ମୟୂରଭଞ୍ଜ : ଏକ ପ୍ରମୁଖ ଛାପା ଗଣମାଧ୍ୟମ ଜଣେ ପରାଜିତ ସରପଞ୍ଚ ପ୍ରାର୍ଥୀଙ୍କୁ ବିଜୟୀ ଦର୍ଶାଇ ଖବର ପ୍ରକାଶ କରିଥିଲା। ଏହି ଖବର ଆଧାରରେ ପରାଜିତ ପ୍ରାର୍ଥୀଙ୍କ ସମର୍ଥକ ବିଡିଓଙ୍କୁ ଟାର୍ଗେଟ୍ କରିଥିଲେ। ବିଡିଓ ଜାଣିଶୁଣି ତାଙ୍କୁ ପରାଜିତ ଦର୍ଶାଇଥିବା ଭାବି ପ୍ରାର୍ଥୀଙ୍କ ସମର୍ଥକ ବୁଧବାର ଦିନ ବିଡିଓଙ୍କୁ ଆକ୍ରମଣ କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ୍ରେ। ଆକ୍ରମଣର ଶିକାର ବିଡିଓ ଯଶୋବନ୍ତ ବେହେରାଙ୍କୁ ବାରିପଦା ବଡ଼ ଡାକ୍ତରଖାନାରେ ଭର୍ତ୍ତିକରାଯାଇଛି।
ସୂଚନା ଅନୁଯାୟୀ ବୁଧବାର ଦିନ ଉକ୍ତ ଖବରକାଗଜରେ ଶାମାଖୁଣ୍ଟା ବ୍ଲକ୍ ବାଲଢ଼ିଆ ପଞ୍ଚାୟତର ସରପଞ୍ଚ ଭାବେ କବିତା ନାୟକ ବିଜୟୀ ହୋଇଥିବା ଦର୍ଶାଯାଇଥିଲା। କିନ୍ତୁ ବ୍ଲକ୍ ପକ୍ଷରୁ ଶକୁନ୍ତଳା ନାୟକଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ତେଣୁ ବିଡିଓ ଜାଣିଶୁଣି ଏମିତି କରିଥିବା ଅଭିଯୋଗ କରି କବିତାଙ୍କ ସମର୍ଥକ ଆଜି ମଧ୍ୟାହ୍ନରେ ବ୍ଲକ୍ କାର୍ଯ୍ୟାଳୟ ଭିତରେ ପଶି ବିଡିଓ ଶ୍ରୀ ବେହେରାଙ୍କ ସହ ଯୁକ୍ତିତର୍କ କରିବା ସହିତ ମାରଧର କରିଥିଲେ।
ବାରିପଦା ସଦର ଥାନା ଅଧିକାରୀ ମଧୁସ୍ମିତା ମହାନ୍ତି ଓ ବାରିପଦା ଉପଖଣ୍ଡ ପୁଲିସ ଅଧିକାରୀ କେକେ ହରିପ୍ରସାଦ ଘଟଣା ସ୍ଥଳରୁ ବିଡିଓଙ୍କୁ ଉଦ୍ଧାର କରି ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏହି ଘଟଣାରେ ଏଯାଏ କାହାକୁ ଗିରଫ କରାଯାଇନାହିଁ। ଅନ୍ୟପକ୍ଷରେ କବିତାଙ୍କ ସମର୍ଥକ ପୁନଃ ଭୋଟଗଣନା ଦାବି କରିଛନ୍ତି।