ବାଙ୍କୀ: ହୋଲି ଖେଳ ଅବସରରେ ବାଙ୍କୀ ବ୍ଲକ୍ କାଳିପୋଇ ପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପଞ୍ଚାୟତ ନିର୍ବାଚନରେ ପରାଜୟକୁ ସହ୍ୟ କରିନପାରି କଂଗ୍ରେସ ସମର୍ଥକ ନବ ନିର୍ବାଚିତ ସମିତିସଭ୍ୟ ଏବଂ ତାଙ୍କ ପରିବାର ଲୋକଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ବୈଦେଶ୍ୱର ପୁଲିସ ମାମଲା ରୁଜୁକରି ୭ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।
ଅଭିଯୋଗରୁ ପ୍ରକାଶ ଯେ କାଳୀପୋଇ ପଞ୍ଚାୟତ ଚଢ଼େଇ ବନ୍ଧ ଗ୍ରାମର କିଛି କଂଗ୍ରେସ ସମର୍ଥକ ମଧ୍ୟାହ୍ନରେ କାଳିପୋଇ ଗ୍ରାମର ସମିତିସଭ୍ୟ ମନୋରାମା ନାୟକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ବଚସା କରିଥିଲେ ।
ପରେ ଦୁର୍ବୃତ୍ତମାନେ ଘରର ସମସ୍ତ ସାମଗ୍ରୀ ବାହାରକୁ ଫୋପାଡି ଦେଇଥିଲେ । ଏଥି ସହ ଶ୍ରୀମତୀ ନାୟକଙ୍କ ଘରେ ପଶି ୧ଲକ୍ଷ ୨୦ହଜାର ଟଙ୍କା ଓ ସୁନାରୁପା ଚୋରି କରିବା ସହ ତାଙ୍କ ସ୍ୱାମୀ ମାୟାଧର ଓ ଘରେ କାମକରୁଥିବା ଶରତ ପ୍ରଧାନଙ୍କ ସହିତ ହାତାହାତି ହୋଇଥିଲେ । ଘଟଣାରେ ଦୁୁର୍ବୃତ୍ତମାନେ ମାୟାଧର ଓ ଶରତକୁ ମାଡ଼ ଦେଇଥିଲେ । ଶରତକୁ ଧାରୁଆ ଅସ୍ତ୍ରରେ ହାଣିବାକୁ ପ୍ରୟାସ କରି ଆହତ କରି ପୁନଃ ପାଟିତୁଣ୍ଡ କରି ସମିତିସଭ୍ୟ ଶ୍ରୀମତୀ ନାୟକଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ଅଗ୍ନିକାଣ୍ଡରେ ଘର ପୋଡ଼ି ନଷ୍ଟ ହୋଇଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପରିବାର ପକ୍ଷରୁ ବୈଦେଶ୍ୱର ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚିବାରୁ ଘଟଣା ଉଗ୍ରରୂପ ନେଇଥିଲା । ଦୁର୍ବୃତ୍ତମାନେ ଉତ୍ତ୍ୟକ୍ତ ହୋଇ ଗ୍ରାମର ଲିଙ୍ଗରାଜ ସ୍ୱୟଂସହାୟକ ଗୋଷ୍ଠୀର ସଭାପତି ସୁଜାତା ପଟ୍ଟସିଂହଙ୍କ କେଌକ୍ଷଗ୍ଧ;୍ରାଲ୍ ସାମଗ୍ରୀ ଦୋକାନରୁ ଚାଉଳ କିରୋସିନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ୍ କରିନେଇଥିଲେ ।
