କିଭ୍ : ଯୁଦ୍ଧର ଅର୍ଥ ହେଉଛି ସଂହାର ଲୀଳା । କେବଳ ବିନାଶ । ଏବେ ସେଭଳି ସ୍ଥିତି ଦେଖିବାକୁ ମିଳିଛି ୟୁକ୍ରେନ୍ରେ । ରୁଷିଆର ଆକ୍ରମଣରେ ଧ୍ୱସ୍ତବିଧ୍ୱସ୍ତ ହୋଇ ଯାଇଛି ୟୁକ୍ରେନ୍ର ଅନେକ ସହର । ତା’ ଭିତରେ ରହିଛି ମାରିୟୁପୋଲ ସିଟି । ଯେଉଁଠି ଏବେ ମୃତ୍ୟୁ ତାଣ୍ଡବ ଚାଲିଛି । ବୋମା ଓ ମିଶାଇଲ୍ ମାଡ଼ରେ ଶ୍ମଶାନ ପାଲଟିଛି ସୁନ୍ଦର ସହର । କେଉଁଠି ନିଆଁ ଜଳୁଛି ତ କେଉଁଠୁ ଧୂଆଁ ଉଠୁଛି । ବାରୁଦ ଗନ୍ଧରେ ଭରି ଯାଇଛି ପୂରା ସହର । ଖାଲି ସେତିକି ନୁହେଁ ମୃତ ଲୋକଙ୍କ ଶବ ସବୁ ପଡ଼ି ରହିଛି । ଉଠାଇବାକୁ କେହି ନାହିଁ । କିଛି ଲୋକ ଭୋକ ଦାଉରୁ ନଡରି ବାହାରକୁ ବାହାରୁଛନ୍ତି କେବଳ ଖାଦ୍ୟ ପାଇଁ । ତାଲାବନ୍ଦ ଦୋକାନକୁ ଭାଙ୍ଗି ଯାହା ପାଉଛନ୍ତି ନେଇ ଯାଉଛନ୍ତି । ଆଉ କିଛି ଭୟରେ ଲୁଚି ରହିଛନ୍ତି ବଙ୍କର ଭିତରେ । ସ୍ତ୍ରୀଲୋକ ଓ ପିଲାମାନେ ତେଲ ଦୀପ ଜାଳି ସେହି ବଙ୍କର ଭିତରେ ଥରୁଛନ୍ତି । କେତେବେଳେ ବି କିଛି ଘଟିଯିବ । ମୃତ୍ୟୁ ଯେମିତି ଜଗି ବସିଛି ବାହାରେ । ଲୋକଙ୍କୁ ଖାଇବା କଣ ପାଣି ପିଇବାକୁ ବି ମିଳୁନି । ସେମାନେ ବରଫ ତରଳାଇ ତାକୁ ପାଣି କରି ପିଉଛନ୍ତି । ଏହି ବନ୍ଦର ସହର ମାରିୟୁପୋଲରେ ସବୁବେଳେ ଶଭୁଛି ଗୁଳିଗୋଳାର ଆବାଜ । ଏହି ସହରର ଲୋକ ସଂଖ୍ୟା ହେଉଛି ୪ ଲକ୍ଷ ୩୦ ହଜାର । କୁହାଯାଉଛି ଏଇଠି ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି ସାଧାରଣ ଲୋକେ । ବଙ୍କର ଭିତରୁ ଲୋକଙ୍କୁ କାଢ଼ି ସେମାନଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରଖିବା ଓ ସେମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରିବା ପାଇଁ ଉଦ୍ୟମ କରାଯାଇଥିଲା । ହେଲେ ତାହା ବିଫଳ ହେଲା । ୟୁକ୍ରେନ୍ର ଅଧିକାରୀଙ୍କ ସୂଚନା ଅନୁସାରେ, ଏହି କାମ ପାଇଁ ଏକ ବଡ଼ ଟିମ୍କୁ ମାରିୟୁପୋଲ ପଠା ଯାଇଥିଲା । ହେଲେ ସହର ସୀମରେ ପାହଞ୍ଚିବା ପରେ ରୁଷ୍ ସୈନିକମାନେ ଗୁଳି ବର୍ଷା କରିବାରୁ ସେମାନେ ଆଗକୁ ଯାଇ ପାରିଲେ ନାହିଁ । ଆଜୋବ ସାଗର ଭିତରେ ଥିବା ମାରିୟୁପୋଲ ସହରକୁ ଏବେ ରୁଷ୍ ସେନା ଘେରି ରହିଛନ୍ତି ।