ଦେବଗଡ଼: ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ହେଟଖମାର ଗ୍ରାମରେ ଏକ ଅଭାବନୀୟ ଘଟଣା କ୍ରମରେ ଜଣେ ମାନସିକ ବିକୃତ କକା ନିଜ ୫ ବର୍ଷୀୟା ଝିଆରୀକୁ ଟାଙ୍ଗିଆରେ ହାଣି ଦି ଗଡ କରିଦେଇଛି । ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ସୂଚନା ଅନୁଯାୟୀ, ଖମାର ଗ୍ରାମର ସୁଶାନ୍ତ ଭୈନ୍ସାଙ୍କ ଶିଶୁ କନ୍ୟା ରୋଜାଲିନ ଭୈନ୍ସା ଘର ଅଗଣାରେ ଜଳଖିଆ ଖାଉଥିବା ବେଳେ ସୁଶାନ୍ତଙ୍କ ଭାଇ ନାଗାର୍ଜୁନ ଭୈନ୍ସା (୨୨)ଏକ କୁରାଢ଼ିରେ ଅଚାନକ ରୋଜାଲିନଙ୍କ ବେକରେ ଚୋଟ ପକାଇବାରୁ ଘଟଣାସ୍ଥଳରେ ରୋଜାଲିନଙ୍କ ମୁଣ୍ଡ ଗଣ୍ଡି ଦୁଇଗଡ଼ ହୋଇଯାଇ ଥିଲା । ଏହାଦେଖି ପରିବାର ଲୋକ ନାଗାର୍ଜୁନକୁ କାବୁ କରି କଂସର ଫାଣ୍ଡିରେ ଜିମା ଦେଇଥିଲେ । ସୂଚନା ପାଇ ରିଆମାଳ ଥାନା ପୁଲିସ ଏସ୍ଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏସ୍ପି ରାଜକିଶୋର ପାଇକରାୟ ପହଞ୍ଚି ଥିବା ଜଣା ପଡିଛି । ସେହିପରି ପୁଲିସ ସାଇଣ୍ଟିଫିକ ଟିମ ଘଟଣାସ୍ଥଳ ଅଭିମୁଖେ ବାହାରିଥିବା ଜଣା ପଡିଛି । ଅନ୍ୟପକ୍ଷରେ ଅଭିଯୁକ୍ତ ନାଗାର୍ଜୁନର ମାନସିକ ବିକୃତି ଘଟି ସେ ଗତ କିଛି ଦିନ ପୂର୍ବେ ଗାଁ ଛାଡି ଅନ୍ୟ କୌଣସି ସ୍ଥାନରେ ବୁଲାବୁଲି କରୁଥିବା ବେଳେ ଗତ କିଛିଦିନ ପୂର୍ବେ ପରିବାର ଲୋକେ ନାଗାର୍ଜୁନକୁ ସମ୍ବଲପୁର ଜିଲ୍ଲା ଯୁଜୁମୁରା ଅଞ୍ଚଳରୁ ଉଦ୍ଧାର କରି ଘରକୁ ଆଣିଥିଲେ ।