ବ୍ରହ୍ମପୁର: ବିଏମ୍ସି ନିର୍ବାଚନରେ ଅଂଶଗ୍ରହଣ କରିବା ପାଇଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବା ପାଇଁ ଆଉ ୫ ଦିନ ସମୟ ବାକି ରହିଛି । ଆଜି ପ୍ରଥମ ଥର ବ୍ରହ୍ମପୁର ଉପ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ନିର୍ବାଚନୀ କୋଳାହଳ ଦେଖିବାକୁ ମିଳିଛି । ବିଜେପି ଦଳର ଦୁଇ ଜଣ ଏବଂ ବାମପନ୍ଥୀ ଦଳର ଜଣଙ୍କୁ ମିଶାଇ ମୋଟ ୫ ଜଣ ପ୍ରାର୍ଥୀ ନିଜ ନାମାଙ୍କନ ଦାଖଲ କରିଛନ୍ତି । ଆଜି ମୋଟ ୭୫ଟି ଫର୍ମ ବିକ୍ରି ହୋଇଥିବା କୁହାଯାଇଛି । ସେଥି ମଧ୍ୟରୁ ୫ଟି ମେୟର ପଦବୀ ପାଇଁ ଏବଂ ୭୦ଟି କର୍ପୋରେଟରଙ୍କ ପାଇଁ ବିକ୍ରି ହୋଇଛି । ନାମାଙ୍କନ ଦାଖଲର ତୃତୀୟ ଦିବସରେ ଆଜି ଏଠାରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏଠାରେ ପ୍ରଥମ ଦୁଇ ଦିନ କାର୍ଯ୍ୟାଳୟର ପ୍ରବେଶ ପଥ ଠାରେ ପୁଲିସ ବିଭାଗ ତରଫରୁ ଫର୍ମ ନେବା ପାଇଁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରୁ ତାଙ୍କ ଠିକଣା,ଫୋନ ନମ୍ବର ଆଦି ତଥ୍ୟ ସଂଗ୍ରହ କରିବା ବ୍ୟବସ୍ଥାକୁ ଉଠାଇ ଦିଆଯାଇଥିବା ପରିଲକ୍ଷିତ ହୋଇଛି । କାରଣ ଏହାକୁ ନେଇ ଜନ ଅସନ୍ତୋଷ ଲାଗି ରହିଥିଲା । ଗୋଟିଏ ପଟେ ରାଜ୍ୟ ସରକାର ନିର୍ବାଚନକୁ ଭୟମୁକ୍ତ,ଅବାଧ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିବା ନେଇ କୁହାଯାଇଥିବା ବେଳେ ପୁଲିସ ବିଭାଗ ପକ୍ଷରୁୂ ଏଭଳି ଭାବେ ତଥ୍ୟ ସଂଗ୍ରହ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । ସୁଚନା ଯୋଗ୍ୟ ଯେ ପୁର୍ବରୁ କୌଣସି ନିର୍ବାଚନରେ ଏଭଳି କର୍ଯ୍ୟକ୍ରମ ପୁଲିସ ବିଭାଗ ପକ୍ଷରୁ କରାଯାଇନଥିବା ନେଇ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହୋଇଥିଲା । ତେଣୁ ଆଜି ଏହି କାର୍ଯ୍ୟକ୍ରମକୁ ରଦ୍ଦ କରିଥିବା ପରିଲକ୍ଷିତ ହୋଇଛି । ବିଜେପି ତରଫରୁ ୱାର୍ଡ ନଂ ୨୨ ପାଇଁ ପୂର୍ବତନ କାଉନସିଲର ପ୍ରଦୀପ ଶତପଥୀ ନିଜ ସମର୍ଥକଙ୍କ ସହ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିଭଳି ଆଉ ଜଣେ ପୂର୍ବତନ କାଉନସିଲର ଡି.କରୁଣାକର ବିଜେପି ତରଫରୁ ୱାର୍ଡ ନଂ ୨୧ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଏହା ବ୍ୟତୀତ ସିପିଆଇଏମ୍ ଦଳ ପକ୍ଷରୁ ବାବୁଲା ନାୟକ ୱାର୍ଡ ନଂ ୪୦ ପାଇଁ ନିଜ ସମର୍ଥକଙ୍କ ସହ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ଦଳର ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ ଯୋଗ ଦେଇଥିଲେ । ଅନୁରୁପ ଭାବେ ୱାର୍ଡ ନଂ ୨୯ ପାଇଁ ପ୍ରଫୁଲ୍ଲ ପାଣିଗ୍ରାହୀ ଏବଂ ଗୋପାଳକୃଷ୍ଣ ରଥ ୱାର୍ଡ ନଂ ୨ ପାଇଁ ନିଜ ନାମାଙ୍କନ ଦାଖଲ କରିଛନ୍ତି । ଆଜି ବି ଶାସକ ଦଳ ପକ୍ଷରୁ କେହି ପ୍ରାର୍ଥୀ ନିଜ ଦଳୀୟ ପରିଚୟ ଦେଇ ନାମାଙ୍କନ ଦାଖଲ କରିନଥିôବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଧରିଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚୁଡ଼ାନ୍ତ ନିଷ୍ପତ୍ତି ଅନୁଯାୟୀ ସମସ୍ତ ନିଷ୍କତ୍ତି ନିଆଯାଉଥିବାରୁ ଏଭଳି ବିଳମ୍ବ ହେଉଥିବା ଆଲୋଚନା ହେଉଛି । ଦଳର ବିଜୟକୁ ସୁନିଶ୍ଚିତ କରିବା ପାଇଁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ମତ ପ୍ରକାଶ କରିଛନ୍ତି । ଚଳିତ ଥରର ସମୟ ଅବଧିକୁ ଦୃଷ୍ଟିକୁ ନେଲେ ନିର୍ବାଚନ ଜନିତ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ସମୟ ହାତରୁ ଅପସରି ଯାଉଛି ବୋଲି ଆଶାୟୀମାନେ ମତ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ଆଜି ରାତ୍ରିରେ ଏ ନେଇ ନିଷ୍ପତ୍ତି ନିଆଯାଇ ଆସନ୍ତାକାଲି ହେବାକୁ ଥିବା ଦଳୀୟ କାର୍ଯ୍ୟକ୍ରମରେ ଏ ନେଇ କିଛି ଘୋଷଣା ହୋଇପାରେ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ସହରର ଦୁଇଟି ଅଞ୍ଚଳରେ ଆଶାୟୀମାନେ ଭିଡ ଜମାଇ ନିଜ ନିଜର ଭାଗ୍ୟ ପରୀକ୍ଷା କରୁଥିବା ପରିଲକ୍ଷିତ ହୋଇଛି । ସଂପ୍ରତି ବିଜେଡି ପାଇଁ ରହିଥିବା ବିଜୟ ହାୱାରେ ସମସ୍ତ କର୍ପୋରେଟର ରାଜନୈତିକ ବୈତରଣୀ ପାର ହେବା ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି ।