ମସ୍କୋ :ରୁଷ୍-ୟୁକ୍ରେନ୍ ଯୁଦ୍ଧ ରବିବାର ସୁଦ୍ଧା ୨୫ ଦିନରେ ପହଞ୍ଚିଛି । ଗୋଟିଏପଟେ ଯୁଦ୍ଧ ବନ୍ଦ କରିବାକୁ ଦୁଇ ରାଷ୍ଟ୍ର ଆଲୋଚନା ଟେବୁଲରେ ପରସ୍ପରକୁ ଭେଟୁଥିବାବେଳେ ଅନ୍ୟପଟରେ ୟୁକ୍ରେନ୍ର ଏକାଧିକ ସହର ଉପରେ ରୁଷ୍ ସେନାର ଆକ୍ରମଣ ଦିନକୁ ଦିନ ଜୋରଦାର ହେବାରେ ଲାଗିଛି । ସମସ୍ତ ଉଦ୍ୟମ ସତ୍ତ୍ୱେ ରୁଷ୍ ସେନା ୟୁକ୍ରେନ୍ ରାଜଧାନୀ କିଏଭ୍ର ନିକଟବର୍ତ୍ତୀ ହୋଇଥିଲେ ସୁଦ୍ଧା ଏହାକୁ ଦଖଲ କରିବାରେ ଏପର୍ଯ୍ୟନ୍ତ ସଫଳ ହୋଇପାରୁନାହିଁ । ଏହି ପରିପ୍ରେକ୍ଷୀରେ ରୁଷ୍ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ୍ ପରମାଣୁ ଯୁଦ୍ଧରୁ ବର୍ତ୍ତିବା ସଂକ୍ରାନ୍ତ ଡ୍ରିଲ୍ ଆୟୋଜନ କରିବାକୁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି । ରୁଷ୍ ଇତିମଧ୍ୟରେ ୟୁକ୍ରେନ୍ ବିରୋଧରେ ଏକାଧିକ ଶକ୍ତିଶାଳୀ ବୋମା ଓ କ୍ଷେପଣାସ୍ତ୍ର ବ୍ୟବହାର କରିସାରିଥିଲେ ସୁଦ୍ଧା ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିନାହିଁ । ତେଣୁ ପୁଟିନ୍ଙ୍କ ଏଭଳି ଡ୍ରିଲ୍ ନିର୍ଦ୍ଦେଶକୁ ଆମେରିକା ସମେତ ବିଶ୍ୱର ଅଧିକାଂଶ ରାଷ୍ଟ୍ରମୁଖ୍ୟ ଘୋର ଉଦ୍ବେଗ ପ୍ରକାଶ କରିଛନ୍ତି । ଏହାଦ୍ୱାରା ରୁଷ୍ କ୍ରମଶଃ ପରମାଣୁ ଯୁଦ୍ଧ ଆଡକୁ ଅଗ୍ରସର ହେଉଛି ବୋଲି ସେମାନେ ଆଶଙ୍କାବ୍ୟକ୍ତ କରିଛନ୍ତି ।
ପରମାଣୁ ଯୁଦ୍ଧରୁ ବର୍ତ୍ତିବା ଡ୍ରିଲ୍ରେ ବାଧ୍ୟତାମୂଳକଭାବେ ଅଂଶଗ୍ରହଣ କରିବାକୁ ପୁଟିନ୍ ତାଙ୍କର ବରିଷ୍ଠ ସେନାଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିବା କ୍ରେମଲିନ୍ ସୂତ୍ରରୁ ଜଣାପଡିଛି । ପୁଟିନ୍ ସମ୍ଭାବ୍ୟ ପରମାଣୁ ଆକ୍ରମଣ ପ୍ରସଙ୍ଗରେ ନିଜର ତିନି ଅତ୍ୟନ୍ତ ସହଯୋଗୀ ଦିମିତ୍ରି ମେଦ୍ଭେଦେଭ୍, ଭ୍ୟାଚେସ୍ଲାଭ୍ ଭୋଲୋଡିନ୍ ଓ ଭାଲେଣ୍ଟିନା ମାତ୍ଭିୟେଙ୍କୋ ସହ ବିଚାର ବିମର୍ଶ କରିଥିବା ଜଣାପଡିଛି । ପୁଟିନ୍ ବର୍ତ୍ତମାନ ନିଜର ପରିବାରକୁ ସାଇବେରିଆକୁ ସ୍ଥାନାନ୍ତର କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି । ଏମାନେ କ୍ରେମ୍ଲିନ୍ ଛାଡି ସାଇବେରିଆର ବରଫାବୃତ୍ତ ଅଞ୍ଚଳରେ ଅତ୍ୟାଧୁନିକ କାରିଗରୀକୌଶଳରେ ନିର୍ମିତ ବଙ୍କରରେ ଅବସ୍ଥାନ କରୁଥିବା କୁହାଯାଉଛି ।
ସାଇବେରିଆର ଅଲତାଇ ପାର୍ବତ୍ୟାଞ୍ଚଳରେ ନିର୍ମିତ ଏହି ସ୍ୱତନ୍ତ୍ର ବଙ୍କରରେ ସମସ୍ତ ପ୍ରକାରର ସହରୀ ସୁବିଧାର ବ୍ୟବସ୍ଥା କରାଯାଇଛି । ପୁଟିନ୍ଙ୍କ ଆଗାମୀ ରଣନୀତି ଏବେ ମଧ୍ୟ ଅସ୍ପଷ୍ଟ ରହିଥିଲେ ସୁଦ୍ଧା ପାଶ୍ଚାତ୍ୟ ଗୁଇନ୍ଦା ଅଧିକାରୀମାନେ ଏ ସମ୍ପର୍କରେ କେତେକ ପୂର୍ବାନୁମାନ କରିଛନ୍ତି । ଭୂତଳ ବଙ୍କର ସହ ଆକାଶରେ ମଧ୍ୟ ବଙ୍କର ନିର୍ମାଣ କରିବାକୁ ରୁଷ୍ ବୈଜ୍ଞାନିକମାନେ ପ୍ରସ୍ତୁତି ଆରମ୍ଭ କରିଥିବା ସେମାନେ ଅନୁମାନ କରୁଛନ୍ତି । ବର୍ତ୍ତମାନ ରୁଷ୍ ପାଇଁ ପୁଟିନ୍ ଏକାକୀ ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି ବୋଲି ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ପାଇଁ ପୂର୍ବରୁ କାର୍ଯ୍ୟ କରିଥିବା ଜନ୍ ସାଇଫର ବିବିସିକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ।