ଭୁବନେଶ୍ୱର: କୋଭିଡ୍ ସ୍ଥତିର ଆସିଲା ସୁଧାର, ହେଲେ ସୁଧୁରିଲାନାହିଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ଗୁଡ଼ିକର ଆର୍ଥିକ ସ୍ଥିତି । କିଛି ହାତଗଣତି ଉଦ୍ୟୋଗ ନିଜର ମେରୁଦଣ୍ଡ ସଲଖ କରିଥିଲେ ହେଁ ବାକି ବହୁ ଉଦ୍ୟୋଗ ବିଭିନ୍ନ କାରଣରୁ ବନ୍ଦ୍ ହୋଇଯାଇଛି । ଚତୁର୍ଥ ସର୍ବଭାରତୀୟ ଶିଳ୍ପ ଗଣନା ଅନୁସାରେ ଓଡ଼ିଶାରେ ପ୍ରାୟ ମୋଟ୍ ୧୫,୩୧୫ ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବନ୍ଦ୍ ହୋଇଥିବା ସରକାରୀ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଫଳରେ ପ୍ରାୟ ୧.୩୦ ଲକ୍ଷ ଲୋକ କର୍ମସଂସ୍ଥାନ ହରାଇଛନ୍ତି । ଏହି ବନ୍ଦ୍ ଉଦ୍ୟୋଗଗୁଡ଼ିକୁ ପୁନଃରୁଦ୍ଧାର କରିବା ପାଇଁ ରାଜ୍ୟ ସରକାର ବ୍ୟାଙ୍କ୍ ସହ ଆଲୋଚନା କରି ‘ଷ୍ଟ୍ରେସ୍ କମିଟି’ ଗଠନ କରିଥିବା ସତ୍ତ୍ୱେ ଆଶାନୁରୂପ ସୁଫଳ ମିଳିପାରିନାହିଁ ।
ଦେଶର ମୋଟ୍ ଶିଳ୍ପ ଉତ୍ପାଦନର ୪୫ ପ୍ରତିଶତ କେବଳ ଏମ୍ଏସ୍ଏମ୍ଇ ଉଦ୍ୟୋଗ ଦ୍ୱାରା ସମ୍ଭବ ହେଉଛି । ଗ୍ରାମାଞ୍ଚଳରୁ ୪୫ ପ୍ରତିଶତ ଏବଂ ସହରାଞ୍ଚଚଳରୁ ୫୫ ପ୍ରତିଶତ ନିଯୁକ୍ତି ସୁଯୋଗ ପାଉଛନ୍ତି । ସେଥିପାଇଁ ଓଡ଼ିଶା ସରକାର ୨୦୦୬ରେ ଏମ୍ଏସ୍ଏମ୍ଇ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ‘ସ୍ୱତନ୍ତ୍ର ଆକ୍ଟ’ ଆଣିଥିଲେ । ପରେ ୨୦୧୬ରେ ‘ଓଡ଼ିଶା ଏମ୍ଏସ୍ଏମ୍ଇ ପଲିସି’ ଆଣିଲେ । ତଦନୁଯାୟୀ ହଜାର ହଜାର ସଂଖ୍ୟାରେ ଉଦ୍ୟୋଗୀ ଏହି କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଆଗ୍ରହୀ ହେବା ସହ ଉଦ୍ୟୋଗ ପ୍ରତିଷ୍ଠା କଲେ । ସରକାର ବି ପ୍ରୋତ୍ସାହନ ହେଲେ । ହେଲେ କୋଭିଡ୍ ସଂକ୍ରମଣ ସବୁ ହିସାବ ବିଗାଡ଼ି ଦେଲା । ଆର୍ଥିକ ସଙ୍କଟରେ ପଡ଼ି ଓଡ଼ିଶାରେ ହଜାର ହଜାର ସଂଖ୍ୟାରେ ଏମ୍ଏସ୍ଏମ୍ଇ ଉଦ୍ୟୋଗକୁ ବନ୍ଦ୍ କରିବାକୁ ବାଧ୍ୟ ହୋଇଛନ୍ତି ।
ରିପୋର୍ଟ ଭିତ୍ତିରେ ବରଗଡ଼ରେ ୩୩୪ ଏମ୍ଏସ୍ଏମ୍ଇ ଉଦ୍ୟୋଗ ବନ୍ଦ୍ ହୋଇଥିଲାବେଳେ ଝାରସୁଗୁଡ଼ାରେ ୨୭୩, ସମ୍ବଲପୁରରେ ୨୭୩, ଦେବଗଡ଼ରେ ୩୫, ସୁନ୍ଦରଗଡ଼ରେ ୨୦୨୦, କେନ୍ଦୁଝରରେ ୬୮୩, ମୟୂରଭଞ୍ଜରେ ୬୧୨, ବାଲେଶ୍ୱରରେ ୫୫୮, ଭଦ୍ରକରେ ୩୪୬, କେନ୍ଦ୍ରାପଡ଼ାରେ ୨୦୭, ଜଗତସିଂହପୁରରେ ୩୨୧, କଟକରେ ୨୪୦୪, ଜଗତସିଂହପୁରରେ ୩୨୧, ଢେଙ୍କାନାଳରେ ୩୯୬, ଅନଗୋଳରେ ୨୯୧, ନୟାଗଡ଼ରେ ୧୮୫, ଓ ଖୋର୍ଦ୍ଧା ଜିଲ୍ଲାରେ ୧୫୦୪ ଏମ୍ଏସ୍ଏମ୍ଇ ଉଦ୍ୟୋଗ ବନ୍ଦ୍ ହୋଇଛି । ଅନ୍ୟପକ୍ଷରେ ପୁରୀରେ ୩୬୯, ଗଞ୍ଜାମରେ ୧୦୬୧, ଗଜପତିରେ ୧୦୦, ଫୁଲବାଣୀରେ ୨୦୮, ବୌଦରେ ୧୧୬, ସୋନପୁରରେ ୧୦୨, ବଲାଙ୍ଗିରରେ ୫୦୪, ନୂଆପଡ଼ାରେ ୧୧୮, କଳାହାଣ୍ଡିରେ ୪୧୮, ରାୟଗଡ଼ାରେ ୨୫୬, ନବରଙ୍ଗପୁରରେ ୧୫୭, କୋରାପୁଟରେ ୫୪୨ ଏବଂ ମାଲାକାନାଗିରି ଜିଲ୍ଲାରେ ୧୧୬ ଏମ୍ଏସ୍ଏମ୍ଇ ଉଦ୍ୟୋଗ ବନ୍ଦ୍ ହୋଇଛି । ଏମିତି ମୋଟ୍ ୧୫ ହଜାର ୩୧୫ ଉଦ୍ୟୋଗ ବନ୍ଦ୍ ହୋଇଥିଲା । ଉକ୍ତ ସଂସ୍ଥାଙ୍କ ଦ୍ୱାରା ୪୫୫ କୋଟି ୮୦ ଲକ୍ଷ ଟଙ୍କାର ପୁଞ୍ଜି ବିନିଯୋଗ ହୋଇଥିଲାବେଳେ ୧ ଲକ୍ଷ ୨୯ ହଜାର ୯୫୦ ଲୋକ ପ୍ରତ୍ୟକ୍ଷ ନିଯୁକ୍ତି ପାଇଥିଲେ । ହେଲେ ପରୋକ୍ଷ ନିଯୁକ୍ତିକୁ ମିଶାଇଲେ ଏହାର ସଂଖ୍ୟା ଦେଢ଼ ଲକ୍ଷକୁ ଟପିଯିବ ।
ଉକ୍ତ ଏମ୍ଏସ୍ଏମ୍ଇ ଉଦ୍ୟୋଗଗୁଡ଼ିକର ବନ୍ଦ୍ ହେବାର ଅନେକ କାରଣ ରହିଛି । ଶିଳ୍ପ ସଂସ୍ଥାମାନଙ୍କରେ ଆର୍ଥିକ ସ୍ଥିତି ଦୋହଲିଯିବା, କଞ୍ଚାମାଲ୍ର ସଙ୍କଟ, ଉତ୍ପାଦିତ ପଦାର୍ଥର କ୍ଷେତ୍ରଭିତ୍ତିକ ବଜାରର ଅଭାବ, ବ୍ୟାଙ୍କ୍ର ଅସହଯୋଗ ଏବଂ ପରିଚାଳନାଗତ ତ୍ରୁଟି ହିଁ ବନ୍ଦ୍ ହେବାର ପ୍ରମୁଖ କାରଣ ବୋଲି ରିପୋର୍ଟ ପ୍ରସ୍ତୁତ ହୋଇଛି । ରାଜ୍ୟ ସରକାର ଏହାକୁ ଗୁରୁତ୍ତର ସହ ନେଇଛନ୍ତି । ବନ୍ଦ୍ ହୋଇଥିବା ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ସରକାର ବ୍ୟାଙ୍କ୍ଗୁଡ଼ିକ ସହ କଥାବାର୍ତ୍ତା କରିଛନ୍ତି । ଭାରତୀୟ ରିଜର୍ଭବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ନିୟମାବଳୀ ଅନୁସାରେ ପୁନଃରୁଦ୍ଧାର ଯୋଗ୍ୟ ଉଦ୍ୟୋଗମାନଙ୍କୁ ବ୍ୟବସାୟିକ ବ୍ୟାଙ୍କ୍ମାନେ ‘ଷ୍ଟ୍ରେସ୍ କମିଟି’ ମାଧ୍ୟମରେ ‘କରେକ୍ଟିଭ ଆକ୍ସନ ପ୍ଲାନ’ ଦ୍ୱାରା ପୁନଃକାର୍ଯ୍ୟକ୍ଷମ କରିବାର ନିୟମ ଥିବାରୁ ସରକାର ତତ୍କାଳ ପଦକ୍ଷେପ ନେବାର ବ୍ୟବସ୍ଥା କରିଛନ୍ତି । ସେହି ନିୟାମାନୁସାରେ‘ଷ୍ଟ୍ରେସ୍ କମିଟି’ ଗଠନ ହୋଇ ପୁନରୁଦ୍ଧାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ହେଲେ ଅଳ୍ପ କିଛି ଉଦ୍ୟୋଗ ଚାଲିବାକୁ ସକ୍ଷମ ହୋଇଥିଲେ ହେଁ ଅନ୍ୟଗୁଡ଼କ ଚାଲିବାକୁ ସକ୍ଷମ ହୋଇନାହାନ୍ତି । ଫଳରେ ଏସବୁ ଉଦ୍ୟୋଗ ବନ୍ଦ୍ ଯୋଗୁଁ ଚାକିରି କରୁଥିବା ଅଧିକାଂଶଙ୍କ ଘରେ ଚୁଲି ଜଳୁନାହିଁ । ନାନା ସମସ୍ୟା ଦେଇ ସେମାନେ ଗତି କରୁଛନ୍ତି । ରାଜ୍ୟ ଏମ୍ଏସ୍ଏମ୍ଇ ବିଭାଗ ଏହି କର୍ମଚାରୀଙ୍କ ପରିବାରର ସୁରକ୍ଷା ପାଇଁ କିଛି ଠୋସ୍ ବ୍ୟବସ୍ଥା କରନ୍ତୁ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି ।