ନୂଆଦିଲ୍ଲୀ : ଦେଶର ସବୁ ଏୟାରପୋର୍ଟରେ କାର୍ଯ୍ୟରତ ଶିଖ୍ ସଂପ୍ରଦାୟର କର୍ମଚାରୀମାନେ ଏୟାରପୋର୍ଟ ପରିସରରେ ନିଜ ପାଖରେ କୃପାଣ ରଖିପାରିବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଶିଖ୍ କର୍ମଚାରୀମାନେ ଏୟାରପୋର୍ଟ ପରିସରରେ କୃପାଣ ରଖିପାରିବେ ନାହିଁ ବୋଲି ବ୍ୟୁରୋ ଅଫ୍ ସିଭିଲ ଆଭିଏସନ୍ ସିକ୍ୟୁରିଟୀ (ବିସିଏଏସ୍) ପକ୍ଷରୁ ମାର୍ଚ୍ଚ ୪ରେ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ତେବେ ଶି୍ଖ ସଂପ୍ରଦାୟର ସର୍ବୋଚ୍ଚ ସଂଗଠନ ‘ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି’ (ଏସ୍ଜିପିସି) ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଥିଲା । ଏସ୍ଜିପିସି ସଭାପତି ହରଜିନ୍ଦର ସିଂହ ଧାମି ଏହି ମର୍ମରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନିକଟକୁ ପତ୍ର ଲେଖି ଏଭଳି ନିଷ୍ପତ୍ତି ଦ୍ୱାରା ଶିଖ୍ ସଂପ୍ରଦାୟର ଧାର୍ମିକ ଭାବନକୁ କ୍ଷୁଣ୍ଣ କରାଯାଉଥିବା ଅଭିଯୋଗ କରିଥିଲେ । ଫଳରେ ବିସିଏଏସ୍ କର୍ତ୍ତୃପକ୍ଷ ମାର୍ଚ୍ଚ ୧୨ରେ ଏହି ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଥିଲେ । ମାର୍ଚ୍ଚ ୪ ବିଜ୍ଞପ୍ତି ଅନୁଯାୟୀ ଏୟାରପୋର୍ଟ ପରିସରରେ କେବଳ ଶିଖ୍ ଯାତ୍ରୀଙ୍କୁ ନିଜ ପାଖରେ କୃପାଣ ରଖିବାକୁ ଅନୁମତି ଦିଆଯାଇଥିଲା । ତେବେ ଏଥିପାଇଁ ଅବଶ୍ୟ ଏକ ସର୍ତ୍ତ ମଧ୍ୟ ରଖାଯାଇଥିଲା । କୃପାଣର ଲମ୍ବ ୬ ଇଞ୍ଚ୍ ଏବଂ ଖୋଳ ସହ କୃପାଣର ଲମ୍ବ ୯ ଇଞ୍ଚ୍ରୁ ଅଧିକ ହେବ ନାହିଁ ବୋଲି କୁହାଯାଇଥିଲା ।