କଲୋମ୍ବୋ : ପଡ଼ୋଶୀ ଶ୍ରୀଲଙ୍କାର ଅର୍ଥବ୍ୟବସ୍ଥା ମାଟି କାମୁଡ଼ିଛି । ସାଧାରଣତଃ ପର୍ଯ୍ୟଟନ ଉପରେ ନିର୍ଭରଶୀଳ ଏହି ଦ୍ୱୀପଦେଶରେ କୋଭିଡ୍ ଯୋଗୁଁ ସରକାରଙ୍କ ରାଜସ୍ୱ ସଂଗ୍ରହ ଭୟଙ୍କର ଭାବେ ବାଧାପାଇଛି । ଦେଶରେ ଆବଶ୍ୟକୀୟ ସାମଗ୍ରୀର ଦରଦାମ୍ ଆକାଶଛୁଆଁ ରହିଥିବା ବେଳେ ଆଜି ସରକାର ପେଟ୍ରୋଲ୍-ଡିଜେଲ୍ ଓ ଗ୍ୟାସ୍ ଦରରେ ପାଖାପାଖି ୪୦% ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସାଧାରଣ ଲୋକମାନେ ଦରବୃଦ୍ଧି ଯୋଗୁଁ ସନ୍ତୁଳି ହେଉଥିବା ବେଳେ ତୈଳଦର ଓ ଗ୍ୟାସ୍ଦର ବୃଦ୍ଧି ସେମାନଙ୍କ ଜୀବନଯାପନ ସମସ୍ୟାକୁ ବହୁଗୁଣା କରିବ ବୋଲି ଜଣାପଡ଼ିଛି । ଦେଶର ସ୍ୱାଧୀନତା ପରଠାରୁ ପ୍ରଥମଥର ପାଇଁ ଅର୍ଥବ୍ୟବସ୍ଥା ଏକପ୍ରକାର ରସାତଳକୁ ଯାଇଛି । ସାଧାରଣ ନାଗରିକମାନେ ଘୋର ଦୁର୍ଦଶାରେ କାଳାତିପାତ କରୁଛନ୍ତି । ସରକାରଙ୍କ ନିକଟରେ ତୈଳ ଆମଦାନୀ କରିବା ପାଇଁ ଅର୍ଥ ନାହିଁ । ପାଖାପାଖି ୨୨ ନିୟୁତ ଶ୍ରୀଲଙ୍କା ଅଧିବାସୀ ଗତ ଏକସପ୍ତାହ ଧରି ପେଟ୍ରୋଲ୍ ପମ୍ପ୍ରେ ଲମ୍ବାଧାଡ଼ିରେ ଠିଆ ହୋଇ ପେଟ୍ରୋଲ୍ କ୍ରୟ କରୁଛନ୍ତି । ଗତ ଏକମାସ ମଧ୍ୟରେ ସରକାର ଏହାକୁ ମିଶାଇ ତିନିଥର ତୈଳଦର ବୃଦ୍ଧି କରିଛନ୍ତି । ଆଜିର ବୃଦ୍ଧି ପରେ ଡିଜେଲ୍ ଦର ଲିଟର ପ୍ରତି ୨୫୨ ଟଙ୍କାରେ ପହଁଚିଛି । ଯାହା ପୂର୍ବରୁ ୧୭୭ ଟଙ୍କା ଥିଲା । ଅପରପକ୍ଷରେ ଗ୍ୟାସୋଲିନ୍ ଦରରେ ମଧ୍ୟ ସରକାର ପାଖାପାଖି ୫୦% ବୃଦ୍ଧି କରିବା ଯୋଗୁଁ ଏହା ୨୮୩ ଟଙ୍କାକୁ ବୃଦ୍ଧି ପାଇଛି । ଗତ ୬, ଫେବୃଆରୀ ପରଠାରୁ ଡିଜେଲ୍ ଦରରେ ୭୮% ଓ ଗ୍ୟାସୋଲିନ୍ ଦରରେ ୪୩.୫% ବୃଦ୍ଧି ଘଟିଛି । ଶ୍ରୀଲଙ୍କାର ଅଧିକାଂଶ ତୈଳଷ୍ଟେସନ୍ରେ ଷ୍ଟକ୍ ମହଜୁଦ୍୍ ନାହିଁ । ସୂଚନାଯୋଗ୍ୟ ଯେ ଗତ ଫେବୃଆରୀରେ ଶ୍ରୀଲଙ୍କାର ବୈଦେଶିକ ମୁଦ୍ରାଭଣ୍ଡାରରେ ଐତିହାସିକ ହ୍ରାସ ଘଟି ୨ ବିଲିୟନ୍ ଡଲାର୍ରେ ପହଞ୍ଚିଥିଲା । ଅପରପକ୍ଷରେ ସରକାରଙ୍କ ମୁଣ୍ଡରେ ବାର୍ଷିକ ୫୧ ବିଲିୟନ୍ ଡଲାର୍ର ବୈଦେଶିକ ଋଣ ରହିଛି; ଯାହାର ବାର୍ଷିକ ସୁଧ ୭ ବିଲିୟନ୍ ଡଲାର୍ ଚଳିତ ବର୍ଷ ପେୟ କରିବାକୁ ହେବ ।