ନବରଙ୍ଗପୁର: ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ତାର ମୁକାବିଲା ସମ୍ୱନ୍ଧୀୟ ଏକ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ଗ୍ରୀଷ୍ମ ଋତୁରେ ପିଇବା ପାଣି ଏବଂ ଅଂଶୁଘାତ ର ସମସ୍ୟା ଓ ତାହାର ସଫଳ ମୁକାବିଲା କରିବା ନିମନ୍ତେ ଆଲୋଚନା ହୋଇଥିଲା । ବିଶେଷ କରି ଜିଲ୍ଲାର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଦ୍ୟାଳୟଗୁଡ଼ିକରେ ପ୍ରର୍ଯ୍ୟାପ୍ତ ପରିମାଣର ଓଆରଏସ ପକ୍ଷକେଟ ମହଜୁତ ରଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜିଲ୍ଲା ସାମାଜ କଲ୍ୟାଣ ଅଧିକାରୀ ଙ୍କୁ ଜିଲ୍ଲାପାଳ ଡ଼ଃ ମିଶ୍ର ନିର୍ଦ୍ଧେଶ ଦେଇଥିଲେ । ପ୍ରତ୍ୟେକ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ଜଳ ଯୋଗାଣ ନିମନ୍ତେ ପାଞ୍ଚ ମିନିଟ ସମୟ ବ୍ୟବଧାନ ବାଧ୍ୟତାମୂଳକ ରଖିବା ପାଇଁ ଜିଲ୍ଲାପାଳ ଡ଼ଃ ମିଶ୍ର ପରାମର୍ଶ ଦେଇଥିଲେ । ସେହିପରି ଜିଲ୍ଲା ଶ୍ରମ ବିଭାଗ ତରଫରୁ ଶ୍ରମିକମାନଙ୍କ କାର୍ଯ୍ୟ ସ୍ଥଳରେ ସ୍ୱତନ୍ତ୍ର ପାଣିର ବ୍ୟବସ୍ଥା କରିବା ସହିତ ଦିନ ୧୧ଟାରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଅଂଶୁଘାତର ଆଶଙ୍କା ଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ସମୟ ସୀମା ମଧ୍ୟରେ ଶ୍ରମିକ ମାନଙ୍କୁ କାର୍ଯ୍ୟରେ ନ ଲଗାଇ ଛାୟାର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସ୍କୁଲ ଏବଂ କଲେଜ ରେ ଶିକ୍ଷା ଦାନ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲାପାଳ କହିଥିଲେ । ଜିଲ୍ଲାର ଅଚଳ ଥିବା ନଳକୂପ ଗୁଡିକୁ ଯୁଦ୍ଧକାଳିନ ଭିତ୍ତିରେ ମରାମତି କରିବା ସହିତ ଆବଶ୍ୟକ ସ୍ଥଳେ ଭ୍ରାମ୍ୟମାଣ ଟ୍ୟାଙ୍କର ସାହାଯ୍ୟରେ ପିଇବା ପାଣିର ସୁବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅଂଶୁଘାତ ର ସଫଳ ମୁକାବିଲା ପାଇଁ ପ୍ରତି ବ୍ଲକ ସ୍ତରରେ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିୟନ୍ତ୍ରଣ କକ୍ଷ ଖୋଲି ତୁରନ୍ତ ଆବଶ୍ୟକୀୟ ସେବା ଯୋଗାଇ ଦେବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି.ପୁରୁଷୋତ୍ତମ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାଳି ପ୍ରସାଦ ବେହେରା, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦେବୀ ପ୍ରସାଦ ଟାଲି, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ,ଉପ ଜିଲ୍ଲାପାଳ ସୁନିଲ ଅକ୍ଷୟ ଅଗ୍ରୱାଲ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମୌସୁମୀ ନାୟକଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।