ଦିଗପହଣ୍ଡି : ବ୍ୟବସାୟରେ ସର୍ବଶାନ୍ତ ହେବା ପରେ ଶେଷରେ ମାନସିକ ଭାରସାମ୍ୟ ହରାଇ ବେକରେ ରଶି ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିବା ଘଟଣା ଦିଗପହଣ୍ଡି ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଜି ସକାଳ ୮ ଟାରେ ଏହି ଘଟଣା ଘଟିଛି । ସୂଚନା ପାଇ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଏଏସ୍ଆଇ ଗୋବିନ୍ଦ ମଳିକ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଝୁଲନ୍ତା ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲ୍ ପଠାଇଛନ୍ତି । ଏନେଇ ଥାନାରେ ୨/୨୨ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ମୃତ ଯୁବକ ଜଣକ ଦିଗପହଣ୍ଡି ସହର ନୂଆସାହିର ଭଗବାନ ବେହେରା(୩୫) ବୋଲି ଜଣାପଡିଛି । ଭଗବାନ ଜଣେ ମାଛ ବ୍ୟବସାୟୀ ଭାବେ ସହରରେ ବେଶ୍ ଜଣାଶୁଣା । ବ୍ୟବସାୟରେ ଆର୍ଥିକ କ୍ଷତି ଯୋଗୁଁ ସେ ବେଳେ ବେଳେ ମାନିସକ ଭାରସାମ୍ୟ ହରାଇ ପରିବାର ଭିତରେ କଳହ ଲାଗି ରହୁଥିଲା । ଆଜି ସକାଳ ସମୟରେ ସ୍ତ୍ରୀ ବନ୍ଧକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଭଗବାନ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।