ଏହାପରେ ସମାନେ ଚଢ଼େଇବନ୍ଧ ଗ୍ରାମକୁ ଯାଇ ସେଠାରେ ଥିବା ବିଜେଡି ସମର୍ôଥତ ୬ଗୋଟି ପରିବାର ମାଧବ ଜେନା, ଡମ୍ବୁର ସ୍ୱାଇଁ, ଗୀତାଞ୍ଜଳି ସ୍ୱାଇଁ, ଦେବରାଜ ପାଇକରାୟ, ଦିଲ୍ଲୀପ୍ ଜେନା, ବ୍ରଜବନ୍ଧୁ ଜେନାଙ୍କ ଘର ନିକଟରେ ‘ଆମ କଂଗ୍ରେସ ଦଳକୁ କାହିଁକି ଭୋଟ୍ ଦେଲନି’ ବୋଲି କହି ବଚସା କରିଥିଲେ । କଂଗ୍ରେସ ସମର୍ଥିତମାନେ ସେମାନଙ୍କ ଘରକୁ ଭାଙ୍ଗିବା ସହ ଗୋଟିଏ ଟ୍ରାକ୍ଟର, ଇଣ୍ଡିଗୋ କାର୍, ୫ଗୋଟି ବାଇକ୍ ନଷ୍ଟ କରିବା ସହ ପାଣି ପମ୍ପ୍ , ଗ୍ୟାସ୍, ଧାନ ଓ ହଣ୍ଡା ଚୋରି କରିନେଇଥିଲେ । ଏଥି ସହ ସେମାନେ ବ୍ରଜବନ୍ଧୁ ପ୍ରଧାନଙ୍କ ପତ୍ନୀ ଲଳିତା ମଞ୍ଜରୀ ପ୍ରଧାନ, ମାଧବ ଜେନାଙ୍କ ପୁଅ ଓ ଝିଅକୁ ମାଡ଼ମାରିଥିଲେ । ଫଳରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ସେମାନେ ଚିକିତ୍ସାଧୀନ ଅଛନ୍ତି । ଏ ସମ୍ପର୍କରେ ପରିବାର ଲୋକମାନେ ବୈଦେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଏତଲାକୁ ଭିତ୍ତିକରି ବୈଦେଶ୍ୱର ଥାନା ଅଧିକାରୀ ଦୋଳଗୋବିନ୍ଦ ସ୍ୱାଇଁ ତଦନ୍ତ କରି ପୁଲିସ୍ କେସ୍ ନମ୍ବର -୪୩, ୪୪, ୪୫, ୪୬, ୪୭ ,୪୮, ୪୯, ୫୦, ୫୧ , ୫୨, ୫୩ , ୫୪/୨୨ରେ ମାମଲା ରୁଜୁ କରି ଚଢ଼େଇବନ୍ଧ ଗ୍ରାମର ପ୍ରମୋଦ ମହାପାତ୍ର, ଅବିନାଶ ରାଉତରାୟ, ପୂର୍ଣ୍ଣଚନ୍ଦ୍ର ଛୋଟରାୟ, ଯଦୁ ଜେନା, ବାଉରୀବନ୍ଧୁ ଜେନା, ମାଗୀ ଜେନା ଓ ଭଗବାନ ଜେନାଙ୍କୁ ଗିରଫ୍ କରିଛନ୍ତି । ଘଟଣାସ୍ଥଳରେ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ୧ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଏ ସମ୍ପର୍କରେ ଅଧିକ ତଥ୍ୟ ପାଇଁ ବୈଦେଶ୍ୱର ଥାନା ଅଧିକାରୀଙ୍କୁ ତାଙ୍କ ମୋବାଇଲ୍ ନଂ-୭୦୦୮୩୯୨୭୭୪ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ତଥ୍ୟ ମିଳିପାରିନାହିଁ । ବାଙ୍କୀ ଉପଖଣ୍ଡ ପୁଲିସ୍ ଅଧିକାରୀ(ଏସ୍ଡିପିଓ) ବାସୁଦେବ ସ୍ୱାଇଁ ଏ ସମ୍ପର୍କରେ କୌଣସି ତଥ୍ୟ ଦେଇପାରିବେନାହିଁ ବୋଲି କହିଛନ୍ତି ।