଏଚ୍‌ଏସ୍ ପ୍ରଣୟଙ୍କୁ ଭେଟିବାର ଥିବା ବେଳେ ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିଅନ୍ ପାରୁପାଲ୍ଲୀ କାଶ୍ୟପ ଜଣେ କ୍ୱାଲିଫାୟର୍ ବିପକ୍ଷରୁ ମୁକାବିଲା ଆରମ୍ଭ କରିବେ । ଏହାଛଡ଼ା ମହିଳା ବିଭାଗରେ ଆକର୍ଷି କାଶ୍ୟପ ପ୍ରଥମ ରାଉଣ୍ଡ୍‌ରେ ଜର୍ମାନୀର ୟୋନୋ ଲି’ଙ୍କୁ ଭେଟିବେ । ତୃତୀୟ ସିଡ୍ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ୍ ରାଙ୍କ୍‌ିରେଡ୍ଡୀ-ଚିରାଗ୍ ଶେଟ୍ଟୀ ଇଣ୍ଡୋନେସୀୟ ଯୋଡ଼ି ମହମ୍ମଦ ଶୋହିବୁଲ୍ ଫିକ୍ରି-ବାଗାସ୍ ମୌଲାନାଙ୍କ ବିପକ୍ଷରୁ ସେମାନଙ୍କ ଅଭିଯାନ ଆରମ୍ଭ କରିବେ । ପୁରୁଷ ଡବଲ୍ସରେ ଏମଆର୍ ଅର୍ଜୁନ-ଧ୍ରୁବ କପିଲା ଓ କ୍ରିଷ୍ଣା ପ୍ରସାଦ ଗାରାଗା-ବିଷ୍ଣୁବର୍ଦ୍ଧନ ଗୌଡ଼ ପାଞ୍ଜଲ ଯୋଡ଼ି ମଧ୍ୟ ରହିଛନ୍ତି । ଏହାଛଡ଼ା ଗତ ଅଲ୍ ଇଂଲଣ୍ଡରେ ସେମିଫାଇନାଲ୍ ପର୍ଯ୍ୟନ୍ତ ଯାଇଥିବା ତ୍ରିଷା ଜୋଲି-ଗାୟତ୍ରୀ ଗୋପିଚାନ୍ଦ ଯୋଡ଼ି ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ । ଏହି ଯୋଡ଼ି ଦ୍ୱିତୀୟ ସିଡ୍ ଥାଇଲାଣ୍ଡ୍‌ର ଜୋଙ୍ଗାକୋଲଫାନ୍‌-ରୱିନ୍ଦା ପ୍ରାଜୋଙ୍ଗଜାଇଙ୍କ ବିପକ୍ଷରେ ପ୍ରଥମ ମୁକାବିଲା ଖେଳିବ । ଆହୁରି ଷଷ୍ଠ ସିଡ୍ ଯୋଡ଼ି ଅଶ୍ୱିନୀ ପୋନ୍ନପ୍ପା-ଏନ୍‌. ସିକ୍କି ରେଡ୍ଡୀ ସ୍ୱିଜରଲାଣ୍ଡ୍‌ର ଆଲାଇନ୍ ମୁଲେର୍ ଓ ଜେଞ୍ଜିରା ଷ୍ଟାଡେଲମାନ୍ ଯୋଡ଼ିକୁ ଭେଟିବ । ଅଧିକନ୍ତୁ ମିକ୍ସଡ ଡବଲ୍ସରେ ଈଶାନ୍ ଭଟ୍ଟନାଗର-ତନିଶା କ୍ରାଷ୍ଟୋ ଏବଂ ଜୁହି ଦେୱାଙ୍ଗନ୍‌-ଭେଙ୍କଟ ଗୌରବ ପ୍ରସାଦ ମଧ୍ୟ ଅଂଶଗ୍ରହଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking