ନୂଆଦିଲ୍ଲୀ : ୟୁକ୍ରେନ୍ର ୱାର୍ଜୋନ୍ରେ ପାଖାପାଖି ୧ ହଜାର ଭାରତୀୟ ଛାତ୍ରୀଛାତ୍ର ଫସିରହିଛନ୍ତି । ୟୁକ୍ରେନ୍ର ସୁମି ସହରରେ ୭୦୦ ଓ ଖାର୍କିଭ୍ ସହରରେ ୩୦୦ ଛାତ୍ର ଫସିରହିଛନ୍ତି ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଯୁଦ୍ଧାଞ୍ଚଳରୁ ଏହି ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ବାହାର କରିବା ସରକାରଙ୍କ ପାଇଁ ମସ୍ତବଡ଼ ଚାଲେଞ୍ଚ୍ ବୋଲି ସରକାର ସ୍ୱୀକାର କରିଛନ୍ତି । ୟୁକ୍ରେନ୍ରୁ ଶେଷତମ ଛାତ୍ର ଭାରତ ଫେରିନଆସିବା ପର୍ଯ୍ୟନ୍ତ ସରକାର ଅପରେସନ୍ ଗଙ୍ଗା ଜାରିରଖିବେ । ଆନୁମାନିକ ଭାବେ ପାଖାପାଖି ୨ହଜାରରୁ ୩ ହଜାର ଭାରତୀୟ ନାଗରିକ ଏବେବି ୟୁକ୍ରେନ୍ରେ ଅଛନ୍ତି । ଏହି ସଂଖ୍ୟାରେ ହ୍ରାସ-ବୃଦ୍ଧି ଦେଖାଯାଇପାରେ ବୋଲି ଆଜି ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ୍ ବାଗଚୀ ସୂଚନା ଦେଇଛନ୍ତି । ପୂର୍ବୟୁକ୍ରେନ୍ ଓ ଉଭୟ (ରୁଷ୍-ୟୁକ୍ରେନ୍) ଅଞ୍ଚଳରୁ ସମସ୍ତ ଭାରତ ନାଗରିକଙ୍କୁ ସୁରକ୍ଷତି ଦେଶକୁ ଫେରାଇ ଆଣିବା ମନ୍ତ୍ରଣାଳୟର ପ୍ରମୁଖ ପ୍ରାଥମିକତା ରହିଛି । ଏଯାବତ୍ ପାଖାପାଖି ୨୦ ହଜାର ଭାରତୀୟ ନାଗରିକ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୧୫ ବିମାନ ଜରିଆରେ ୩ ହଜାରରୁ ଅଧିକ ଭାରତୀୟ ନାଗରିକ ଓ ଛାତ୍ରୀଛାତ୍ର ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅଗାମୀ ୨୪ ଘଣ୍ଟା ମଧ୍ୟରେ ୧୬ ଟି ବିମାନ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି । ଅପରେସନ୍ ଗଙ୍ଗା ଜରିଆରେ ଏଯାବତ୍ ୧୦,୩୦୦ ଛାତ୍ରୀଛାତ୍ର ଭାରତ ଫେରିଛନ୍ତି ବୋଲି ସେ କହିଛନ୍ତି ।