19.1 C
Bhubaneswar
Tuesday, November 19, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧରୁଷ୍ କବ୍‌ଜାରେ ଜପୋରିଜିୟା ନ୍ୟୁକ୍ଲିୟର୍ ପ୍ଲାଣ୍ଟ୍‌

ରୁଷ୍ କବ୍‌ଜାରେ ଜପୋରିଜିୟା ନ୍ୟୁକ୍ଲିୟର୍ ପ୍ଲାଣ୍ଟ୍‌

କିଏଭ୍‌:  ରୁଷ୍‌-ୟୁକ୍ରେନ୍ ଯୁଦ୍ଧର ନବମ ଦିନ ରୁଷ୍ ସେନା ଆକ୍ରମଣକୁ ଆହୁରି ଜୋର୍‌ଦାର କରିଛି । ଶୁକ୍ରବାର ରୁଷ୍ ସେନା ୟୁରୋପର ସବୁଠୁ ବଡ଼ ଜପୋରିଜିୟା ନ୍ୟୁକ୍ଲିୟର୍ ପ୍ଲାଣ୍ଟକୁ କବ୍‌ଜା କରିନେଇଛି । ଶୁକ୍ରବାର ଭୋର୍‌ରୁ ଏହାକୁ ଟାର୍ଗେଟ୍ କରି ରୁଷ୍ ସେନା ଘନ ଘନ ରକେଟ୍ ମାଡ଼ କରିବା ଫଳରେ ଏଥିରେ ନିଆଁ ଲାଗି ଯାଇଥିଲା । ପରେ ଏହି ନିଆଁକୁ ଆୟତ୍ତ ପରେ କରାଯାଇଥିଲା । ତେବେ ସବୁଠୁ ଖୁସିର କଥା ଆକ୍ରମଣ ପରେ ମଧ୍ୟ ଏହାର ବିକିରଣ ସ୍ତର ପୂର୍ବପରି ସାଧାରଣ ରହିଛି । ଆକ୍ରମଣରେ କୌଣସି ହତାହତ ଖବର ମିଳିନାହିଁ । ଅନ୍ୟପକ୍ଷରେ ଏହି ଆକ୍ରମଣ ପରେ ବିଶ୍ୱସାରା ହଇଚଇ ସୃଷ୍ଟି ହୋଇଛି । ଆକ୍ରମଣର ତୁରନ୍ତ ପରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍‌ଙ୍କ ସହ ଫୋନ୍‌ରେ କଥାବାର୍ତ୍ତା କରିଛନ୍ତି । ଏହି ଅବସରରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଜନ୍‌ସନ୍ କହିଛନ୍ତି, ଏହି ପ୍ରସଙ୍ଗ ରୁଷ୍ ଓ ଅନ୍ୟ ସହଯୋଗୀଙ୍କ ନିକଟରେ ଉଠାଇବେ । ଏହା ସହିତ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକିବା ପାଇଁ ମଧ୍ୟ କହିଛନ୍ତି । ରୁଷ୍ ତୁରନ୍ତ ଆକ୍ରମଣ ବନ୍ଦ କରିବା ଆବଶ୍ୟକ ବୋଲି ଉଭୟ ନେତା ସହମତ ହୋଇଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ କୁହାଯାଇଛି । ସେହିପରି ନ୍ୟୁକ୍ଲିୟର୍ ପ୍ଲାଣ୍ଟ୍ ଉପରେ ଆକ୍ରମଣକୁ ନେଇ ଆମେରିକା ରାଷ୍ଟ୍ରପତି ବାଇଡେନ୍ ମଧ୍ୟ ଚିନ୍ତାବ୍ୟକ୍ତ କରିଛନ୍ତି । ଏବେ ରୁଷ୍‌କୁ ଯୁଦ୍ଧ ବନ୍ଦ କରିବା ସହ ପ୍ଲାଣ୍ଟ ମଧ୍ୟକୁ ଇମର୍ଜେନ୍ସି ଟିମ୍‌କୁ ପ୍ରବେଶ ଅନୁମତି ଦେବା ଉଚିତ ବୋଲି କହିଛନ୍ତି । ଅନ୍ୟପକ୍ଷରେ ବାଇଡେନ୍ ପ୍ରଶାସନ ପକ୍ଷରୁ ରୁଷ୍‌ର ବଡ଼ ବ୍ୟବସାୟୀ ଓ ରାଷ୍ଟ୍ରପତି ପୁଟିନ୍‌ଙ୍କ ନିକଟ ସମ୍ପର୍କୀୟଙ୍କ ଉପରେ ନୂଆ ପ୍ରତିବନ୍ଧ ଲାଗୁ ପାଇଁ ଘୋଷଣା କରାଯାଇଛି । ଏହି ନୂଆ ପ୍ରତିବନ୍ଧରେ କ୍ରେମ୍‌ଲିନ୍ ପ୍ରେସ୍ ସଚିବ ଦିମିତ୍ରି ପେସ୍କୋଭ୍‌ଙ୍କ ସମେତ ରୁଷ୍‌ର କୁଳୀନ ବର୍ଗର ୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏବଂ ସେମାନଙ୍କ ପରିବାର ସାମିଲ । ଯେଉଁମାନେ ରୁଷ୍ ବ୍ୟବସାୟୀଙ୍କ ସହ ଅବୈଧ ସମ୍ପର୍କ ରଖିବେ ସେମାନଙ୍କ ପ୍ରତି ଏହି ପ୍ରତିବନ୍ଧ ଲାଗୁ ହେବ ବୋଲି ବାଇଡେନ୍ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking