କିଏଭ୍: ରୁଷ୍-ୟୁକ୍ରେନ୍ ଯୁଦ୍ଧ ସୋମବାର ସୁଦ୍ଧା ଉନବିଂଶ ଦିନରେ ଉପନୀତ ହୋଇଛି । ତେବେ ୟୁକ୍ରେନ୍ ପକ୍ଷରୁ ରୁଷ୍ ସମର୍ଥିତ ଡୋନେସ୍କ୍ ଅଞ୍ଚଳ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଥିବାବେଳେ ୧୬ ଜଣ ବିଦ୍ରୋହୀ ପ୍ରାଣ ହରାଇଥିବା ୟୁକ୍ରେନ୍ ସରକାର ଦାବି କରିଛନ୍ତି । ଏହାବ୍ୟତୀତ ୨୩ ଜଣ ଆହତ ହୋଇଛନ୍ତି ବୋଲି ଡୋନେସ୍କ୍ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ଆକ୍ରମଣରେ ୟୁକ୍ରେନ୍ ପକ୍ଷରୁ ଟୋକ୍କା କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା । ଆକ୍ରମଣ ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ଟେଲିଗ୍ରାମ୍ ଚ୍ୟାନେଲ ପକ୍ଷରୁ ଏକାଧିକ ଫଟୋ ପ୍ରସାରିତ କରାଯାଇଛି । ରାସ୍ତା ଉପରେ ଏକାଧିକ ମୃତଦେହ ପଡିଥିବାବେଳେ ସଂଖ୍ୟାଧିକ ଯାନବାହନ ଓ ଦୋକାନ ପୋଡି ଧୂଆଁ ହୋଇଯାଇଥିବା ଫଟୋରୁ ଲକ୍ଷ୍ୟ କରାଯାଇଛି । ଆକ୍ରମଣ ଘଟଣାକୁ ଡୋନେସ୍କ୍ ପିପୁଲ୍ସ ରିପବ୍ଲିକ୍ ମୁଖ୍ୟ ଡେନିସ ପୁସିଲିନ୍ ସ୍ୱୀକାର କରିଛନ୍ତି । ୟୁକ୍ରେନ୍ ପକ୍ଷରୁ କରାଯାଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ଏକାଧିକ ଅଟ୍ଟାଳିକା, ଦୋକାନ ଗୃହ ଧ୍ୱଂସ ପାଇଥିବାବେଳେ ଅଧିକ ସଂଖ୍ୟାରେ ସାଧାରଣ ଲୋକଙ୍କର ପ୍ରାଣହାନି ଘଟିଥିବା ସେ କହିଛନ୍ତି । ଏଟିଏମ୍ ଏବଂ ବସ୍ ଷ୍ଟପ୍ ନିକଟରେ ରୁଣ୍ଡ ହୋଇଥିବା ଲୋକେ ଆକ୍ରମଣର ଶିକାର ହୋଇଥିବା କୁହାଯାଇଛି । ତେବେ କ୍ଷେପଣାସ୍ତ୍ରଟି ପୁରାଦମରେ କାର୍ଯ୍ୟକ୍ଷମ ହୋଇଥିଲେ, କ୍ଷୟକ୍ଷତିର ପରିମାଣ ଯଥେଷ୍ଟ ଅଧିକ ହୋଇଥାନ୍ତା ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ୟୁକ୍ରେନ୍ର ଡୋନେସ୍କ୍ ଓ ଲୁହାନ୍ସ୍କ୍ ଅଞ୍ଚଳରେ ସକ୍ରିୟ ଥିବା ବିଦ୍ରୋହୀଙ୍କୁ ରୁଷ୍ ୨୦୧୪ରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିଆସୁଛି । ଏପରିକି ଫେବୃଆରୀ ୨୪ରେ ୟୁକ୍ରେନ୍ ଆକ୍ରମଣ କରିବାର ମାତ୍ର ଦିନକ ପୂର୍ବରୁ ରୁଷ୍ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ୍ ଏହି ଦୁଇଟି ଅଞ୍ଚଳକୁ ସ୍ୱାଧୀନ ରାଷ୍ଟ୍ରଭାବେ ଘୋଷଣା କରିଥିଲେ ।