କନ୍ଧମାଳ : କନ୍ଧମାଳ ଜିଲ୍ଲାରେ ଏବେଠାରୁ ପାଣି ପାଇଁ ଆରମ୍ଭ ହୋଇଯାଇଛି ହାହାକାର । ଏବେଠାରୁ ଅନେକ ଗ୍ରାମ ଅଛି ଯେଉଁଠି ପାଣିପାଇଁ ସବୁଦିନିଆ ଚିନ୍ତାର କାରଣ ହୋଇଛି । ଏଭଳି ଏକ ଗ୍ରାମ ହେଉଛି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ର ସୁବର୍ଣ୍ଣଗିରି ପଞ୍ଚାୟତର ଅନେକ ଗ୍ରାମ । ଏହି ପଞ୍ଚାୟତ ଉପରେ ଥିବା କୁଟିଗୁଡ଼ା , ଗୁପାଡ଼ା , ସାନ୍ଧିବଣାଙ୍ଗ ,ପାଟାଙ୍ଗପଡ଼ା , ବୁଡ଼ାପାଡ଼ା ଭଳି ବହୁ ଗ୍ରାମ ଅଛି ଯେଉଁଠି ଆଜି ପର୍ଯ୍ୟନ୍ତ ପାନୀୟଜଳ ପାଇଁ ଲୋକେ ଏବେଠାରୁ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି । ଗାଁ ଗାଁରେ ପାନୀୟଜଳ ଯୋଗାଣ ପାଇଁ ସରକାରଙ୍କ କୌଣସି ପ୍ରକାର ଯୋଜନା ଏହିସବୁ ଗାଁମାନଙ୍କରେ ପହଞ୍ଚିପାରିନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଫଳରେ ବାଧ୍ୟ ହୋଇ ସେମାନେ କିଏ ପୋଖରୀ ତ ପୁଣି କିଏ ଚୁଆଁ ପାଣି ଉପରେ ନିର୍ଭର କରୁଛନ୍ତି । ତେବେ ଖରାଦିନରେ ଏହି ଚୁଆଁଗୁଡ଼ିକରେ ଜଳସ୍ତର କମିଯାଉଥିବାରୁ ଏବେଠାରୁ ଚିନ୍ତାର କାରଣ ହୋଇଛି ଏହି ସବୁ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ପାଇଁ । ପାଣି ବୁନ୍ଦାଏ ପାଇଁ ଏବେ ଠାରୁ ଡହଳ ବିକଳ ହେବା ଆରମ୍ଭ ହୋଇଛି ସଂପୃକ୍ତ ଗ୍ରାମରେ । ତେବେ ଯେଉଁ ଚୁଆଁ ପାଣିକୁ ଗ୍ରାମବାସୀ ବ୍ୟବହାର କରୁଛନ୍ତି ସେହି ପାଣିକୁ ମଧ୍ୟ ଗାଁରେ ପଶୁପକ୍ଷୀ ମଧ୍ୟ ବ୍ୟବହାର କରିଥାନ୍ତି । ଫଳରେ ଏହି ପାଣି ବ୍ୟବହାର ଦା୍ୱରା ନାନା ରୋଗର ଶୀକାର ହୋଇଥାନ୍ତି ବୋଲି ଗ୍ରାମର ବାଲେଶ୍ୱର ପ୍ରଧାନ, ବିଭୁ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ ଓ ନୀଳକଣ୍ଠ ବଳିଆରସିଂ ପ୍ରମୁଖ ଅଭିଯୋଗ କରିଛନ୍ତି । ତେବେ ଏନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଆଜିଯାଏଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ଗ୍ରାମର କଳାକୃଷ୍ଣ ପାଲଟାସିଂ, ଦିସି ପାଲଟାସିଂ ପ୍ରମୁଖ ଅଭିଯୋଗ କରିଛନ୍ତି । ତେବେ ଖରାଦିନ ମାଡ଼ି ଆସିବା ପୂର୍ବରୁ ଗ୍ରାମରେ ସୋଲାର ଟାଙ୍କି, ଉଠା ଜଳସେଚନ ଭଳି କିଛି ପଦକ୍ଷେପ ନେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି । ପ୍ରଶାସନ ଏ ଦିଗରେ ଅବଗତ ଥିବା ଓ ଏନେଇ ପଦକ୍ଷେପ ନିଆଯାଇଥିବା ସୂଚନା ଦିଆଯାଇଛି ।