ବୌଦ୍ଧ : ତୁଷୁରା ଥାନା ଅନ୍ତର୍ଗତ କର୍ଲାଖମନ ଗାଁର ରାହୁଳ ନଦୀ କୂଳ ବରିଘାଟରେ ଶିକ୍ଷକଙ୍କୁ ହତ୍ୟାକରି ପୋଡ଼ିଦେବା ଘଟଣାରେ ପ୍ରେମିକାର ଭିଣୋଇ ଭଗବାନ ବାଗକୁ ତୁଷୁରା ପୁଲିସ ଗିରଫ କରି ଅଦାଲତ ଚାଲାଣ କରିଛି। ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଥାନା ଅନ୍ତର୍ଗତ ଉଡେର୍ ଗାଁର ସହକାରୀ ଶିକ୍ଷକ ବାସୁଦେବ ଭୋଇ ସନ୍ଧିସରା ନିଜ ସମ୍ପର୍କିୟଙ୍କ ଘରକୁ ଆସିବା ଆଳରେ କର୍ଲାଖମନ ଗାଁର ପ୍ରେମିକା ପ୍ରମଦା ବର୍ଗତ୍ତିକୁ ଫେବୃଆରୀ ୧୨ ତାରିଖରେ ଭେଟିବାକୁ ଆସିଥିଲେ। ହେଲେ ଘରକୁ ନ ଫେରିବାରୁ ୧୩ ତାରିଖରେ ବାସୁଦେବଙ୍କ ମାଆ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା। ଫେବୃଆରୀ ୨୩ ତାରିଖ ଦିନ ସନ୍ଧ୍ୟାରେ କର୍ଲାଖମନ ସ୍ଥିତ ରାହୁଲନଦୀ କୂଳ ବରିଘାଟରେ ଶିକ୍ଷକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା।
୨୪ ତାରିଖରେ ତୁଷୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହକୁ ଜବତ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା । ଏହା ଏକ ଯୋଜନାବଦ୍ଧ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ଜଣାପଡିଥିଲା। ପ୍ରେମିକା ଓ ତାଙ୍କ ମାଆ, ବାପାଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରିବା ପରେ ଶିକ୍ଷକ ବାସୁଦେବଙ୍କୁ ନିଜ ଭିଣୋଇ ସହ ମିଶି ହତ୍ୟା କରିଥିବା ପ୍ରେମିକା ସ୍ବୀକାର କରିଥିଲା । ୨୫ ତାରିଖ ପ୍ରେମିକାକୁ କୋର୍ଟ ଚାଲାଣ କରିବା ପରେ ଫେରାର ଥିବା ଭିଣୋଇକୁ ପୁଲିସ ଖୋଜାଖୋଜି କରିଥିଲେ ମଧ୍ୟ ୨୬ ଦିନ ପର୍ଯ୍ୟନ୍ତ ଭିଣୋଇକୁ ପାଇବାରେ ସକ୍ଷମ ହୋଇ ନଥିଲା । ଦେଓଗାଁ ଥାନା ଅନ୍ତର୍ଗତ ସିଂଖମନ ଜଙ୍ଗଲରେ ଭଗବାନ ଲୁଚିଥିବା ଅବସ୍ଥାରେ ତୁଷୁରା ପୁଲିସ କୌଣସି ସୂତ୍ରରୁ ଖବର ପାଇବା ପରେ ଭଗବାନକୁ ଗିରଫ କରିଥିଲା ଓ ଶନିବାର କୋର୍ଟ ଚାଲାଣ କରିଥିବା ତୁଷୁରା ପୁଲିସ ପକ୍ଷରୁ ସୂଚନା ମିଳିଛି ।