ଭୁବନେଶ୍ୱର: ଏକ ୱେବ୍ ପୋର୍ଟାଲ୍ରେ କାର୍ଯ୍ୟରତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ପୁଲିସ୍ । ସେମାନେ ହେଲେ ରଞ୍ଜନ ନାୟକ ଏବଂ ଅବସରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ବିଭାଗର ଓଆଇଏସ୍ ନିରଞ୍ଜନ ସେଠୀ । ମାନସଙ୍କୁ ମାଡ଼ ମାରି ହତ୍ୟା କରିବା ସହ ପୋତିବା ପର୍ଯ୍ୟନ୍ତ ଘଟଣାରେ ସମ୍ପୃକ୍ତ ଦୁଇଜଣଙ୍କର ହାତ ଥିଲା ବୋଲି ପୁଲିସ୍ ସୂଚନା ଦେଇଛି । ଭଦ୍ରକର ଆଡିସ୍ନାଲ ଏସ୍ପି ଯତୀନ୍ ପଣ୍ଡା ଏନେଇ ଏକ ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛନ୍ତି । ତେବେ ଏ ମାମଲାରେ ପୂର୍ବରୁ ଦୁଇଜଣଙ୍କୁ ପୁଲିସ୍ ଅଟକ ରଖିଥିବା ବେଳେ ଆଜି ଆଉ ଦୁଇଜଣଙ୍କୁ ଗିରଫ କରାଯାଇଛି ।
ଅପରପକ୍ଷେ ଏ ଘଟଣାରେ ଜଡ଼ିତ ୱେବ୍ ପୋର୍ଟାଲ୍ ମାଲିକାଣୀଙ୍କ ଏ ପର୍ଯ୍ୟନ୍ତ ପତ୍ତା ମିଳିପାରି ନାହିଁ । ଆଜି ଗିରଫ ହୋଇଥିବା ଦୁଇଜଣ ହେଲେ ରଞ୍ଜନ କୁମାର ନାୟକ ଏବଂ ନିରଞ୍ଜନ ସେଠୀ । ହତ୍ୟା ପରଠାରୁ ମାମଲା ରୁଜୁ ହେବା ପରେ ୱେବ୍ ପୋର୍ଟାଲ୍ ମାଲିକାଣୀ ଶର୍ମିଷ୍ଠା ଫେରାର୍ ଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, କ୍ୟାମେରାରେ ଥିବା ଏକ ମେମୋରି ଚିପ୍ରେ ୱେବ୍ ପୋର୍ଟାଲ୍ ମାଲିକାଣିଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଥିବା ନେଇ ସନ୍ଦେହ କରାଯାଉଥିବାରୁ ଏହାକୁ ଭିତ୍ତି କରି ମାନସ ସ୍ୱାଇଁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି ।